ଖୁବଶୀଘ୍ର ଭିମସାରରେ ହେବ କରୋନା ପରୀକ୍ଷା କେନ୍ଦ୍ର

ବୁର୍ଲା : ପଶ୍ଚିମ ଓଡିଶାବାସୀଙ୍କ ପାଇଁ ଖୁସି ଖବର ଆସିଯାଇଛି। ଖୁବଶୀଘ୍ର ବୁର୍ଲା ମେଡିକାଲରେ ଆରମ୍ଭ ହେବ କରୋନା ପରୀକ୍ଷା ବ୍ୟବସ୍ଥା। ପୂର୍ବରୁ ସନ୍ଦିଗ୍ଧମାନଙ୍କ ପରୀକ୍ଷା ରିପୋର୍ଟ ପାଇବା ପାଇଁ ହେଲେ ତିନି ଦିନ ସମୟ ଲାଗୁଥିଲା କାରଣ ତାହା ବାହାରୁ ଆସୁଥିଲା। ଫଳରେ ଜଣେ ସଂନ୍ଦିଗ୍ଧଙ୍କ ରିପୋର୍ଟ ଆସିବା ପର୍ଯ୍ୟନ୍ତ ରୋଗ ଅନ୍ୟମାନଙ୍କୁ ବ୍ୟାପିବାର ସମ୍ଭାବନା ରହିଥିଲା। ଏହାକୁ ଦୃଷ୍ଟିରେ ରଖି ଭିମସାର କନିଷ୍ଠ ଡାକ୍ତର ସଂଘ ପକ୍ଷରୁ ବୁର୍ଲା ଏବଂ ବ୍ରହ୍ମପୁରରେ ମଧ୍ୟ କରୋନା ରୋଗ ପରୀକ୍ଷା କେନ୍ଦ୍ର ଖୋଲାଯିବା ପାଇଁ ଦାବି ହୋଇଥିଲା। ତେବେ ସରକାର ଏହାକୁ ସ୍ୱୀକୃତି ଦେଇଥିବା ଜଣାପଡିଛି। ଏହି କରୋନା ପରୀକ୍ଷା ପାଇଁ ଭାଇରୋଲୋଜି ପରୀକ୍ଷା କେନ୍ଦ୍ର ଭିମସାର ମେଡ଼ିକାଲ କଲେଜର ମାଇକ୍ରୋବାୟୋଲୋଜି ବିଭାଗ ନିକଟରେ ହେବ ବୋଲି ଭିମସାର ଅଧିକ୍ଷକ ପ୍ରଫେସର ଜୟଶ୍ରୀ ଦୋରା ସୂଚନା ଦେଇଛନ୍ତି।

ତେବେ ଇତିମଧ୍ୟରେ ଭିମସାର କନିଷ୍ଠ ଡାକ୍ତର ସଂଘ ତରଫରୁ ଦାବି ହୋଇଥିଲା ଯେ, ନିକଟ ଅତିତରେ କିଛି ରାଜନେତା ଏବଂ ସମାଜସେବୀ ମେଡିକାଲ ଭିତରେ ମାସ୍କ ବଣ୍ଟନ କରୁଥିଲେ। ଫଳରେ ଏହି ମାସ୍କ ଜରୂରୀ ଥିବା ବ୍ୟକ୍ତିଙ୍କୁ ମିଳି ନ ଥିଲା। ଫଳରେ ମେଡିକାଲରେ କାମ କରୁଥିବା ଡାକ୍ତର ଏବଂ କର୍ମଚାରୀମାନେ ମାସ୍କ ଶଙ୍କଟର ଶିକାର ହୋଇଛନ୍ତି। ତେବେ କନିଷ୍ଠ ଡାକ୍ତର ସଂଘ ଏଭଳି ମାସ୍କ ବଣ୍ଟନକୁ ବନ୍ଦ କରିବା ପାଇଁ ଦାବି କରିଥିଲେ। ତେବେ ଡାକ୍ତରମାନଙ୍କ ଏହି ଦାବି ମଧ୍ୟ ପୁରଣ ହୋଇଛି। ଏଥିସହିତ ଡାକ୍ତରମାନେ କରୋନା ରୋଗ ବା କୋଭିଡ଼-୧୯ର ମୁକାବିଳା ପାଇଁ ପୁରା ପ୍ରସ୍ତୁତ ଥିବା ବେଳେ ତାଙ୍କ ପାଇଁ ଜରୂରୀ ଉପକରଣ ବା ଜରୁରୀ ବ୍ୟବସ୍ଥା ଯୋଗାଇ ଦିଆଯିବା ପାଇଁ ଦାବି କରିଥିଲେ। ତେବେ ତାଙ୍କ ସବୁ ଦାବି ସରକାର ଅଗ୍ରାଧିକାର ନେଇ ଗ୍ରହଣ କରିଥିବା ଏବଂ ମାନିଥିବା ଭିମସାର ଜେଡିଏ ସଭାପତି ଡାକ୍ତର ସଞ୍ଜିବ ମିଶ୍ର ସୂଚନା ଦେଇଛନ୍ତି।

Comments are closed.