ବୁର୍ଲାରେ ସଂଘବଦ୍ଧ ଆକ୍ରମଣ ଘଟଣା ; ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି, ୪ ଅଟକ

-ଘଟଣାସ୍ଥଳରେ ସମ୍ବଲପୁର ଏସପି, ଭିମସାରରେ ଆହତଙ୍କ ଅବସ୍ଥା ବୁଝିବା ସହିତ ପୁଲିସକୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ, ଘଟଣାରେ ବ୍ୟବହୃତ କାର ଜବତ

ବୁର୍ଲା : ଗତକାଲି ବୁର୍ଲା ସେଣ୍ଟର ଲାଇନ କଲୋନିରେ ଘଟିଥିବା ଏକ ହତ୍ୟାକାଣ୍ଡ ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦା ସ୍ତବ୍ଧ ହୋଇଯାଇଛନ୍ତି। ଏଭଳି ଘଟଣା ବୁର୍ଲା ସହରରେ ଘଟି ଆଗରୁ ଘଟି ନ ଥିବା ନେଇ ସ୍ଥାନୀୟ ସଚେତନ ବର୍ଗରେ ମତପ୍ରକାଶ ପାଉଛି। ଏହି ସଂଘବଦ୍ଧ ଆକ୍ରମଣ ଘଟଣାରେ ଆଜି ଚିକିତ୍ସାଧୀନ ଅବସ୍ଥାରେ ପିତବାଶ ବିଶୋଇଙ୍କ ସାନ ପୁଅ ମୁନା ବିଶୋଇ(୩୦)ଙ୍କ ବୁର୍ଲା ଭିମସାରର ଆଶୁଚିକିତ୍ସା ବିଭାବରେ ଚିକିତ୍ସାଧିନ ମୃତ୍ୟୁ ଘଟିଛି। ତେବେ ଗତକାଲି ଆକ୍ରମଣ ଘଟଣାରେ ପିତବାସଙ୍କ ବଡ଼ପୁଅ ବୁଲୁ ବିଶୋଇଙ୍କ(୩୭)ଙ୍କ ରାତି ପ୍ରାୟ ଦଶଟା ସମୟରେ ମୃତ୍ୟୁ ହୋଇଥିଲା। ମୃତ୍ୟୁ ସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି। ତେବେ ବର୍ତ୍ତମାନ ମଧ୍ୟ ୩ ଜଣ ଗୁରୁତର ଆହତ ଅବସ୍ଥାରେ ବୁର୍ଲା ଭିମସାରରେ ଚିକିତ୍ସାଧିନ ରହିଛନ୍ତି। ଘଟଣାରେ ସମ୍ପୃକ୍ତଥିବା ୪ରି ଜଣଙ୍କୁ ବୁର୍ଲା ପୁଲିସ ଗିରଫ କରି ଏବଂ ଜେରା କରାଯାଉଥିବା ଜଣାପଡିଛି । ସେହିପରି ଘଟଣାରେ ବ୍ୟବହୃତ ମାରୁତି ସୁଇପ୍ଟ ଡିଜାୟାର କାର ନମ୍ବର ଓଡି୧୫-ଏଫ୍-୩୪୬୯କୁ ପୁଲିସ ଜବତ କରିଛି। ତେବେ ଏଭଳି ଭାବରେ ଦୁଇଗୋଷ୍ଠୀ ସଂଘର୍ଷରେ ଦୁଇଜଣଙ୍କ ଶୋଚନୀୟ ମୃତ୍ୟୁଘଟଣା ପୁଲିସ ପାଇଁ ଏକ ଖୋଲା ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଆଜି ସକାଳୁ ସମ୍ବଲପୁର ଏସପି ଡ଼ଃ କନୱର ବିଶାଲ ସିଂ ଘଟଣାସ୍ଥଳରେ ପହଞ୍ଚି ଏହି ଆକ୍ରମଣ ଘଟଣାର ସ୍ଥିତି ସମିକ୍ଷା କରିଛନ୍ତି। ଏଥିସହିତ ଏସପି ବୁର୍ଲା ଏସଡିପିଓ ଶିଶୁରଞ୍ଜନ ମହାପାତ୍ରଙ୍କ ସମେତ କିଭଳି ତୁରନ୍ତ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଧରାଯିବ ସେ ନେଇ ଆଲୋଚନା କରିଛନ୍ତି। ଏସପି ଡ଼ଃ ସିଂ ଗତକାଲି ଯେଉଁ ଘଟଣାଟି ଘଟିଛି ତାହା ପୂର୍ବ ଶତୃତା କାରଣରୁ ଘଟିଛି ଏବଂ ଘଟଣାରେ ସମ୍ପୃକ୍ତ ଥିବା ଚରି ଜଣଙ୍କୁ କାବୁ କରାଯାଇ ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଛି। ଏହି ଘଟଣାରେ ଯେଉଁ ମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢଉ ଅଭିଯାନ ଜାରି ରଖିଥିବା ଖୁବଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହିତ ଚାର୍ଜସିଟ ମଧ୍ୟ ଯଥାଶୀଘ୍ର ପ୍ରସ୍ତୁତ କରି କୋର୍ଟକୁ ହସ୍ତାନ୍ତର କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ଏହି ଘଟଣାରେ ସମୁଦାୟ ୧୮ ଜଣଙ୍କ ସମ୍ପୃକ୍ତ ରହିଥିବା ପୁଲିସ ଏକ ଲମ୍ବା ତାଲିକା ପ୍ରସ୍ତୁତ କରି ତାଙ୍କର ସୁରାକ ଖୋଜା ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତକାଲି ରାତି ସମୟ ପ୍ରାୟ ୯ ଟା ସମୟରେ ବୁର୍ଲା ସେଣ୍ଟରଲାଇନ ହଠାତ ଏକ ଯୁଦ୍ଧସ୍ଥଳରେ ପରିଣତ ହୋଇଯାଇଥିଲା। କଲୋନୀରେ ବିଭିନ୍ନ କଟୁକଥା ବଚସା ଏବଂ ଗାଳିଗୁଳଜ ପରେ ଏହା ଏକ ଗୋଷ୍ଠୀ ସଂଘର୍ଷର ରୁପ ନେଇଥିଲା। ଗୋଟିଏ ପରିବାର ର ୫ ଜଣଙ୍କୁ ଦୁର୍ବୁତ୍ତ ମାନେ ଭୂଜାଲି, ଚକୁ, କାଠ ଫାଲିଆ, ମଦ ବୋତଲ ଏବଂ ଟାଙ୍ଗିଆ ଆଦି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ସେଠାରେ ରକ୍ତର ନଦୀ ବହିଥିଲା। ତେବେ ଦୁର୍ବୁତ୍ତଙ୍କ ଆକ୍ରମଣରେ ପିତବାସ ବିଶୋଇ (୫୫) ତାଙ୍କ ସ୍ତ୍ରୀ ସଂଗିତା ବିଶୋଇ (୫୧), ବଡ ପୁଅ ବୁଲୁ ବିଶୋଇ (୩୪), ସାନପୁଅ ମୁନା ବିଶୋଇ (୩୦) ଏବଂ ସମ୍ପର୍କିୟ ନରେନ୍ଦ୍ର ଭାଣ୍ଡେକାର(୫୨) ଗୁରୁତର ଭାବେ ଆହତ ହୋଇଥିଲେ। ଏହାପରେ ବିଶୋଇ ପରିବାରର ଜନୈକ ମହିଳାଙ୍କ ଫୋନକଲ ପାଇବା ପରେ ବୁର୍ଲା ପୁଲିସ ଘଟଣା ସ୍ତଳକୁ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆହତ ମାନଙ୍କୁ ଉଦ୍ଧାର କରି ବୁର୍ଲା ଭିମସାରର ଆଶୁଚିକିତ୍ସା ବିଭାଗକୁ ଆଣିଥିଲେ। ତେବେ ସେଠାରେ ଡାକ୍ତର ବୁଲୁ ବିଶୋଇଙ୍କ ମୃତ୍ୟୁ ହୋଇଯାଇଥିବା ପ୍ରକାଶ କରିଥିଲେ। ପୁଣି ମୁଣ୍ଡରେ ଅନେକ ଗଭୀର କ୍ଷତ ସୃଷ୍ଟି ହୋଇଥିବା ମୁନା ବିଶୋଇଙ୍କ ରାତି ପ୍ରାୟ ୨ଟା୪୦ ମିନିଟ ସମୟରେ ଭିମସାରର ଆଶୁଚିକିତ୍ସା ବିଭାଗରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଅନ୍ୟ ବିଶୋଇ ପରିବାର ବର୍ଗଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିବା ସହିତ କୋହ ରହିଥିଲା। ତେବେ ପିତବାଶଙ୍କ ଉଭୟ ପୁଅ ବଡ଼ ଏବଂ ମଝିଆଁ ପୁଅଙ୍କ ଏହି ଆକ୍ରମଣ ଘଟଣାରେ ମୃତ୍ୟୁ ହେବା ପରେ ତାଙ୍କର ସାନପୁଅ କେବଳ ଏହି ଆକ୍ରମଣ ଘଟଣାରୁ ବର୍ତ୍ତି ଯାଇଛି। ତେବେ ପିତବାସଙ୍କ ଅବସ୍ଥାରେ ସଙ୍କଟାପନ୍ନ ରହିଥିବା ବେଳେ ସ୍ତ୍ରୀ ସଙ୍ଗିତା ଏବଂ ସମ୍ପର୍କୀୟ ଶଳା ନରେନ୍ଦ୍ର ମଧ୍ୟ ଗୁରୁତର ଆହତ ହୋଇ ବୁର୍ଲା ଭିମସାରରେ ଚିକିତ୍ସାଧିନ ରହିଛନ୍ତି। ତେବେ ଏଭଳି ଏକ ଘଟଣା ବୁର୍ଲା ସହରରେ ପୁର୍ବରୁ ଘଟି ନ ଥିବା ନେଇ ସ୍ତାନିୟ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇବା ସହିତ ଏହି ଆକ୍ରମଣ ଘଟଣା ପଛର ରହସ୍ୟ ବର୍ତ୍ତମାନ ସୁଦ୍ଧା ପୁର୍ଣ୍ଣ ଭାବରେ ପଦାକୁ ଆସି ପାରି ନ ଥିବା ବେଳେ ପୁର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ବିଶୋଇ ପରିବାର ବର୍ଗଙ୍କ ସଦସ୍ୟ ମାନଙ୍କ ସୁତ୍ରରୁ ପ୍ରକାଶ ପାଇଛି।

Comments are closed.