ହଜିଗଲା ମାନବିକତା – ଭଡ଼ାଟଙ୍କା ଦେଇ ନ ପାରିବାରୁ ଆମ୍ବୁଲାନସରେ ରୋଗୀକୁ ତାଲା ପକାଇ ପଳାଇଲା ଡ୍ରାଇଭର

ବୁର୍ଲା: ବୁର୍ଲା ଘରୋଇ ଆମ୍ବୁଲାନ୍ସକୁ ନେଇ ରୋଗୀ ସମ୍ପର୍କିୟ ଶୋଷଣର ଶୀକାର ହୋଇ ହଟହଟାର ସମ୍ମୁଖୀନ ହେବା ପରି ଏକ ଅଭାବନୀୟ ଘଟଣା ଆଲୋଚନାର ପ୍ରସଙ୍ଗ ପାଲଟିଛି। ନୂଆଁପଡା ଜିଲ୍ଲା ରାଜ ଖରିଆର ଅଞ୍ଚଳର ସର୍ବେଶ୍ୱର ମାଝି (୩୦) ଏପ୍ରିଲ ୧୫ ତାରିଖରୁ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସା ହୋଇ ଆସୁଥିଲେ। ଡାକ୍ତର ଡିସଚାର୍ଜ କରିବା ପରେ ନିଜ କୁନି ପୁଅ ଓ ତାଙ୍କ ସ୍ତ୍ରୀ ନିଜ ଘରକୁ ଯିବା ପାଇଁ ମାଁ ତାରିଣି ଟ୍ୟାକ୍ସି ଷ୍ଟାଣ୍ଡରୁ ଏକ ଘରୋଇ ଆମ୍ବୁଲାନ୍ସ ମାଲିକ ଛୋଟେଲାଲ୍‍ ଗୁପ୍ତାଙ୍କ ଗାଡି ଭଡାସୁତ୍ରରେ ନେଇଥିଲେ। ମାତ୍ର ଏହା ତାଙ୍କ ପାଇଁ କାଳ ସାଜିଥିଲା।

ଏହି ଆମ୍ବୁଲାନସଟି ୫ ହଜାର ୨୦୦ ଟଙ୍କାରେ ଭଡା ନିର୍ଦ୍ଧାରିତ ହୋଇଥିଲା। ଅସୁସ୍ଥ ସର୍ବେଶ୍ୱରଙ୍କ ପାଖରେ ମାତ୍ର ୧୬୦୦ ଟଙ୍କା ଥିଲା। ତେବେ ଗତ ଶନିବାର ଦିନ ଡ଼ିସଚାର୍ଜ ହୋଇ ଘର ଅଭିମୁଖେ ବାହାରି ଥିଲେ। ଘରେ ରାତିରେ ପହଞ୍ଚ ସେଠାରେ ତାଙ୍କ ପାଖରେ ରହିଥିବା ୧୬୦୦ ଟଙ୍କା ଦେଇ ଅନ୍ୟ ଜଣେ ବ୍ୟକ୍ତି ଏଠାକୁ ବାକି ଟଙ୍କା ନେଇ ଆସୁଥିବା ଫଳରେ ଚାଳକକୁ ଅପେକ୍ଷା କରିବାକୁ କହିଥିଲେ। ମାତ୍ର ଆସିବାରେ ବିଳମ୍ବ ହେବାରୁ ରୋଗୀ ସର୍ବେଶ୍ୱର ଚାଳକକୁ ତାଙ୍କର ବ୍ୟାଙ୍କ ଏକାଉଣ୍ଟ ନମ୍ବର ଦିଅନ୍ତୁ ବାକିତକ ଟଙ୍କା ଏକଉଣ୍ଟରେ ଜମା କରିଦେବି ବୋଲି କହିଥିଲେ। ମାତ୍ର ଚାଳକ ଜଣକ ନ ମାନି ନିଜ ମାଲିକ ଛୋଟେଲାଲକୁ ଫୋନ କରି କଥାହେବା ପରେ ସର୍ବେଶ୍ୱରଙ୍କ ଘର ସମ୍ମୁଖରୁ ରୋଗୀ ସର୍ବେଶ୍ୱର, ତାଙ୍କ ସ୍ତ୍ରୀ ଏବଂ କୁନି ଶିଶୁକୁ ଧରି ବୁର୍ଲାକୁ ଫେରାଇ ଆଣିଥିଲେ।

ବିଳମ୍ବିତ ରାତିରେ ବୁର୍ଲାରେ ପହଞ୍ଚିବା ପରେ ଏକ ନିଛାଟିଆ ସ୍ଥାନରେ ଶୌଚାଳୟ ସମ୍ମୁଖରେ ଆମ୍ବୁଲାନ୍ସ ଭିତରେ ସମସ୍ତଙ୍କୁ ବନ୍ଦ କରି ରଖି ଦିଆଯାଇଥିଲା। ଅନେକ ହଇରାଣ ହରକତ ହୋଇ ଭୋକ ଯନ୍ତ୍ରଣାରେ ସେମାନେ ଡହଳ ବିକଳ ହେବା ସହିତ କୁନି ଶିଶୁ ମଧ୍ୟ ଭୋକରେ ରହିଥିଲା। ପରେ କୌଣସି ମତେ କିଛି ସହୃଦୟ ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ଭିମସାରରେ ଏକ ସ୍ଥାନରେ ଲୁଚାଇ ରଖିଥିଲେ। ସକାଳେ ଖବର ପାଇ ଭିମସାର ବରିଷ୍ଠ ଆବାସିକ ଡାକ୍ତର ଶଙ୍କର ରାମ ଚନ୍ଦାନୀ ମାନବିକତା ଦେଖାଇ ସେମାନଙ୍କୁ ଖାଇବାକୁ ଦେବା ସହିତ ତାଙ୍କୁ ଟ୍ରମା କେୟାର ୟୁନିଟ ମଧ୍ୟରେ ରଖିଥିଲେ। ଡାକ୍ତର ରାମ ଚନ୍ଦାନୀ ତାଙ୍କୁ ସାହାଯ୍ୟ କରି ଘରକୁ ପଠାଇବା ବ୍ୟବସ୍ଥା କରିଥିଲେ। ଡାକ୍ତର ରାମ ଚନ୍ଦାନୀଙ୍କ ଉପସ୍ଥିତିରେ ଉକ୍ତ ରୋଗୀ ଜଣକ ପୁଲିସକୁ ଦେବା ପାଇଁ ଏକ ଅଭିଯୋଗ ପତ୍ର ମଧ୍ୟ ଲେଖିଥିଲେ।

ପରେ ଡ଼ାକ୍ତର ରାମଚନ୍ଦାନି ମଧ୍ୟ ପୁଲିସକୁ ଲିଖିତ ଅଭିଯୋଗ କରିଥିଲେ। ତେବେ ଏହାକୁ ନେଇ ବୁର୍ଲା ମେଡ଼ିକାଲ ଫାଣ୍ଡି ଦାୟିତ୍ୱରେ ରହିଥିବା ଇନିସପେକ୍ଟର ସୁନିତି ପାଣିଗ୍ରାହୀ ଏକ ମାମଲା ରୁଜ୍ଜୁ କରାଯିବା ସହିତ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁଚନା ଦେଇଛନ୍ତି। ପୁଣି ଅମାନବୀୟ ଘଟଣା ଅତ୍ୟନ୍ତ ନିନ୍ଦାଜନକ ମାନବିକତାକୁ ତୀକ୍ଷ୍ନ ଧକ୍କା ସଦୃଶ ହୋଇଥିବା ନୁଆପଡ଼ା ବିଧାୟକ ରାଜେନ୍ଦ୍ର ଢ଼ୋଲକିଆ ନିଜର ପ୍ରତିକ୍ରିୟା ରଖିବା ସହିତ ଯଦିବା ରୋଗୀ ସର୍ବେଶ୍ୱର ଭଡ଼ା ଟଙ୍କା ଦେବାରେ ଅକ୍ଷମତା ପ୍ରକାଶ କରୁଥିଲେ ତା ହେଲେ ଜନ ପ୍ରତିନିଧିଙ୍କ ଦୃଷ୍ଟିକୁ କାହିଁକି ଅଣାଗଲା ନାହିଁ ବୋଲି ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଏହା ସହିତ ଏଭଳି ଅମାନବୀୟ ଘଟଣା ଭିଆଇଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦୃଢ଼ୋକ୍ତି ପ୍ରକଟ କରିଛନ୍ତି। ବୁର୍ଲା ନାଗରିକ କମିଟିର ଆବାହକ ନାରାୟଣ ପତି ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନିୟ ତେଣୁ ଭିମସାର ମଧ୍ୟରେ ପଞ୍ଜିକରଣ ରହିଥିବା ଆମ୍ବୁଲାନସ ବ୍ୟବସ୍ତା ସହିତ ଭିମସାରରୁ କୌଣସି ସ୍ଥାନକୁ ଆମ୍ବୁଲାନସ ଗଲେ ସମସ୍ତ ତଥ୍ୟ ଭିମସାର ନିକଟରେ ରହିବା ନିତାନ୍ତ ଆବଶ୍ୟକ ବୋଲି ବ୍ୟକ୍ତ କରିଛନ୍ତି। ଏହା ସହିତ ଭିମସାରରେ ପ୍ରିପେଡ଼ ଟେକ୍ସି ବା ଆମ୍ବୁଲାନସ ବ୍ୟବସ୍ତା କରାଯିବା ପାଇଁ ଦାବୀ କରିଛନ୍ତି।

Comments are closed.