ବାଘୁଣୀ ପାଟିରୁ ନିଜ ମାଲିକଙ୍କ ଜୀବନକୁ ରକ୍ଷା କଲେ ମଇଁଷି

ଉମରିଆ : ମାଲିକ ମାନେ ନିଜ ପୋଷା ଜନ୍ତୁଙ୍କୁ ଅନ୍ୟ ଜୀବ ଅଥବା ହିଂସ୍ର ଜନ୍ତୁଙ୍କ ଠାରୁ ରକ୍ଷା କରିଥିବା ଖବର ଅନେକଥର ସାମ୍ନାକୁ ଆସିଛି। ମାତ୍ର ମଧ୍ୟପ୍ରଦେଶର ବାନ୍ଧବଗଡର ଜଙ୍ଗଲରେ ବାଘୁଣୀର ପାଟିରୁ ନିଜ ମାଲିକକୁ ମଇଁଷିମାନେ ବଞ୍ଚାଇ ନୂଆ ଜୀବନ ଦେଇଛନ୍ତି।
ଘଟଣାକ୍ରମେ , ଏହି ଅଞ୍ଚଳ ବାଘଙ୍କ ବାସସ୍ଥଳୀ, ବାନ୍ଧବଗଡ ଟାଇଗର ରିର୍ଜଭ ଜଙ୍ଗଲ (ବାନ୍ଧବଗଡ ବାଘ ଅଭୟାରଣ୍ୟ) ଭାବେ ଜଣାଶୁଣା। ବାନ୍ଧବଗଡ ଜଙ୍ଗଲରୁ ନିକଟରେ ଥିବା ଗାଁର ଅନେକ ପଶୁପାଳକ ନିଜର ଗୃହପାଳିତ ପଶୁଙ୍କୁ ଚରାଇବା ସମୟରେ ବାଘଙ୍କ ଅଞ୍ଚଳକୁ ମଧ୍ୟ ଆସି ଯାଆନ୍ତି।
ଉମରିଆ ଜିଲାର ବାନ୍ଧବଗଡ ବାଘ ଅଭୟାରଣ୍ୟ ନିକଟରେ ଥିବା ଗାଁ କୋଠିଆ ଘଞ୍ଚ ଜଙ୍ଗଲରେ ଘେରି ରହିଛି। ଏହି ଗାଁର ଜଣେ ପଶୁପାଳକ ନିଜ ମଇଁଷିକୁ ଚରାଇବାକୁ ନେଇଥିଲେ। ଚରାଇବା ପରେ ଜଙ୍ଗଲର ଏକ ନାଳରେ ପାଣି ପିଇବା ପରେ ଗାଁ ଆଡ଼କୁ ଯାଉଥିବା ସମୟରେ ବୁଦା ମୂଳରେ ଲୁଚିଥିବା ଏକ ବାଘୁଣୀ ହଠାତ ଉକ୍ତ ପଶୁପାଳକଙ୍କ ଉପରେ ଆକ୍ରମଣ କରିଥିଲା। ବାଘୁଣୀର ଆକ୍ରମଣରେ ପଶୁପାଳକ ଜଣଙ୍କ ରକ୍ତାକ୍ତ ହେବା ସହ ଭୟରେ ଚିତ୍କାର କରିଥିଲେ। ଚିତ୍କାର ଶୁଣି ପଶୁପାଳକଙ୍କ ମଇଁଷି ଦଳ ନିଜ ମାଲିକକୁ ବଞ୍ଚାଇବା ପାଇଁ ତୁରନ୍ତ ବାଘ ନିକଟକୁ ଧାଇଁ ଥିଲେ। ଏହାପରେ ବାଘ ଭୟରେ ଜଙ୍ଗଲକୁ ପଳାଇଥିଲା।
ସଠିକ ସମୟରେ ମଇଁଷିମାନେ ପହଞ୍ଚି ନିଜ ମାଲିକକୁ ବାଘୁଣୀ ମୁହଁରୁ ରକ୍ଷା କରିଥିଲେ। ଗୁରୁତର ପଶୁପାଳକ ତୁରନ୍ତ ନିଜ ଫୋନ ଯୋଗେ ଗାଁଲୋକେ , ବନବିଭାଗକୁ ଘଟଣା ବିଷୟରେ ଜଣାଇଥିଲେ। ସେମାନେ ପହଞ୍ଚି ପଶୁପାଳକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିପଦ ମୁକ୍ତ ଅଛି ବୋଲି ଜଣାପଡିଛି। ପଶୁପାଳକଙ୍କ କହିବା ଅନୁଯାୟୀ ମଇଁଷିଙ୍କ ପାଇଁ ତାଙ୍କ ଜୀବନ ବଞ୍ଚିଯାଇଛି।
ବନ ବିଭାଗଙ୍କ କହିବା ଅନୁଯାୟୀ, ମାଆ ବାଘୁଣୀ ଜଙ୍ଗଲର ନିକଟରେ ହିଁ ଛୁଆ ଦେଇଛି। ବାଘୁଣୀର ଆକ୍ରମଣ ଗୁଣକୁ ନଜରରେ ରଖି ନିକଟ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

 

Comments are closed.