ବୁର୍ଲା ଭିମସାର ଏମବିବିଏସ ଛାତ୍ରଛାତ୍ରୀଙ୍କ ବାର୍ଷିକ ଉତ୍ସବ ପରେ ବ୍ୟାପିଲା କରୋନା: ୫୦ରୁ ଊର୍ଦ୍ଧ୍ବ ସଂକ୍ରମିତ, ୨୨ କୋଭିଡ଼ ହସପିଟାଲରେ ଭର୍ତ୍ତି

ବୁର୍ଲା: କରୋନାର ତୃତୀୟ ଲହରୀରେ ସଂକ୍ରମଣର ମାତ୍ରା ହ୍ରାସ ପାଇବା ବେଳେ ବର୍ତ୍ତମାନ କରୋନା କଟକଣାକୁ କୋହଳ କରି ଦିଆଯାଇଥିଲା। ଏହା ହିଁ ଭିମସାରରେ କରୋନା ସଂକ୍ରମଣର ସ୍ଥିତିକୁ ଉଦବେଗଜନକ ସ୍ଥିତିରେ ପହଞ୍ଚାଇ ଦେଲାଣି। ତେବେ ଭିମସାର ମେଡ଼ିକାଲ କଲେଜରେ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ଆମୋଦ ପ୍ରମୋଦ ପାଇଁ ଅନୁଷ୍ଠିତ ହୋଇଥିବା ତିନି ଦିନିଆଁ ବାର୍ଷିକ କାର୍ଯ୍ୟକ୍ରମ ସାଜିଛି କରୋନା ସଂକ୍ରମଣ ବୃଦ୍ଧିର କାରଣ। ତେବେ ଗତକାଲି ବିଳମ୍ବିତ ରାତି ସୁଦ୍ଧା ୩୦ ଜଣ ଏମବିବିଏସ ଡ଼ାକ୍ତରୀ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଥିବା ବେଳେ ଆଜି ଏହାର ସଂଖ୍ୟା ୫୦କୁ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨୨ ଜଣ ଏମବିବିଏସ ଡ଼ାକ୍ତରୀ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇ ଭିମସାର କୋଭିଡ଼ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଭିମସାରରେ ଗୁରୁତ୍ୱପୁର୍ଣ୍ଣ ବୈଠକରେ ଆଗକୁ ରହିଥିବା ଅଫଲାଇନ ଦୁଇଟି ପରୀକ୍ଷାକୁ ବାତିଲ କରାଯିବା ପାଇଁ ନିର୍ଦେଶନାମା ଜାରି କରାଯାଇଛି। ଏଥିସହିତ ଆଗାମି ୧୦ ଦିନ ପର୍ଯ୍ୟନ୍ତ ସମସ୍ତ ଅଫଲାଇନ୍ କ୍ଲାସ୍ ବାତିଲ କରାଯାଇଥିବା ଭିମସାର ଅଧ୍ୟକ୍ଷା ପ୍ରଫେସର ଜୟଶ୍ରୀ ଦୋରା ସୂଚନା ଦେଇଛନ୍ତି।

ଗତ ସପ୍ତାହରେ ଏମବିବିଏସ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ଉତ୍ସବ ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ ଡିଜେ ନାଇଟରେ ଅନେକ ଛାତ୍ରଛାତ୍ରୀ ଯୋଗ ମଧ୍ୟ ଦେଇଥିଲେ। ଏହା ହିଁ କରୋନା ସଂକ୍ରମଣର କାରଣ ସାଜିଥିଲା। ଏପରିକି କିଛି ଛାତ୍ରଛାତ୍ରୀଙ୍କୁ ଜ୍ୱର ସହିତ ଅନ୍ୟାନ୍ୟ କରୋନା ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଗତକାଲି ପ୍ରଥମେ ୧୦ ଜଣ ଏମବିବିଏସ ଡ଼ାକ୍ତରୀ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଥିବା ବେଳେ ପୁଣି ଏହାର ସଂଖ୍ୟା ବୃଦ୍ଧି ପାଇଥିଲା। ଆଜି ଏହି ସଂଖ୍ୟା ୫୦ରୁ ଊର୍ଦ୍ଧ୍ବ ପାର୍ ହୋଇଥିବା ଜଣାପଡିଛି। ଏମବିବିଏସ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ବର୍ଷର ଛାତ୍ରଛାତ୍ରୀ କରୋନା ସଂକ୍ରମିତ ତାଲିକାରେ ରହିଥିବା ଜଣାପଡିଛି।
ଆଜି ଭିମସାର ନିର୍ଦେଶକ ପ୍ରଫେସର ଲଳିତ ମେହେରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳିନ ବୈଠକ ବସିଥିଲା। ଏହି ବୈଠକରେ ଛାତ୍ରଛାତ୍ରୀଙ୍କ ସଂକ୍ରମଣର ମୁକାବିଳା କିଭଳି ଭାବରେ କରାଯିବ ଏବଂ ଏହାକୁ ନେଇ କି କି ପଦକ୍ଷେପ ଗ୍ରହଣ କରାଯିବ ଏହାକୁ ନେଇ ଆଲୋଚନା ହୋଇଥିଲା। ଏହି ବୈଠକରେ ନିର୍ଦେଶକ ପ୍ରଫେସର ମେହେରଙ୍କ ସମେତ ଭିମସାର ଅଧ୍ୟକ୍ଷା ପ୍ରଫେସର ଜୟଶ୍ରୀ ଦୋରା, ହସପିଟାଲ ଅଧିକ୍ଷକ ପ୍ରଫେସର ଲାଲମୋହନ ନାୟକଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଡ଼ାକ୍ତର ତଥା ଅଧିକାରୀ ଉପସ୍ଥିତ ରହିଥିଲେ।

Comments are closed.