ଭିନ୍ନକ୍ଷମ ଯୁବତୀଙ୍କ ଭତ୍ତା ଛଡାଇନେଲା କରୋନା , ଭୋକ ଉପାସରେ କଟୁଛି ଦିନ

ବୁଗୁଡ଼ା: ମହାମାରୀ କରୋନା କଟକଣା ଯୋଗୁଁ ତାମିଲନାଡୁ ଯାଇ ସେଠାରେ ଫସି ରହିଥିବା ଜନୈକା ମୁକ ଓ ବଧିର ଯୁବତୀ ଓ ତା’ର ମାଆ ଗାଁକୁ ଫେରିବା ବେଳକୁ ତା’ର ଭିନ୍ନକ୍ଷମ ଭତ୍ତା କଟି ଯାଇଥିବାରୁ ଉଭୟେ ଭୋକ ଉପାସରେ ରହି ଏବେ ଦୁର୍ବିସହ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ସହରର ଯାଦବ ସାହିରେ । ବାକ୍ ଓ ଶ୍ରବଣ ଶକ୍ତି ହରାଇ ଥିବା ଉକ୍ତ ୧୯ ବର୍ଷିୟା ଯୁବତୀ ସାବିତ୍ରୀର ପରିବାର କହିଲେ ବାପା ମଙ୍ଗୁଳୁ ପାତ୍ର, ମାଆ କେ. ନାର୍ଶାମା ଓ ଭାଇ ମୋଚିଆ । ପରିବାରକୁ ଅଣଦେଖା କରି ବାପା ବାହାରେ ରହୁଥିବାରୁ ଭାଇ ବାଧ୍ୟ ହୋଇ ତାମିଲନାଡୁରେ ଦାଦନ ଖଟୁଥିବା ବେଳେ ଘରେ ଭିନ୍ନକ୍ଷମ ଝିଅକୁ ଧରି ହନ୍ତସନ୍ତ ହେଉଛନ୍ତି ମାଆ । ଘରେ ମୁକ ଓ ବଧିର ଯୁବତୀ ଝିଅକୁ ଏକାକୀ ଛାଡି ମୂଲ କାମକୁ ମଧ୍ୟ ଯାଇପାରୁନି ମାଆ । ଫଳରେ ରାସନ କାର୍ଡରେ ମିଳୁଥିବା ଟଙ୍କିକିଆ ଚାଉଳ ଓ ସୁଭଦ୍ରାର ଭିନ୍ନକ୍ଷମ ଭତ୍ତା ହିଁ ଏକ ମାତ୍ର ଭରସା ଥିଲା । ଗତ ଫେବୃଆରୀ ମାସରେ ପୁଅ ମୋଚିଆର ସ୍ବାସ୍ଥ୍ୟ ଖରାପ ହେବାରୁ ମାଆ ଓ ଝିଅ ଉଭୟେ ତାମିଲନାଡୁ ଯାଇ ଲକ୍ ଡାଉନ୍ ଯୋଗୁଁ ଆଉ ଗାଁକୁ ଫେରି ପାରିନଥିଲେ । ବହୁ କଷ୍ଟରେ ଗତ ଦିପାବଳୀରେ ଗାଁକୁ ଫେରିବା ପରେ ବୁଗୁଡ଼ା ଏନ୍ଏସି କାର୍ଯ୍ୟଳୟକୁ ଭତ୍ତା ପାଇବା ଆଶାରେ ଯାଇଥିଲେ । ତେବେ ସେଠାରେ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ କୁହାଗଲା ଯେ, ସେ ଛଅ ମାସ ହେଲା ଭତ୍ତା ନେଇ ନ ଥିବା ଯୋଗୁଁ ତାଙ୍କର ଭତ୍ତା କଟିଯାଇଛି । ଏ କଥା ଶୁଣିବା ପରେ ସେ ଉପରିସ୍ଥ ଅଧିକାରୀମାନଙ୍କୁ ବାରମ୍ବାର ନିବେଦନ କରିଥିଲେ ମଧ୍ୟ ତାଙ୍କୁ ଏଯାଏଁ ଭତ୍ତା ମିଳିପାରିନାହିଁ । ସରକାରୀ ଭତ୍ତା ବନ୍ଦ ଯୋଗୁଁ ମରଣ ତୁଲ୍ୟ ଜୀବନ କାଟୁଛନ୍ତି ସୁଭଦ୍ରା । ଏନେଇ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମୀ ରଞ୍ଜନ ଦାସଙ୍କୁ ପଚାରିବାରୁ ସେ ପ୍ରକାଶ କରିଥିଲେ ଯେ, ଏମିତି ଯେତେଜଣ ଭତ୍ତାରୁ ବଞ୍ଚିତ ହିତାଧିକାରୀ ରହିଛନ୍ତି ସେମାନଙ୍କ ତାଲିକା ପ୍ରସ୍ତୁତି ସହ ସ୍ବତନ୍ତ୍ର ଅନୁମତି ଆଣି ଭତ୍ତା ପ୍ରଦାନ ପ୍ରଦାନ କରାଯିବା ପାଇଁ ପ୍ରୟସ ଜାରି ରହିଛି।

Comments are closed.