ବୁର୍ଲା କୋଭିଡ ଡାକ୍ତରଖାନା, ୧୩ ଚିକିତ୍ସାଧୀନଙ୍କ ମୃତ୍ୟୁ

ବୁର୍ଲା: ବୁର୍ଲା କୋଭିଡ ଡାକ୍ତରଖାନାରେ ରବିବାର ପୁଣି ୧୩ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ସମ୍ବଲପୁର ଜିଲାର ଚାରିଜଣ ୩୫ ବର୍ଷୀୟ ଯୁବକ, ୬୩ ବର୍ଷୀୟ ବୃଦ୍ଧ, ୭୫ ବର୍ଷୀୟ ବୃଦ୍ଧ ଏବଂ ୮୨ ବର୍ଷୀୟ ବୃଦ୍ଧ, ଝାରସୁଗୁଡ଼ା ଜିଲାର ତିନିଜଣ ୪୦ ବର୍ଷିୟା ମହିଳା, ୪୫ ବର୍ଷୀୟ ପୁରୁଷ ଓ ୬୫ ବର୍ଷୀୟ ବୃଦ୍ଧ, ବରଗଡ଼ ଜିଲାର ଦୁଇଜଣ ୪୭ ବର୍ଷୀୟ ପୁରୁଷ ଓ ୭୫ ବର୍ଷୀୟ ବୃଦ୍ଧ, ବଲାଙ୍ଗିର ଜିଲାର ୫୭ ବର୍ଷୀୟ ପୁରୁଷ, ସୁନ୍ଦରଗଡ଼ ଜିଲାର ୪୫ ବର୍ଷୀୟ ପୁରୁଷ, ସୋନପୁର ଜିଲାର ୪୫ ବର୍ଷୀୟ ପୁରୁଷ ଏବଂ କଳାହାଣ୍ଡି ଜିଲାର ୬୫ ବର୍ଷିୟା ବୃଦ୍ଧା ରହିଛନ୍ତି। ଗତକାଲି ଶନିବାର ୭ ଜଣ କରୋନା ସଂକ୍ରମିତଙ୍କ କୋଭିଡ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଶନିବାର ମୃତକଙ୍କ ମଧ୍ୟରେ ସମ୍ବଲପୁରର ଚାରିଜଣ ୫୪ ବର୍ଷୀୟ ପୁରୁଷ, ୫୧ ବର୍ଷୀୟ ପୁରୁଷ, ୫୦ ବର୍ଷୀୟ ପୁରୁଷ ଏବଂ ୯୨ ବର୍ଷୀୟ ବୃଦ୍ଧ, ବରଗଡ଼ର ୪୬ ବର୍ଷୀୟ ପୁରୁଷ, ବଲାଙ୍ଗିରର ୫୭ ବର୍ଷୀୟ ପୁରୁଷ ଏବଂ ନୂଆପଡ଼ାର ୫୦ ବର୍ଷୀୟ ବ୍ୟକ୍ତି ଅଛନ୍ତି। ଦୁଇଦିନ ମଧ୍ୟରେ ସମୁଦାୟ ୨୦ କରୋନା ରୋଗୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। କରୋନାର ଦ୍ୱିତୀୟ ଲହରୀରେ କୋଭିଡ ସ୍ଥିତି ଚିନ୍ତାଜନକ ହେଲାଣି।

 

ଅନେକ ଗୁରୁତରଙ୍କୁ ସଠିକ ସମୟରେ ଜୀବନ ରକ୍ଷକ (ଭେଣ୍ଟିଲେଟର)ଯୁକ୍ତ ସ୍ବତନ୍ତ୍ର ଯତ୍ନ କୋଠରୀ (ଆଇସିୟୁ) ଉପଲବ୍ଧ ହୋଇ ନପାରିବା ଫଳରେ ରୋଗୀଙ୍କ ଅକାଳ ମୃତ୍ୟୁ ଘଟୁଥିବା ଅଭିଯୋଗ ହେଉଛି। ଗତ ୧୧ ଦିନରେ ଚିକିତ୍ସାଧୀନ ମୃତ୍ୟୁ ସଂଖ୍ୟା ୧୨୭ରେ ପହଞ୍ଚିଲାଣି। ବର୍ତ୍ତମାନ ସମ୍ବଲପୁର ଜିଲା ସଂକ୍ରମଣ ବଳୟ ମଧ୍ୟରେ ରହିଥିବାରୁ ଦୈନିକ ଶହ ଶହ ସଂଖ୍ୟାରେ ଆକ୍ରାନ୍ତଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ ଡାକ୍ତର ପରାମର୍ଶ ଦେଉଛନ୍ତି। ବୁର୍ଲା କୋଭିଡ ଡାକ୍ତରଖାନାରେ ୨୧୫ରୁ ଊର୍ଦ୍ଧ୍ବ ରୋଗୀ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ସୂଚନା ଥାଉକି, ଗତ ଶନିବାର ୭ ଜଣ, ଶୁକ୍ରବାର ୮ ଜଣ, ଗୁରୁବାର ୧୧ ଜଣ, ବୁଧବାର ୭ ଜଣ, ମଙ୍ଗଳବାର ୯ ଜଣ ଓ ସୋମବାର ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା। ଭିମସାର କୋଭିଡ ଡାକ୍ତରଖାନାରେ ଗତ ଅକ୍ଟୋବର ମାସରେ ଆରମ୍ଭ ହେବାଠାରୁ ଆଜିସୁଦ୍ଧା ମୃତ୍ୟୁ ସଂଖ୍ୟା ୪୪୪ରେ ପହଞ୍ଚିଲାଣି।

Comments are closed.