କେନାଲକୁ ଖସିଲା ବାଇକ : ଶ୍ୱଶୁର ମୃତ, ଜ୍ୱାଇଁ ଜୀବିତ

ବୁର୍ଲା : ବୁର୍ଲା ଥାନା ଅନ୍ତର୍ଗତ ପାୱାର କେନାଲରେ ଏକ ବାଇକ୍ ଖସିପଡ଼ିଥିବା ଜଣାପଡିଛି। ବାଇକରେ ଯାଉଥିବା ଶ୍ୱଶୁର ଓ ଜ୍ବାଇଁଙ୍କ ମଧ୍ୟରୁ ଶ୍ୱଶୁରଙ୍କର ମୃତ୍ୟୁ ହୋଇଥିବାବେଳେ ସନ୍ତରଣ ଜାଣି ଥିବାରୁ ଜ୍ବାଇଁ ରକ୍ଷା ପାଇଯାଇଛନ୍ତି। ବୁର୍ଲା ଅଗ୍ନିଶମ ବିଭାଗର ଯବାନମାନେ ବ୍ୟାପକ ଉଦ୍ୟମ ପରେ ପାଣି ମଧ୍ୟରୁ ମୃତକଙ୍କ ଶରୀରକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ସୂଚନା ଯୋଗ୍ୟ, ଶାସନ ଥାନା ଅଞ୍ଚଳର ପିପଲିପାଲିର ଅଶୋକ ବାଗ୍‍(୫୦) ଏବଂ ତାଙ୍କ ଜ୍ୱାଇଁ ସୁରେନ୍ଦ୍ର କୁସୁମ(୩୦) ଏକ ବାଇକ ଯୋଗେ ହୀରାକୁଦ ନଦୀବନ୍ଧରୁ ବାହାରିଥିବା ପାୱାର ଚ୍ୟାନାଲର ପାର୍ଶ୍ବ ଦେଇ ଚିପିଲିମା ପଟକୁ ଯାଉଥିଲେ। ଦିନ ପ୍ରାୟ ଦୁଇଟା ସମୟରେ ବୁର୍ଲା ଜାତୀୟ ରାଜପଥରୁ ସଂଯୋଗ କରୁଥିବା ପାୱାର କେନାଲ ରାସ୍ତାର ନୂଆ ଝାଙ୍କରପାଲି ଠାରେ ବାଇକଟି ଭାରସାମ୍ୟ ହରାଇଥିଲା। ପରେ ବାଇକ ସହିତ ଉଭୟ ଅଶୋକ ବାଘ ଓ ସୁରେନ କୁସୁମ ପାୱାର କେନାଲ ମଧ୍ୟକୁ ଖସି ପଡ଼ିଥିଲେ। ସୁରେନ୍ଦ୍ର ପହଁରା ଜାଣିଥିବାରୁ କୌଣସି ପ୍ରକାରେ କୂଳକୁ ଚାଲିଆସି ନିଜ ଜୀବନ ରକ୍ଷା କରିବାରେ ସକ୍ଷମ ହୋଇଥିଲେ। ହେଲେ ଅଶୋକ କେନାଲର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଖବର ପାଇ ବୁର୍ଲା ଥାନା ପୁଲିସ ଏବଂ ଅଗ୍ନିଶମ ବିଭାଗ ଘଟଣା ସ୍ତଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଘଟଣାସ୍ଥଳରୁ କିଛି ଦୂର ଆଗରେ ସମ୍ବଲପୁର ଓ ବୁର୍ଲା ଅଗ୍ନିଶମ ବିଭାଗୀୟ କର୍ମଚାରୀମାନେ କେନାଲ ଭିତରୁ ଅଶୋକଙ୍କ ମୃତଦେହ ଉଦ୍ଧାର କରିଥିଲେ। ବୁର୍ଲା ପୁଲିସ ଘଟଣା ବାବଦରେ ଏକ ମାମଲା ରୁଜୁ କରି ଅଶୋକଙ୍କ ମରଶରୀରକୁ ବ୍ୟବଛେଦ ପାଇଁ ବୁର୍ଲା ମେଡ଼ିକାଲକୁ ପଠାଇଛନ୍ତି। ସେପଟେ ବୁର୍ଲା ମେଡ଼ିକଲରେ ସୁରେନ୍ଦ୍ରଙ୍କୁ ଭର୍ତ୍ତି କରାଯାଇ ଥିବା ଜଣାପଡ଼ିଛି।

Comments are closed.