ବୁର୍ଲା ଆକ୍ରମଣ ଘଟଣାରେ ୨ ଭାଇଙ୍କ ମୃତ୍ୟୁ, ୩ ଗୁରୁତର ୪ ଗିରଫ

ବୁର୍ଲା: ମଙ୍ଗଳବାର ରାତିରେ ବୁର୍ଲା ସେଣ୍ଟର ଲାଇନ କଲୋନୀରେ ଘଟିଥିବା ସଂଘବଦ୍ଧ ଆକ୍ରମଣ ଓ ହତ୍ୟା ଘଟଣାରେ ସମଗ୍ର ଜିଲାବାସୀ ସ୍ତବ୍ଧ ହୋଇଯାଇଛନ୍ତି। ଏଭଳି ଘଟଣା ବୁର୍ଲା ସହରରେ ଆଗରୁ ଘଟି ନଥିବାବେଳେ ଆଉ ଜଣେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ଏହି ଆକ୍ରମଣରେ ମଙ୍ଗଳବାର ରାତି ପ୍ରାୟ ୧୦ଟା ବେଳେ ଆହତ ପୀତବାସଙ୍କ ବଡ଼ ପୁଅ ବୁଲୁ ବିଶୋଇ (୩୪)ଙ୍କ ମୃତ୍ୟୁ ହୋଇଥିବାବେଳେ ବୁଧବାର ଭୋରରୁ ଆଶୁ ଚିକିତ୍ସା ବିଭାଗରେ ଚିକିତ୍ସାଧୀନ ଅବସ୍ଥାରେ ସାନ ପୁଅ ମୁନା ବିଶୋଇ (୩୦)ଙ୍କ ମୃତ୍ୟୁ ହୋଇଛି। ଦୁଇ ଭାଇଙ୍କ ମୃତ୍ୟୁ ସହ ବର୍ତ୍ତମାନ ପରିବାରର ୩ ଜଣ ଗୁରୁତର ଅବସ୍ଥାରେ ଭିମସାରରେ ଚିକିତ୍ସାଧୀନ ରହିଛନ୍ତି। ଘଟଣାରେ ସମ୍ପୃକ୍ତ ଚାରି ଜଣଙ୍କୁ ବୁର୍ଲା ପୁଲିସ ଗିରଫ କରାଯାଇ ଜେରା କରାଯାଉଥିବା ପୁଲିସ ସୂତ୍ରରୁ ପ୍ରକାଶ।

ସେହିପରି ଘଟଣାରେ ବ୍ୟବହୃତ ମାରୁତି ସୁଇଫ୍ଟ ଡିଜାୟାର କାର ନମ୍ବର ଓଡି-୧୫ ଏଫ୍‌-୩୪୬୯କୁ ପୁଲିସ ଜବତ କରିଛି। ତେବେ ଏଭଳି ଭାବରେ ଗୋଷ୍ଠୀ ସଂଘର୍ଷରେ ଦୁଇ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟଣା ପୁଲିସ ପାଇଁ ଏକ ଖୋଲା ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବୁଧବାର ସକାଳୁ ସମ୍ବଲପୁର ଏସପି ଡ. କନୱର ବିଶାଲ ସିଂହ ଘଟଣାସ୍ଥଳରେ ପହଞ୍ଚି ଏହି ଆକ୍ରମଣ ଘଟଣାର ସ୍ଥିତି ସମୀକ୍ଷା କରିଛନ୍ତି। ବୁର୍ଲା ଏସଡିପିଓ ଶିଶୁରଞ୍ଜନ ମହାପାତ୍ରଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀ ମାନଙ୍କ ସହ ମଧ୍ୟ ଆଲୋଚନା କରିଥିବା ଜଣାପଡ଼ିଛି। ଏସପି ଡ. ସିଂହ ଘଟଣାଟି ପୂର୍ବ ଶତ୍ରୁତା କାରଣରୁ ଘଟିଛି ଏବଂ ଘଟଣାରେ ସମ୍ପୃକ୍ତ ଚାରି ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଜାରିଥିବା ଗଣମାଧ୍ୟମକୁ କହିଛନ୍ତି। ଏହାସହିତ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ବେଳେ ଖୁବ ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଚାର୍ଜସିଟ ପ୍ରସ୍ତୁତ କରାଯିବ ବୋଲି ଏସପି ଡ. ସିଂହ ସୂଚନା ଦେଇଛନ୍ତି। ତେବେ ଏହି ଘଟଣାରେ ୧୮ ଜଣ ସମ୍ପୃକ୍ତ ଥିବା ନେଇ ପୁଲିସ ଏକ ତାଲିକା ପ୍ରସ୍ତୁତ କରି ତନାଘନା ଜାରି ରଖିଥିବା ଥିବା ବିଶ୍ୱସ୍ତସୂତ୍ରରୁ ଜଣାପଡ଼ିଛି।

ସୂଚନା ଥାଉ କି ମଙ୍ଗଳବାର ରାତି ପ୍ରାୟ ୯ଟା ସମୟରେ ବୁର୍ଲା ସେଣ୍ଟରଲାଇନରେ ହଠାତ୍ ବଚସା ଓ ଗାଳିଗୁଲଜ ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଗୋଟିଏ ପରିବାରର ୫ ଜଣଙ୍କୁ ଦୁର୍ବୃୃତ୍ତ ମାନେ ଭୂଜାଲି, ଚକୁ, କାଠଫାଳିଆ, ମଦ ବୋତଲ ଏବଂ ଟାଙ୍ଗିଆ ଆଦି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ସେଠାରେ ରକ୍ତର ନଦୀ ବହିଥିଲା। ଦୁର୍ବୃତ୍ତଙ୍କ ଆକ୍ରମଣରେ ପୀତବାସ ବିଶୋଇ (୫୫), ତାଙ୍କ ସ୍ତ୍ରୀ ସଂଗିତା ବିଶୋଇ (୫୧), ବଡ ପୁଅ ବୁଲୁ ବିଶୋଇ (୩୪), ସାନପୁଅ ମୁନା ବିଶୋଇ (୩୦) ଏବଂ ସମ୍ପର୍କିୟ ନରେନ୍ଦ୍ର ଭାଣ୍ଡେକାର(୫୨) ଗୁରୁତର ଭାବେ ଆହତ ହୋଇଥିଲେ। ଏହାପରେ ବିଶୋଇ ପରିବାରର ଜନୈକ ମହିଳାଙ୍କ ଫୋନକଲ ପାଇ ବୁର୍ଲା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆହତ ମାନଙ୍କୁ ଉଦ୍ଧାର କରି ଭିମସାରର ଆଶୁଚିକିତ୍ସା ବିଭାଗକୁ ଆଣିଥିଲେ। ସେଠାରେ ଡାକ୍ତର ବୁଲୁ ବିଶୋଇଙ୍କ ମୃତ୍ୟୁ ହୋଇଯାଇଥିବା ପ୍ରକାଶ କରିଥିଲେ। ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ମୁନା ବିଶୋଇଙ୍କ ରାତି ପ୍ରାୟ ୨ଟା ୪୦ ମିନିଟରେ ଭିମସାରର ଆଶୁଚିକିତ୍ସା ବିଭାଗରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

ଏହି ଘଟଣାକୁ ନେଇ ଅନ୍ୟ ବିଶୋଇ ପରିବାରବର୍ଗଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିବା ସହିତ କୋହ ରହିଥିଲା। ତେବେ ପୀତବାସଙ୍କ ଦୁଇ ପୁଅଙ୍କ ଆକ୍ରମଣରେ ମୃତ୍ୟୁ ହେବା ପରେ ତାଙ୍କର ସାନପୁଅ କେବଳ ଏହି ଆକ୍ରମଣ ଘଟଣାରୁ ବର୍ତ୍ତିଯାଇଛି। ପୀତବାସଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ସ୍ତ୍ରୀ ସଙ୍ଗିତା ଏବଂ ସମ୍ପର୍କିୟ ଶଳା ନରେନ୍ଦ୍ର ମଧ୍ୟ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ବିଶୋଇ ପରିବାରର ସଦସ୍ୟ ମାନଙ୍କ ସୂତ୍ରରୁ ଜଣାପଡ଼ିଛି।

Comments are closed.