ପିକ୍ଅପ୍ ଭ୍ୟାନରୁ ଶାଗୁଆନ କାଠ ଜବତ, ଚାଳକ ଫେରାର

ବୁଗୁଡ଼ା : ସ୍ଥାନୀୟ ବନ ବିଭାଗ ପକ୍ଷରୁ ରବିବାର ରାତିରେ ଚଢାଉ କରାଯାଇ କତକଲି ଭାମଶିଆଳି କେନାଲ ରାସ୍ତାରେ ଗୋଟିଏ ମାରୁତି ପିକ୍ ଅପ୍ ଭ୍ୟାନରୁ ୩୯ ଘନଫୁଟର ମୂଲ୍ୟବାନ ଶାଗୁଆନ କାଠ ଜବତ ହୋଇଥିବା ବେଳେ ଚାଳକ ଜଣକ ଖସି ପଳାଇ ଥିବା ଜଣାପଡିଛି ।
ପ୍ରକାଶ ଯୋଗ୍ୟ, ରବିବାର ରାତି ପ୍ରାୟ ୮ ଟା ସମୟରେ ଗୋଟିଏ ମାରୁତି ପିକ୍ ଅପ୍ ଭ୍ୟାନ୍ ଓଆର(୨୫ବି – ୮୧୪୫)ରେ ମୂଲ୍ୟବାନ ଶାଗୁଆନ କାଠ ଚୋରା ଚାଲାଣ ହେଉଥିଲାବେଳେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟ ନାରାୟଣ ବେହୁରାଙ୍କ ନିର୍ଦ୍ଦେଶ କ୍ରମେ ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା, ବନପାଳ ଅଭିରାମ ଖିଲ, ସୁଦର୍ଶନ ପ୍ରଧାନ, ସୂବ୍ରତ ତ୍ରିପାଠୀ ଓ ବନରକ୍ଷୀ ଶିବରାମ ପାତ୍ରଙ୍କ ସମେତ ପାରା ଫରେଷ୍ଟର କର୍ମଚାରୀମାନେ ଗାଡିର ପିଛା କରିଥିଲେ । ସେମାନେ ବାଘୁଆ କେନାଲର କତକଲା – ଭାମଶିଆଳି ରାସ୍ତା ମଝିରେ ଉକ୍ତ ଚୋରା ଚାଲାଣ ହେଉଥିବା ଭ୍ୟାନଟିକୁ ଧରିଥିଲେ । ତେବେ ଭ୍ୟାନ ଚାଳକ ଜଣକ ସେଠାରୁ କୌଶଳରେ ଖସି ପଳାଇ ଯାଇଥିଲା। ଘଟଣା ସ୍ଥଳରୁ ଭ୍ୟାନ ସହ ସେଥିରେ ଥିବା ୨୦ ଖଣ୍ଡ ମୂଲ୍ୟବାନ ଶାଗୁଆନ କାଠକୁ ବନ କର୍ମଚାରୀମାନେ ଜବତ କରିଥିଲେ । ଉକ୍ତ ମୂଲ୍ୟବାନ ଶାଗୁଆନ କାଠ ଚିରିକିପଡା ଶାସନକୁ ଯାଉଥିବା ଜଣାପଡିଥିଲା ।