ସମ୍ବଲପୁର ବିଶ୍ୱବିଦ୍ୟାଳୟ: ଇଏସଆଇ ଲାଗୁ ହେଉନି, ଆମରଣ ଅନଶନରେ ବସିଲେ କର୍ମଚାରୀ

ବୁର୍ଲା: ଓଡ଼ିଶା ସରକାରଙ୍କ ବିଜ୍ଞପ୍ତି (ନମ୍ବର ୧୯୪୫ ତା୨୫/୦୮/୨୦୧୧ରିଖ) ଏବଂ ଶ୍ରମ ଓ ନିୟୋଜନ ବିଭାଗ ସଂଖ୍ୟା ୭୭୫୨-ଏସଏସ-୨-ଏସସି-୪୨ ତା୨୪/୦୮/୨୦୧୧ରିଖ/ଏଲଇ ଅନୁସାରେ ସମସ୍ତ ଶୈକ୍ଷିକ ସଂସ୍ଥାନରେ(ଯେଉଁଠି ୧୦ରୁ ଊର୍ଦ୍ଧ୍ବ କର୍ମଚାରୀ କାମ କରୁଛନ୍ତି ଓ ୧୫,୦୦୦/-ରୁ କମ ଦରମା ପାଉଥିଲେ) ଇଏସଆଇ ଯୋଜନା କାର୍ଯ୍ୟକାରୀ ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ଦୀର୍ଘ ଦଶନ୍ଧି ଧରି କାର୍ଯ୍ୟ କରି ଆସୁଥିବା ସାମୟିକ ଠିକା ଭିତ୍ତିକ କର୍ମଚାରୀମାନଙ୍କୁ ଏଥିରୁ ଦୁରେଇ ରଖିବା ସହିତ ଏହାକୁ ଲାଗୁ କରୁ ନ ଥିବା ସମ୍ବଲପୁର ବିଶ୍ୱବିଦ୍ୟାଳୟର କର୍ମଚାରୀ ଦିନବନ୍ଧୁ ମିଶ୍ର ଅଭିଯୋଗ ଆଣି ସୋମବାର ସକାଳୁ ପ୍ରଶାସନିକ କୋଠା ସମ୍ମୁଖରେ ଆମରଣ ଅନଶନରେ ବସିରହିଛନ୍ତି।

ମିଶ୍ର ଜଣେ ହୃଦରୋଗୀ ହୋଇଥିବା ସତ୍ୱେ ତାଙ୍କୁ ଚିକିତ୍ସା ସମ୍ବନ୍ଧୀୟ ରାଶି ପ୍ରଦାନ କରିବା ପରିବର୍ତ୍ତେ ଋଣ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି। ଯାହାଦ୍ୱାରା ସେହି ଋଣର ରାଶିକୁ ମିଶ୍ରଙ୍କ ଦରମାରୁ କାଟିନେବା କର୍ତ୍ତୃପକ୍ଷଙ୍କ ଦ୍ୱାରା ସହଜ ହେବ। ସେଇ ଅନୁଯାୟୀ ସେମାନେ ମଧ୍ୟ ମିଶ୍ରଙ୍କୁ ପ୍ରଦାନ କରାଯାଇଥିବା ୨ ଲକ୍ଷ ଟଙ୍କାର ଋଣ ବିରୁଦ୍ଧରେ ମାସକୁ ୩୦୦୦ ଟଙ୍କା  ଦରମାରୁ କାଟି ରଖୁଥିବା ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ବାରମ୍ବାର ନିର୍ଦ୍ଦେଶ ସତ୍ୱେ ଆଜି ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଜାଣିଶୁଣି ଇଏସଆଇ ଯୋଜନା କାର୍ଯ୍ୟକାରୀ କରି ନ ଥିବା ଅନଶନରତ ମିଶ୍ର ଗୁରୁତର ଅଭିଯୋଗ ଆଣିବା ସହିତ ନିଜ ସଂସ୍ଥାର ପଞ୍ଜିକରଣ ମଧ୍ୟ କରିନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି।

ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କମିଟି ବୈଠକରେ ବିଗତ ତା୨୮/୩/୨୦୨୦ରିଖ ରିଜୋଲ୍ୟୁଶନ ନମ୍ବର ୬୦ ଅନୁସାରେ ମଧ୍ୟ ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ତଥାପି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଦ୍ୟାବଧି ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ମିଶ୍ର ଅଭିଯୋଗ ଆଣିଛନ୍ତି। ଆଜି ସୋମବାର ସକାଳୁ  ମିଶ୍ର ପ୍ରଶାସନିକ କୋଠା ସମ୍ମୁଖରେ ଆମରଣ ଅନଶନରେ ବସିରହିଛନ୍ତି। ପୂର୍ବରୁ ୧୫ ଦିନ ତଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏହି ଦାବି ପୂରଣ କରାଯିବା ଦିଗରେ ନୋଟିସ ପ୍ରଦାନ କରିବା ସହିତ ସମାସ୍ୟାର ସମାଧାନ ନ ହେଲେ ଆମରଣ ଅନଶନରେ ବସିବେ ବୋଲି ଲିଖିତ ଆକାରରେ ଦେଇଥିଲେ। ସେପଟେ ବର୍ତ୍ତମାନ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ରହିଛି। ପୂର୍ବରୁ ହୃଦରୋଗରେ ପୀଡ଼ିତ ହେବା ପରେ ତାଙ୍କର ଓପର ହାର୍ଟ ସର୍ଜରୀ ହୋଇଛି। ସୂଚନାଯୋଗ୍ୟ, ୨୦୧୧ରୁ ଅଦ୍ୟାବଧି ଅନେକ ଠିକା କର୍ମଚାରୀ ଚିକିତ୍ସା ଅଭାବରୁ ଇଏସଆଇ ଭୁକ୍ତ ନ ହୋଇ ମୃତ୍ୟୁବରଣ କରିଛନ୍ତି। ଅନେକେ ଅନୁପଯୁକ୍ତ ଚିକିତ୍ସା ବିନା ଦୁର୍ଦ୍ଦିନରେ ସମୟ କାଟୁଥିବା ଦୃଷ୍ଟାନ୍ତ ମଧ୍ୟ ରହିଛି।

 

Comments are closed.