ବୁମ୍‌ରା : ଦ୍ରୁତତମ ଭାରତୀୟ ପେସର ଭାବେ ୧୦୦ ୱିକେଟ

ଲଣ୍ଡନ୍‌ : ଓଭାଲ୍‌ରେ ଘରୋଇ ଇଂଲଣ୍ଡ ବିପକ୍ଷରେ ୪ର୍ଥ ଟେଷ୍ଟମ୍ୟାଚ୍‌ରେ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଭାରତୀୟ ଫାଷ୍ଟବୋଲର ଯଶପ୍ରୀତ ବୁମ୍‌ରା। ଭାରତୀୟ ପେସ୍ ବୋଲରଙ୍କ ମଧ୍ୟରେ ସବୁଠାରୁ କମ୍ ଟେଷ୍ଟମ୍ୟାଚ୍‌ରେ ୧୦୦ ୱିକେଟ ନେବାର ରେକର୍ଡ ବୁମ୍‌ରା ହାସଲ କରିଛନ୍ତି। ସୋମବାର ମ୍ୟାଚ୍‌ର ୫ମ ତଥା ଅନ୍ତିମ ଦିନରେ ଇଂଲଣ୍ଡର ବ୍ୟାଟ୍‌ସମ୍ୟାନ୍ ଓଲି ପୋପ୍‌ଙ୍କୁ ବୋଲ୍‌ଡକରି ବୁମ୍‌ରା ୧୦୦ତମ ଟେଷ୍ଟ ୱିକେଟ ପୂରଣ କରିଥିଲେ। ଏହି କ୍ରମରେ ବୁମ୍‌ରା ଭାରତୀୟ କିମ୍ବଦନ୍ତୀ ଅଲ୍‌ରାଉଣ୍ଡର କପିଳ ଦେବଙ୍କୁ ଅତିକ୍ରମ କରିଛନ୍ତି। କପିଳ ୨୫ଟି ଟେଷ୍ଟମ୍ୟାଚ୍‌ରେ ୧୦୦ ୱିକେଟରେ ପହଞ୍ଚିଥିବା ବେଳେ ବୁମ୍‌ରା ତାଙ୍କ ୨୪ତମ ଟେଷ୍ଟରେ ଏହି କୃତିତ୍ବ ହାସଲ କରିଛନ୍ତି। ଏହି ମ୍ୟାଚ୍‌ ପୂର୍ବରୁ ବୁମ୍‌ରା ୨୩ଟି ଟେଷ୍ଟରୁ ୯୭ଟି ଟେଷ୍ଟ ୱିକେଟ ନେଇଥିଲେ। ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟରେ ୨ଟି ୱିକେଟ ନେବା ପରେ ନୂତନ କୀର୍ତ୍ତିମାନ ପାଇଁ ବୁମ୍‌ରା ଆଉ ଗୋଟିଏ ୱିକେଟ ହାସଲ କରିଥିଲେ। ପୂର୍ବତନ ଭାରତୀୟ ବାମହାତି ପେସ୍ ବୋଲର ଇର୍ଫାନ୍ ପଠାନ୍ ୨୮ଟି ଟେଷ୍ଟରେ ୧୦୦ ଟେଷ୍ଟ ୱିକେଟ ପୂରଣ କରିଥିଲେ। ତେବେ ଭାରତୀୟ ବୋଲର ଭାବେ ସବୁଠାରୁ କମ୍ ଟେଷ୍ଟମ୍ୟାଚ୍‌ରେ ୧୦୦ ୱିକେଟ ନେବାର କୃତିତ୍ବ ଅଫ୍‌ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କ ନାମରେ ଥିଲା। ୨୦୧୩ରେ ମାତ୍ର ୧୮ଟି ଟେଷ୍ଟରେ ଅଶ୍ବିନ ୧୦୦ ୱିକେଟ ପୂରଣ କରିଥିଲେ।

Comments are closed.