ଶ୍ମଶାନ ପାଲଟିଲା ସ୍ୱର୍ଗର ପୁଷ୍ପବିହାର

ବେଗୁନିଆ: ଜଣେ ଯୁବକଙ୍କ ଅଭିନବ ପ୍ରୟାସ ଏବଂ ତାଙ୍କ ସହଯୋଗୀ ବନ୍ଧୁମାନଙ୍କ ଦ୍ୱାରା ପରିବେଶ ସୁରକ୍ଷା ହେବା ସହ ସୁନ୍ଦର ପରିବେଶ ସୃଷ୍ଟି ହୋଇପାରିଛି ବେଗୁନିଆ ବ୍ଲକ ଅନ୍ତର୍ଗତ ଡିଙ୍ଗର ଗ୍ରାମ ଶ୍ମଶାନରେ। ଏହା ବ୍ୟତୀତ ଲୋକଙ୍କ ମନରେ ଶ୍ମଶାନ ପ୍ରତି ଥିବା ଭୟ, ଛୁଆଁ ଛୁତି ଓ ଅନ୍ଧବିଶ୍ୱାସ ଦୂର କରିବା ପାଇଁ ସେ ଅହରହ ଚେଷ୍ଟା କରି ଆସୁଛନ୍ତି। ସେହି ଆଦର୍ଶ ଓ ନିଃସ୍ଵାର୍ଥପର ଯୁବକ ଜଣକ ହେଲେ ଡିଙ୍ଗର ଗ୍ରାମର ବିଶ୍ଵନାଥ ମାର୍ଥା (୪୨)। ତାଙ୍କର ଅକ୍ଲାନ୍ତ ପରିଶ୍ରମ ଏବଂ ଅନ୍ୟ ପାଇଁ କିଛି କରିବାର ଆଗ୍ରହ ଯୋଗୁଁ ସେ ଗ୍ରାମ ନିକଟ ଶ୍ମଶାନକୁ ପୁଷ୍ପ ବିହାରରେ ପରିଣତ କରିଛନ୍ତି। ତାଙ୍କର ମୁଖ୍ୟ ସହଯୋଗୀ ବିମ୍ବାଧର ମହାରଣା, ସୋମନାଥ ସାହୁ ଓ ଅନ୍ୟାନ୍ୟ ଗ୍ରାମବାସୀବୃନ୍ଦଙ୍କ ସାହାଯ୍ୟ ସହଯୋଗକୁ ଆଜିବି ଭୁଲିପାରୁନାହାନ୍ତି ସ୍ଥାନୀୟ ଲୋକମାନେ। ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ବେଗୁନିଆ ପୋଷ୍ଟଅପିସ ଛକ ଠାରୁ ୫କି.ମି ଦକ୍ଷିଣ ଦିଗକୁ ଗଲେ ବିଶ୍ଵନାଥ ମାର୍ଥାଙ୍କ ଜନ୍ମସ୍ଥାନ ଡିଙ୍ଗର ଗ୍ରାମ ଅବସ୍ଥିତ। ଶ୍ରୀ ମାର୍ଥାଙ୍କର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହୋଇ ନ ଥିବା ବେଳେ ସେ ପଥର ଖୋଦେଇ କରି ପରିବାର ପ୍ରତିପୋଷଣ କରନ୍ତି । ଅନେକ ବାର ଶବ ସହିତ ଶ୍ମଶାନକୁ ଯାଇ ତାଙ୍କ ମନରେ ଦୁଃଖ ଆସିଥିଲା । ଶବଟିକୁ ଶ୍ମଶାନକୁ ନିଆଯାଇ ଶୁଖୁଆ ମାଛ ପରି ଟାୟାର ଏବଂ କିରୋସିନ ଦ୍ୱାରା ଶବଦାହ କରାଯାଉଥିଲା। ତେଣୁ ଏଇ ସବୁ ପରିସ୍ଥିତିକୁ ଉପଲବ୍ଧି କରି ଏବଂ ପରିବେଶର ସୁରକ୍ଷା ପାଇଁ ସେ ୨୦୧୫ମସିହାରେ ଘରୁ ବାହାରି ୨୦୧୭ମସିହାରେ ଗ୍ରାମ ନିକଟରେ ଥିବା ଶ୍ମଶାନର କଣ୍ଟାବୁଦାକୁ ସଫାକରି ଫୁଲଗଛ ଓ ଔଷଧୀୟ ବୃକ୍ଷ ଲଗାଇବା ଆରମ୍ଭ କରିଥିଲେ । ତାଙ୍କର ଏହି କାର୍ୟ୍ୟକୁ ସେତେବେଳେ କିଛି ଲୋକ ଦେଖି ଅଟହାସ୍ୟ କରିବା ସହ ପାଗଳାମି ବୋଲି କହୁଥିଲେ । କିନ୍ତୁ ସେଥିପ୍ରତି ସେ ଭ୍ରୁକ୍ଷେପ ନ କରି କିମ୍ବା ଭାଙ୍ଗି ନ ପଡି ନିଜ ପ୍ରଚେଷ୍ଟାରେ ଦିନରାତି ଏକାକାର କରି ଶ୍ମଶାନକୁ ସୁନ୍ଦର ଉଦ୍ୟାନରେ ପରିଣତ କରିବା ପାଇଁ ଲାଗିପଡ଼ିଥିଲେ। ଅନ୍ୟ ପକ୍ଷରେ ବିଶ୍ଵନାଥ ଶ୍ମଶାନକୁ ପୁଷ୍ପ ଉଦ୍ୟାନରେ ପରିଣତ କରି ସେ ବସିପଡ଼ି ନ ଥିଲେ। ତାଙ୍କ ସାଥି ବନ୍ଧୁମାନଙ୍କ ଦ୍ଵାରା ଶ୍ମଶାନରେ ବୈଦିକ ପଦ୍ଧତିରେ ଏକ ଶବଦାହ ଚୁଲା ନିର୍ମାଣ କରିଛନ୍ତି । ସେହି ଚୁଲାର ଗଭୀର ୪ଫୁଟ, ଓସାର ୩ଫୁଟ, ଲମ୍ବ ଗୋଟିଏ ମନୁଷ୍ୟର ଆକୃତି ଅର୍ଥାତ ୬ରୁ ସାଢେ ୬ଫୁଟ ଓ ତଳ ଭୂମି ପତନ ଉପରଆଡୁ କମିକମି ଯଜ୍ଞ କୁଣ୍ଡ ପରି ରହିଛି। ଯାହାକୁ ବୈଦିକ ପଦ୍ଧତିର ଯଜ୍ଞ କୁଣ୍ଡ ବା ଅନ୍ତ୍ୟୋଷ୍ଟି ସଂସ୍କାରର ସ୍ଥାନ କୁହାଯାଉଛି । ସେହି ଚୁଲାରେ ପ୍ରାୟ ୫୦ପ୍ରତିଶତ ଜାଳେଣି କାଠ କମ ଖର୍ଚ୍ଚ ହେଉଛି ଏବଂ ବାୟୁ ପ୍ରଦୂଷଣକାରକ ଭାବେ ବ୍ୟବହୃତ ହେଉଥିବା ଟାୟାର, କିରୋସିନି ଆଦିକୁ ବାରଣ କରାଯାଇ ଘୃତ, ଶାକଲ୍ୟ, ଝୁଣା, କର୍ପୁର ଆଦି ବ୍ୟବହାରକରି ଶବଟିକୁ ପୁଷ୍ପ ଦ୍ଵାରା ସମ୍ମାନିତ କରାଯାଇ ବେଦ ପାଠ କରିବା ପରେ ଶବ ଦାହ କରାଯାଏ ।

ଏ ସମ୍ପର୍କରେ ବିଶ୍ଵନାଥ କୁହନ୍ତି ଯେ, ସେ କେତେକ ଅଭିଳାଷ ନେଇ ଘରୁ ଗୋଡ଼ କାଢିଥିଲେ । ସମାଜକୁ ସ୍ୱଚ୍ଛତାର ବାର୍ତ୍ତା ଦେବା ସହିତ ନିଜେ ସ୍ୱଚ୍ଛତା ରକ୍ଷା କରିବା, ଅନ୍ଧବିଶ୍ୱାସ ଭୂତ ପ୍ରେତ ଓ ଛୁଆଁ ଛୁତି ଲୋକଙ୍କ ମନରୁ ଦୂରକରିବା, ପରିବେଶ ସୁରକ୍ଷା ପାଇଁ ବନୀକରଣ, ମାଟି ମା’ର ସେବା ଓ ନିଜର ଆତ୍ମକଲ୍ୟାଣ ପାଇଁ ସେ ପ୍ରୟାସ ଜାରି ରଖିଛନ୍ତି । ଶ୍ମଶାନରେ ଥିବା ଅପନ୍ତରାକୁ ସଫା କରି ସ୍ୱର୍ଗର ପୁଷ୍ପ ବିହାରରେ ପରିଣତ କରିବାପରେ ବିଶ୍ୱନାଥ ଓ ମୁଖ୍ୟ ସହଯୋଗୀ ବିମ୍ବାଧର ପିତୃ ପୁରୁଷ ଓ ବୁଲୁଥିବା ଅତୃପ୍ତ ଆତ୍ମାର ଶାନ୍ତି ପାଇଁ ଓ ଦେଶ ପାଇଁ ପ୍ରାଣବଳି ଦେଇଥିବା ବୀର ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ସାମୁହିକ ଦୀପଦାନ ଦେଇ ଦୀପାବଳି ଉତ୍ସବଟିକୁ ଗ୍ରାମବାସୀ ଦୀନବନ୍ଧୁ, ଖୁକା, ଅଭିମନ୍ୟୁ, ମଦନ ମୋହନ, ଧଡିଆ, ସୁବାସ, ଗୋପାଳ, ଯୁଗଳ, ଲଳିତ ନାରାୟଣ, ସନ୍ତୋଷ, ଜିତେନ୍ଦ୍ର, ମାନସ, କାର୍ତ୍ତିକ ଏବଂ ଗ୍ରାମବାସୀଙ୍କ ଗହଣରେ ଶ୍ମଶାନରେ ଧୂମଧାମରେ ପାଳନ କରାଯାଇଥାଏ । ଏହାସହିତ ରକ୍ତ ଦାନ ଓ ଅସହାୟ ବ୍ୟକ୍ତିମାନଙ୍କ ସହାୟତା ପାଇଁ ବେଗୁନିଆରେ ଭରସା ଜରାଶ୍ରମ ଗଠନର ପ୍ରୟାସ ଜାରି ରଖିଛନ୍ତି । ଦୈନନ୍ଦିନ ସକାଳେ ଓ ସନ୍ଧ୍ୟା ବେଳେ ଏହି ଶ୍ମଶାନକୁ ଯୁବକ ଓ ପିଲାମାନେ ବୁଲିବାକୁ ଆସି ଯୋଗ, ବ୍ୟୟାମ, ପ୍ରାଣାୟାମ ଆଦି କରିଥାନ୍ତି । ସରକାରଙ୍କ ତରଫରୁ ସେଠାରେ ନଳକୂପଟିଏ ଯୋଗାଇ ଦିଆଯାଇଥିବା ବେଳେ ଗଛ ଲତା ଏବଂ ଶ୍ମଶାନର ସୁରକ୍ଷା ପାଇଁ ପ୍ରାଚୀର ନିର୍ମାଣ, ଆଲୋକୀକରଣ ଏବଂ ଶବଦାହ ସମୟରେ ବ୍ୟକ୍ତିମାନଙ୍କ ବିଶ୍ରାମ ପାଇଁ ଏକ ବିଶ୍ରାମଗାର ନିର୍ମାଣ କରିବାପାଇଁ ଗ୍ରାମବାସୀମାନେ ଦାବୀ କରିଛନ୍ତି।

Comments are closed.