ରାଜ୍ୟକୁ ପଡ଼ିପାରେ ମାନ୍ଦାବସ୍ଥାର ପ୍ରଭାବ, ବଜେଟ ପାଇଁ ଅର୍ଥ ବାଧକ

ଭୁବନେଶ୍ବର: ଆଗାମୀ ବଜେଟ ପାଇଁ ସମ୍ବଳ ସଂଗ୍ରହରେ ସଙ୍କଟ ଦେଖାଦେଇପାରେ। କାରଣ ଚଳିତ ଆର୍ଥିକ ବର୍ଷରେ ଏ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟରେ ରାଜସ୍ବ ସଂଗ୍ରହ ହାର ସେତେଟା ଉତ୍ସାହଜନକ ନୁହେଁ। ଏବେ ରାଜ୍ୟରେ ଜିଏସଟି ସଂଗ୍ରହ ଅଭିବୃଦ୍ଧି ହାର ମଧ୍ୟ ଗତବର୍ଷ ତୁଳନାରେ କମିଛି। ତେଣୁ ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ଓଡ଼ିଶା ଅର୍ଥନୀତି ଉପରେ ପଡ଼ିବାର ସମ୍ଭାବନା ରହିଛି। ମିଳିଥିବା ସୂଚନାରୁ ଜଣାପଡ଼ିଛି ଯେ ୨୦୧୯ ଡିସେମ୍ବରରେ ରାଜ୍ୟ ଜିଏସଟି (ଏସଜିଏସଟି) ସଂଗ୍ରହ ହାର ୨୦୧୮ ଡ଼ିସେମ୍ବର ତୁଳନାରେ ମାତ୍ର ୨ପ୍ରତିଶତ ବଢ଼ିଛି। ଗତବର୍ଷ ଡିସେମ୍ବରରେ ଜିଏସ୍‌ଟି ବାବଦରେ ୨୩୪୭କୋଟି ଟଙ୍କା ସଂଗ୍ରହ ହୋଇଥିବାବେଳେ ଚଳିତ ଡ଼ିସେମ୍ବରରେ ଏହା ୨୩୮୩କୋଟି ଟଙ୍କାକୁ ବଢ଼ିଛି।
ଜାତୀୟ ସ୍ତରରେ ଜିଏସଟି ସଂଗ୍ରହ ହାର ଡ଼ିସମ୍ବେରରେ ୧୬ପ୍ରତିଶତ ବଢ଼ିଥିବାବେଳେ ଓଡ଼ିଶାର ଏ କ୍ଷେତ୍ରରେ ପ୍ରଦର୍ଶନ ଆଶାନୁରୂପ ହୋଇପାରିନି। ପଡ଼ୋଶୀ ପଶ୍ଚିମବଙ୍ଗରେ ଜିଏସଟି ସଂଗ୍ରହ ୧୬ପ୍ରତିଶତ, ଆସାମରେ ୩୩, ଛତିଶଗଡ଼ରେ ୧୫ ଓ ଆନ୍ଧ୍ରପ୍ରଦେଶରେ ୧୧ପ୍ରତିଶତ ଅଭିବୃଦ୍ଧି ଘଟିଥିବାବେଳେ ଓଡ଼ିଶାରେ ୨ପ୍ରତିଶତ ଅଭିବୃଦ୍ଧି ଘଟିଛି।
୨୦୧୯ ଡିସେମ୍ବରରେ ମୋଟ ଜିଏସଟି ସଂଗ୍ରହ ୧,୦୩,୧୮୪କୋଟି ହୋଇଥିବାବେଳେ ଏଥିମଧ୍ୟରୁ ସିଜିଏସଟି ୧୯,୯୬୨କୋଟି, ଏସଜିଏସଟି ୨୬,୭୯୨କୋଟି, ଆଇଜିଏସଟି ୪୮,୦୯୯କୋଟି ଏବଂ ଉପକରରୁ ସଂଗ୍ରହ ହୋଇଛି ୮,୩୩୧କୋଟି ଟଙ୍କା।

କେନ୍ଦ୍ର ସରକାର ନିୟମିତ କ୍ଷତିଭରଣା ଆକାରରେ ସିଜିଏସଟିରୁ ୨୧,୮୧୪କୋଟି ଏବଂ ଏସଜିଏସଟିରୁ ୧୫,୩୬୬କୋଟି ଟଙ୍କା ପ୍ରଦାନ କରିବାକୁ ଭରସା ଦେଇଥିଲେ। ଡିସେମ୍ବରରେ ନିୟମିତ ଟିକସ ଭରଣା ପରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ବାରା ମୋଟ ରାଜସ୍ବ ସଂଗ୍ରହ ପରିମାଣ ଯଥାକ୍ରମେ ୪୧,୭୭୬ କୋଟି ଏବଂ ୪୨,୧୫୮କୋଟି ଟଙ୍କାରେ ପହଞ୍ଚିଛି।
ସୂଚନାଯୋଗ୍ୟ ଯେ ଚଳିତ ଆର୍ଥିକ ବର୍ଷରେ ଏ ପର୍ଯ୍ୟନ୍ତ ବଜେଟ ଖର୍ଚ୍ଚ ହାର କମିଛି। ରାଜ୍ୟ ସରକାରଙ୍କ ଅର୍ଥ ପରିଚାଳନା ବ୍ୟବସ୍ଥା ଅନୁସାରେ ପ୍ରତି ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଅବଧି ଭିତରେ ଅର୍ଥାତ ଡିସେମ୍ବର ​‌ଶେଷ ସୁଦ୍ଧା ବଜେଟର ୬୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବା କଥା। ଗତ ଅକ୍ଟୋବର ସୁଦ୍ଧା ବଜେଟର ୪୫ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଥିଲା। ଡିସେମ୍ବରରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ ହୋଇଛି କି ନା ତାହା ଆଗାମୀ ସମୀକ୍ଷାରୁ ଜଣାପଡ଼ିବ।

ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ ହେଲା ଚଳିତ ଆର୍ଥିକ ବର୍ଷ ଏ ପର୍ଯ୍ୟନ୍ତ ଟିକସ ବାବଦ ରାଜସ୍ବ ସଂଗ୍ରହ ହ୍ରାସ ପାଇଛି। ନିଜସ୍ବ ଟିକସ ଆଦାୟ ମାତ୍ର ୭ପ୍ରତିଶତ ଥିବାବେଳେ ନିଜସ୍ବ ଅଣଟିକସ ୮.୯୧ପ୍ରତିଶରେ ସୀମିତ ରହିଛି।
୨୦୧୯-୨୦ ବଜେଟ ବ୍ୟୟବରାଦରୁ ପ୍ରଥମ ୭ମାସ ଭିତରେ ଖର୍ଚ୍ଚ ହାର ଗତ ଆର୍ଥିକ ବର୍ଷ ତୁଳନାରେ କମିଥିବାବେଳେ ଗତ ଅକ୍ଟୋବର ଶେଷ ସୁଦ୍ଧା ରାଜ୍ୟ ବଜେଟରୁ ମାତ୍ର ୪୫ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଥିଲା। କିନ୍ତୁ ଗତ ଆର୍ଥିକବର୍ଷରେ ଏହି ସମୟ ସୁଦ୍ଧା ଖର୍ଚ୍ଚ ହାର ଥିଲା ୪୬ପ୍ରତିଶତ। ବଜେଟରେ କାର୍ଯ୍ୟକ୍ରମ ବାବଦ ଖର୍ଚ୍ଚ ହାର ଗତବର୍ଷ ଅକ୍ଟୋବର ​‌େ​‌ଶଷ ସୁଦ୍ଧା ୪୭ପ୍ରତିଶତ ଥିବାବେଳେ ଏ ବର୍ଷ ୪୪.୫ପ୍ରତିଶତରେ ସୀମିତ ରହିଥିଲା। କେବଳ କୃଷି ଓ ଆନୁଷଙ୍ଗିକ ‌କ୍ଷେତ୍ରକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବିଭାଗରେ ଖର୍ଚ୍ଚ ହାର କମିଛି। ଗତବର୍ଷ କୃଷି କ୍ଷେତ୍ରରେ ଖର୍ଚ୍ଚ ହାର ୩୬.୬ପ୍ରତିଶତ ଥିବାବେଳେ ଏ ବର୍ଷ ୩୬.୭ପ୍ରତିଶତକୁ ବଢ଼ିଛି।
ରାଜ୍ୟରେ ଭିତ୍ତିଭୂମି ବାବଦରେ ମୋଟ ବ୍ୟୟବରାଦରୁ ଗତ ଅକ୍ଟୋବର ​‌ଶେଷ ସୁଦ୍ଧା ୩୪.୫ପ୍ରତିଶତ ଖର୍ଚ୍ଚ ହୋଇଥିବାବେଳେ ତୁଳନାତ୍ମକ ଭାବେ ଗତ ବର୍ଷ ଏହି ସମୟ ସୁଦ୍ଧା ଭିତ୍ତିଭୂମି ବାବଦରେ ଖର୍ଚ୍ଚ ହାର ଥିଲା ୪୫.୯ପ୍ରତିଶତ। ସାମାଜିକ କ୍ଷେତ୍ରରେ ମଧ୍ୟ ବଜେଟ ଖର୍ଚ୍ଚ ହାର ଗତ ବର୍ଷ ୫୪.୩ପ୍ରତିଶତ ଥିବାବେଳେ ଚଳିତବର୍ଷ ୩୮.୭ପ୍ରତିଶତରେ ସୀମିତ ରହିଛି। ନିର୍ବାଚନ ପାଇଁ ଆଚରଣବିଧି ଲାଗୁ ହେବା କାରଣରୁ ବଜେଟ ଖର୍ଚ୍ଚ ହାର କମିଥିବା ବିଭାଗ ପକ୍ଷରୁ କୁହାଯାଉଛି।
ବ୍ୟାଙ୍କ ଆକାଉଣ୍ଟରେ ଅର୍ଥ ପକାଇ ନ ରଖି ବିନିଯୋଗ ହାର ବଢ଼ାଇବାକୁ ରାଜ୍ୟ ସରକାର ସବୁ ବିଭାଗକୁ ନିର୍ଦେଶ ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ପାଇଁ ଉଦବେଗର ବିଷୟ ହେଲା ଚଳିତ ଆର୍ଥିକବର୍ଷର ଗତ ଅକ୍ଟୋବର ସୁଦ୍ଧା ରାଜ୍ୟର ନିଜସ୍ବ ରାଜସ୍ବ ଅଭିବୃଦ୍ଧି ହାର ମାତ୍ର ୭.୫୬ପ୍ରତିଶତ ହୋଇଛି। ସେହିପରି ଅଣଟିକସ ରାଜସ୍ବରେ ୧୨.୨୪ପ୍ରତିଶତ ଅଭିବୃଦ୍ଧି ଘଟିଛି। ମୋଟ ନିଜସ୍ବ ରାଜସ୍ବ ମାତ୍ର ୮.୯୧ପ୍ରତିଶତ ବଢ଼ିଛି। ଖଣିଜ ରାଜସ୍ବ ସଂଗ୍ରହ ହାର ମାତ୍ରାଧିକ ହ୍ରାସ ପାଉଥିବାରୁ ଆଗାମୀ ଦିନରେ ରାଜସ୍ବ ସଂଗ୍ରହ ହାର କମିବାର ସମ୍ଭାବନା ରହିଛି।

Comments are closed.