ଭାରତର ତ୍ରିରଙ୍ଗାରେ ଆଲୋକିତ ହେଲା ବୁର୍ଜ ଖଲିଫା

ଦୁର୍ଦ୍ଦିନରେ ଭାରତକୁ ଦୃଢ ସମର୍ଥନ ଜଣାଇଲା ୟୁଏଇ

ନୂଆଦିଲ୍ଲୀ: ବିଶ୍ୱର ସର୍ବୋଚ୍ଚ ସୋୖଧ ଭାବରେ ପରିଗଣିତ ଦୁବାଇର ବୁର୍ଜ ଖଲିଫା ରବିବାର ରାତିରେ ଭାରତର ଜାତୀୟ ପତାକାରେ ଆଲୋକିତ ହୋଇଥିଲା। ତତ୍‍ସହିତ ସେଠାରେ ଆଲୋକରେ ଲେଖାଯାଇଥିଲା ‘ଭାରତ ମଜଭୁତ ରୁହ’ (ଷ୍ଟେ ଷ୍ଟ୍ରଙ୍ଗ ଇଣ୍ଡିଆ)। ଭାରତରେ କୋଭିଡ-୧୯ର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଭୟାନକ ପରିସ୍ଥିତି ସୃଷ୍ଟି କରିଥିବାବେଳେ ଏଭଳି ଏକ ପ୍ରୟାସ ସହିତ ସଂଯୁକ୍ତ ଆରବ ଏମିରେଟ୍‍ସ ଭାରତ ସହିତ ମଜଭୁତ ଭାବରେ ଛିଡା ହୋଇଥିବା ବାର୍ତ୍ତା ଦେଇଛି। ଏଥିସହିତ ଆବୁଧାବିଠାରେ ଥିବା ଆଡନକ ମୁଖ୍ୟ ଦପ୍ତରରେ ମଧ୍ୟ ଭାରତୀୟ ଜାତୀୟ ପତାକା ଆଲୋକରେ ପ୍ରଦର୍ଶିତ ହୋଇଥିଲା। ୟୁଏଇରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ପବନ କପୁର ଟ୍ୱିଟ୍‍ କରି ଏହା ଜଣାଇଛନ୍ତି। ସେ କହିଛନ୍ତି ଯେ ଏଭଳି ଜଟିଳ ସମୟରେ ୟୁଏଇର ଦୃଢ ସମର୍ଥନ ପାଇଁ ଭାରତ ୟୁଏଇକୁ ସାଧୁବାଦ ଜଣାଇଛି। ତେବେ ନିଜ ଦେଶର ନାଗରିକଙ୍କୁ ସୁରକ୍ଷିତ ରଖିବା ପାଇଁ ୟୁଏଇ କର୍ତ୍ତୃପକ୍ଷ ଗତ ରବିବାର ଠାରୁ ଦଶଦିନ ପାଇଁ ଭାରତୀୟଙ୍କର ୟୁଏଇ ଆଗମନ ଉପରେ କଟକଣା ଲଗାଇଛନ୍ତି। କିନ୍ତୁ ୟୁଏଇକୁ ଭାରତରୁ ଆସୁଥିବା ବିମାନସେବା ଜାରି ରହିବ ଏବଂ ଏହି କଟକଣା ୟୁଏଇ ନାଗରିକ, କୂଟନୈତିକ ପାସପୋର୍ଟଧାରୀ ଏବଂ ସରକାରୀ ପ୍ରତିନିଧିମଣ୍ଡଳୀ କ୍ଷେତ୍ରରେ ପ୍ରଯୁଜ୍ୟ ହେବନାହିଁ। ଇତିମଧ୍ୟରେ ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ନ୍ୟୁଜିଲାଣ୍ଡ, ହଂକଂ, ଓମାନ ଏବଂ ପାକିସ୍ତାନ ଆଦି ଅନେକ ରାଷ୍ଟ୍ର ଭାରତୀୟ ନାଗରିକଙ୍କର ଏହିସବୁ ରାଷ୍ଟ୍ରକୁ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି।

Comments are closed.