ଭିମସାରରେ ସର୍ପଦଂଶନ ଅନ୍ତସ୍ୱତ୍ୱାଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର ବର୍ଗ, ଭିମସାରରେ ଉତ୍ତେଜନା

ବୁର୍ଲା: ବୁର୍ଲା ଭିମସାରରେ ସାପ କାମୁଡା ପରେ ଚିକିତ୍ସା ପାଇଁ ଆସିଥିବା ଅନ୍ତସ୍ବତ୍ବାଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ ହୋଇଛି। ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅର୍ନ୍ତଗତ ନିରଗୁଣି ପଡାର ଦିଲ୍ଲିପ ଓରାମଙ୍କ ୨୩ ବର୍ଷିୟା ସ୍ତ୍ରୀ ସୁଷମା ଓରାମଙ୍କୁ ଶନିବାର ରାତିରେ ସାପ କାମୁଡି ଥିଲା ।ପରିବାର ଲୋକ ତାଙ୍କୁ ସଙ୍ଗେସଙ୍ଗେ ବୁର୍ଲା ମେଡ଼ିକାଲକୁ ଆଣିଥିଲେ । ସେଠାରେ ଆଶୁଚିକିତ୍ସା ବିଭାଗରେ ଡାକ୍ତର ସୁଷମାଙ୍କୁ ଦେଖିବା ପରେ ରକ୍ତ ପରୀକ୍ଷା କରିଥିଲେ ଏବଂ ତାଙ୍କ ଦେହରେ ବିଷ ନ ଥିବା କହିଥିଲେ। ତାଙ୍କୁ ମହିଳା ମେଡ଼ିସିନ ବିଭାଗକୁ ପଠାଇ ଦେଇଥିଲେ। ସେଠାରେ ସେ ବାନ୍ତି କରିବା ଆରମ୍ଭ କରିଥିଲେ। ତାଙ୍କ ପୁର୍ଣ୍ଣ ମାତ୍ରାରେ ଅସୁସ୍ଥ ହେବାରୁ ଘରଲୋକେ ଡାକ୍ତରଙ୍କୁ କହିଥିଲେ। ତେବେ ଡାକ୍ତର ପ୍ରାୟ ୫ ଘଣ୍ଟା ପରେ ଆସି ତାଙ୍କ ଦେହରେ ବିଷ ବ୍ୟାପି ଯାଇଥିବା କହିଥିଲେ ଏବଂ ପୁଣି ଥରେ ଚିକିତ୍ସା ଆରମ୍ଭ କରିଥିଲେ । ଏହାପରେ ପ୍ରାୟ ୮ ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ଖବର ଶୁଣି ପରିବାର ଲୋକେ ଭାଙ୍ଗି ପଡିବା ସହିତ ଡ଼ାକ୍ତରଙ୍କ ଚିକିତ୍ସା ଅବହେଳା ଯୋଗୁଁ ସୁଷମାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଆଣି କହିଛନ୍ତି ଆଶୁଚିକିତ୍ସା ବିଭାଗରେ ଦାୟିତ୍ୱରେ ଥିବା ଜନୈକ ଡାକ୍ତର ସୁଷମାଙ୍କ ଦେହରେ ବିଷ ନ ଥିବା କହିବା ପରେ ପୁଣି ମହିଳା ମେଡିସିନ ବିଭାଗରେ ଦାୟିତ୍ୱରେ ଥିବା ଜନୈକ ଡାକ୍ତର ବିଷଥିବା କହିଥିଲେ ଏବଂ ଚିକିତ୍ସା ଅବସ୍ଥାରେ ସୁଷମାଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ବୁର୍ଲା ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ପରିବାର ବର୍ଗ ସୁଷମାଙ୍କ ଦେହରେ ବିଷ ନଥିବା କହିଥିବା ଡ଼ାକ୍ତରଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ନିଆଯିବା ପାଇଁ ଦାବୀ କରିଥିଲେ। ମେଡିକାଲରେ ବୁର୍ଲା ଥାନା ଅଧିକାରୀ ବିଭୁତି ଭୂଷଣ ଭୋଇ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ପରିସ୍ତିତି ଶାନ୍ତ ପଡିଥିଲା। ପରେ ପୁଲିସ ଶବଜବତ କରିବା ସହିତ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି। ତେବେ ଶବବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ ସୁତ୍ରରୁ ସୂଚନା ମିଳିଛି।

Comments are closed.