ସ୍ନାଇପର ଆକ୍ରମଣର ମୁକାବିଲା ପାଇଁ ବିଏସ୍‍ଏଫ୍‍ର ନୂଆ ଯୋଜନା : ‘ପେରିସ୍କୋପ’ ଖଚିତ ସ୍ୱତନ୍ତ୍ର ବଙ୍କର

0

ନୂଆଦିଲ୍ଲୀ : ପାକିସ୍ତାନୀ ସ୍ନାଇପରଙ୍କ ଆକ୍ରମଣରେ ଏକାଧିକ ଯବାନଙ୍କୁ ହରାଇବା ପରେ ଭାରତୀୟ ସୀମା ସୁରକ୍ଷା ବାହିନୀ (ବିଏସ୍‍ଏଫ୍‍)ର ଚେତା ପଶିଛି। ସ୍ନାଇପର ଆକ୍ରମଣରୁ ସୁରକ୍ଷା ତଥା ଏମାନଙ୍କ ଉପରେ ଦୃଷ୍ଟି ରଖିବା ଉଦ୍ଦେଶ୍ୟରେ ଏବେ ସୀମାରେ ସ୍ୱତନ୍ତ୍ର ଗୁଳିନିରୋଧୀ (ବୁଲେଟ ପ୍ରୁଫ୍‍) ବଙ୍କର ନିର୍ମାଣ ଚାଲିଛି। ବଙ୍କରରେ ‘ପେରିସ୍କୋପ’ ନାମକ ଏକ ଯନ୍ତ୍ର ଖଞ୍ଜାଯିବ; ଯାହାଦ୍ୱାରା ଯବାନମାନେ ସ୍ନାଇପରଙ୍କ ଗତିବିଧି ଉପରେ ଦୃଷ୍ଟି ରଖିପାରିବେ। ସୂଚନା ଅନୁସାରେ ବିଏସ୍‍ଏଫ୍‍ ଯବାନମାନେ ବାଲିବସ୍ତାରେ ନିର୍ମିତ ବଙ୍କରରେ ଥିବା କ୍ଷୁଦ୍ର ଫାଙ୍କ ମଧ୍ୟ ଦେଇ ଶତ୍ରୁର ଗତିବିଧି ଅବଲୋକନ କରୁଥିଲେ। ଏହି ଫାଙ୍କ ଦେଇ ସେମାନେ ବନ୍ଧୁକ ଦ୍ୱାରା ଶତ୍ରୁ ଉପରକୁ ଗୁଳିମାଡ଼ କରୁଥିଲେ; ମାତ୍ର ଚିତାଠାରୁ ବି ଚତୁର ସ୍ନାଇପରମାନେ ଏହି କ୍ଷୁଦ୍ର ଫାଙ୍କ ଦେଇ ଯବାନଙ୍କ ଉପରେ ଅତର୍କିତ ଆକ୍ରମଣ କରୁଥିବାରୁ ବିଏସ୍‍ଏଫ୍‍କୁ ବହୁ ମୂଲ୍ୟ ଦେବାକୁ ପଡ଼ୁଛି। ପାକିସ୍ତାନୀ ସ୍ନାଇପରଙ୍କ ଏହି ଯୋଜନା ବିଫଳ କରିବା ଉଦ୍ଦେଶ୍ୟରେ ନିର୍ମାଣ କରାଯାଉଥିବା ସ୍ୱତନ୍ତ୍ର ବଙ୍କରକୁ ଚତୁଃପାର୍ଶ୍ବରୁ ନିବୁଜ କରାଯିବ। ଶତ୍ରୁ ଉପରେ ଦୃଷ୍ଟି ରଖିବା ଲାଗି କ୍ଷୁଦ୍ର ଫାଙ୍କ ସ୍ଥାନରେ ଏକ ପେରିସ୍କୋପ ଖଞ୍ଜାଯିବ। ଯାହାଫଳରେ ସ୍ନାଇପରମାନେ ଆଉ ବଙ୍କରରେ ନିଜ ବନ୍ଧୁକ ଭର୍ତ୍ତି କରି ଯବାନଙ୍କୁ ଗୁଳି କରିପାରିବେ ନାହିଁ। ସମ୍ପ୍ରତି ପରୀକ୍ଷାମୂଳକ ଭାବେ ଏହି ସ୍ୱତନ୍ତ୍ର ବଙ୍କରକୁ ପାକିସ୍ତାନ ସଂଲଗ୍ନ ଭାରତର ପଶ୍ଚିମ ସୀମାରେ ପ୍ରତିଷ୍ଠା କରାଯାଉଛି। ପରେ ଏହାକୁ ସମଗ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଖଞ୍ଜାଯିବ ବୋଲି ବିଏସ୍‍ଏଫ୍‍ ନିର୍ଦେଶକ ଜେନେରାଲ ଆର. କେ ମିଶ୍ର କହିଛନ୍ତି। ସୀମାନ୍ତବର୍ତ୍ତୀ ଅଞ୍ଚଳ ଉପରେ ନିରନ୍ତର କଡ଼ା ଦୃଷ୍ଟି ରଖିବା ନିମନ୍ତେ ଏହି ବଙ୍କରଗୁଡିକରେ ସାଧାରଣ ଏବଂ ତାପଜ ଇମେଜିଂ କ୍ୟାମେରା ପେରିସ୍କୋପ ଖଞ୍ଜାଯିବ। ଏହା ମାଧ୍ୟମରେ ଯବାନମାନେ ପ୍ରତ୍ୟକ୍ଷ ଦୃଷ୍ଟି ରଖି ନ ଥିବା ସମୟରେ ମଧ୍ୟ ଶତ୍ରୁର ଗତିବିଧି ସମ୍ବନ୍ଧରେ ସୂଚନା ହାସଲ କରିବେ। ବିଏସ୍‍ଏଫ୍‍ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ବଙ୍କରକୁ ମୋଟା ଗୁଳି ନିରୋଧକ କାଚରେ ଆବଦ୍ଧ କରାଯିବ। ଏହାକୁ ଆବଶ୍ୟକସ୍ଥଳେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରିବ। ଏତଦ୍‍ଭିନ୍ନ ବିଏସ୍‍ଏଫ୍‍ ପକ୍ଷରୁ କେତେକ ସାମରିକ ପରିବର୍ତ୍ତନ କରାଯାଉଛି। ଏଥିନିମନ୍ତେ ବିଗତ କିଛି ମାସ ହେବ ପାକିସ୍ତାନୀ ସେନା ବିରୋଧରେ ବିଭିନ୍ନ ଅଭିଯାନ ଆରମ୍ଭ ହୋଇଛି। ପାକିସ୍ତାନ ସେନାକୁ ଟାର୍ଗେଟ କରି ଜାନୁଆରୀ ଏବଂ ଜୁନରେ ବିଏସ୍‍ଏଫ୍‍ ପକ୍ଷରୁ ଅପରେସନ ଭୀମ-୧ ଏବଂ ଭୀମ-୨ କରାଯାଇଥିଲା। ଅନ୍ତର୍ଜାତୀୟ ସୀମାରେ ସମସ୍ତ ବାଟାଲିୟନର ସାମରିକ ମୁଖ୍ୟାଳୟ ପ୍ରତିଷ୍ଠା କରାଯାଇଥିବା ବେଳେ ଶତ୍ରୁ ଉପରେ ପ୍ରତିଆକ୍ରମଣ ପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ ହୋଇଛି। ବିଏସ୍‍ଏଫ୍‍ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଆକ୍ରମଣ କରିବାରୁ ପାକିସ୍ତାନୀ ରେଞ୍ଜରମାନେ ନିଜ ଶିବିର ମଧ୍ୟରେ ସୀମିତ ରହିବାକୁ ବାଧ୍ୟ ହୋଇଛନ୍ତି। ବିଏସ୍‍ଏଫ୍‍ର ସର୍ଜିକାଲ ଆକ୍ରମଣ ଦ୍ୱାରା ପାକିସ୍ତାନୀ ରେଞ୍ଜରଙ୍କର ବ୍ୟାପକ କ୍ଷତି ଘଟିଛି ବୋଲି ମିଶ୍ର ସୂଚନା ଦେଇଛନ୍ତି।

Leave A Reply