ବିଧାନସଭାରେ ବଜେଟ ଆଗତ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ମୋଟ ବ୍ୟୟ ବରାଦ ୧ ଲକ୍ଷ ୭୦ ହଜାର କୋଟି

ଭୁବନେଶ୍ବର: ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବର୍ଷ ୨୦୨୧-୨୨ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି।

ଆଜି ବିଧାନସଭାରେ ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ କୋଭିଡ୍‌ ମହାମାରୀ ମାନବଜାତିକୁ ବଡ଼ ସଙ୍କଟରେ ପକାଇଥିଲା। ସରକାରଙ୍କ ସକରାତ୍ମକ ଚିନ୍ତାଧାରା ମହାମାରୀକୁ ମୁକାବିଲା କରିପାରିଥିଲା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓଡ଼ିଶାକୁ ପ୍ରଶଂସା କରିଛନ୍ତି। ଆଉ କିଛି ଦିନ ଆମକୁ ସତର୍କ ଓ ସାବଧାନ ରହିବାକୁ ପଡ଼ିବ। ଇ-ବଜେଟ ଉପସ୍ଥାପନରେ ଓଡ଼ିଶା ସମ୍ଭବତଃ ଦେଶରେ ପ୍ରଥମ। ଓଡ଼ିଶା ଅର୍ଥନୀତିର ଅଭିବୃଦ୍ଧି ହାର ଜାତୀୟ ହାର ତୁଳନାରେ ବଢ଼ି ଚାଲିଛି। ରାଜ୍ୟ ସରକାର ୨୦୨୧-୨୨ ଆର୍ଥିକବର୍ଷ ଲାଗି ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏଥିମଧ୍ୟରୁ ପ୍ରଶାସନିକ ବ୍ୟୟ ନିମନ୍ତେ ୮୫ ହଜାର କୋଟି, କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୭୫ ହଜାର କୋଟି, ବିପର୍ଯ୍ୟୟ ପ୍ରଶମନ ବ୍ୟୟ ଲାଗି ୩ ହଜାର ୫୦ କୋଟି ଟଙ୍କା ଏବଂ ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ପାଇଁ ୬ ହଜାର ୯ ଶହ ୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରକାଶ କରିଛନ୍ତି।
ସେହିପରି ଚଳିତ ବଜେଟରେ ରାଜ୍ୟ ଖଣିଜ ସମ୍ପଦ ଧାରକ ଅଞ୍ଚଳ ଉନ୍ନୟନ ନିଗମ, ଜିଲା ଖଣିଜ ପାଣ୍ଠି ଓ ସରକାରୀ ଉଦ୍ୟୋଦମାନଙ୍କ ଠାରୁ ୮ ହଜାର କୋଟି ଟଙ୍କାର ବଜେଟ ବର୍ହିଭୁତ ସମ୍ବଳ ବ୍ୟୟ କରାଯିବ। ଯାହା ସରକାରୀ ଖର୍ଚ୍ଚ ବୃଦ୍ଧିରେ ସହାୟକ ହେବ। ଅନ୍ୟପକ୍ଷରେ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ପୁଞ୍ଜି ବ୍ୟୟ ବରାଦ ୨୫ ହଜାର ୭ ଶହ ୮୮ କୋଟି ଟଙ୍କା କରାଯାଇଛି।


ଓଡ଼ିଶା ସରକାର ଲରାଜ୍ୟର ସ୍ବାସ୍ଥ୍ୟ କ୍ଷେତ୍ରକୁ ଅତିରିକ୍ତ ୫ଶହ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ରାଜ୍ୟର ପ୍ରମୁଖ ଐତିହସ୍ଥଳୀକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଯେଉଁଥିପାଇଁ ଏକାମ୍ର ଯୋଜନା ଆରମ୍ଭ କରାଯାଉଛି । ଯାହା ମଧ୍ୟରେ ରାଜଧାନୀର ଅନେକ ବୃହତ ଯୋଜନା ଅନ୍ତର୍ଭୁକ୍ତ ରହିଛି। ସେହିପରି ପୁରୀର ବିକାଶ ନିମନ୍ତେ ଅବଢା ଯୋଜନା ମାଧ୍ୟମରେ ସରକାର ୫ଶହ ୪୨ କୋଟି ଟଙ୍କା ଏବଂ ଏକାମ୍ର ଯୋଜନା ପାଇଁ ୨ ଶହ କୋଟି ଟଙ୍କା ଆକଳନ କରିଛନ୍ତି। ସମଲେଇ ଯୋଜନା ପାଇଁ ମଧ୍ୟ ୨ ଶହ କୋଟି ଟଙ୍କା ପ୍ରଦାନ କରାଯାଇଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।
ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରି କହିଛନ୍ତି ଯେ ଚଳିତ ବର୍ଷ ଜିଡିପି ୪.୯ ହ୍ରାସ ହେବ ବୋଲି ଆକଳନ କରାଯାଇଛି। ଚାଷୀ, ସ୍ବୟଂ ସହାୟିକା ଗୋଷ୍ଠୀକୁ ଅଧିକ ଋଣ ଦେବା ଯୋଜନା ହୋଇଛି। ଉଦ୍ୟାନ କୃଷି ବିକାଶ ପାଇଁ ୧୩୨ କୋଟି ବ୍ୟୟବରାଦ, ବିହନ ପାଇଁ ୧୦୦ ଓ ସାର ଲାଗି ୧୦୦ କୋଟି ଅତିରିକ୍ତ ପାଣ୍ଠି, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୪୫୦କୋଟି ବ୍ୟୟବରାଦ, କଳାହାଣ୍ଡି ଓ ନବରଙ୍ଗପୁରରେ ୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ହେବ, ଜଳସେଚନ ପାଇଁ ମୋଟ ୨୨୫୮କୋଟି ଟଙ୍କା ବ୍ୟୟ, ବନ୍ୟା ନିୟମନ୍ତ୍ରଣ ପାଇଁ ୭୧୦କୋଟି ବ୍ୟୟ ବରାଦ ହୋଇଛି।
ସେହିପରି ପାର୍ବତୀ ଗିରି ଜଳସେଚନ ଯୋଜନା ପାଇଁ ୮୬୦କୋଟି ବ୍ୟୟବରାଦ, ଗଭୀର ନଳକୂପ ଖନନ ପାଇଁ ୩୮୯କୋଟି, ନବକୃଷ୍ଣ ଚୌଧୁରୀ ଜଳସେଚନ ଯୋଜନାରେ ୭୭କୋ, ବିପର୍ଯ୍ୟୟରେ କ୍ଷତିପୂରଣ ପାଇଁ ୫୬୦କୋଟି ବ୍ୟୟ। ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ୧୪୧୫କୋଟି ବ୍ୟବବରାଦ ରହିଛି।
ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ ରାଜ୍ୟରେ ପ୍ରତିଷ୍ଠା ହେବ ପଶୁ ଚିକିତ୍ସା ବିଜ୍ଞାନ ବିଶ୍ବବିଦ୍ୟାଳୟ। ରାଜ୍ୟରେ ପଶୁ ଚିକିତ୍ସା ବିଜ୍ଞାନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଛି। ପଶୁଙ୍କୁ ଚିକିତ୍ସା ପାଇଁ ପଶୁ ହେଲ୍‌ପ ଲାଇନ୍ ସେବା ଆରମ୍ଭ କରାଯିବ।

କୃଷି ବଜେଟ ପାଇଁ ମୋଟ ୧୭, ୪୬୮ କୋଟି ବ୍ୟୟ ବରାଦ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଓମ୍ବାଡସି ଓ ଡିଏମ୍‌ଏଫ୍‌ରୁ କୃଷିରେ ବିନିଯୋଗ ୪୪୭କୋଟି ହେବ। ମନରେଗା ପାଣ୍ଠିରୁ କୃଷି କ୍ଷେତ୍ରରେ ବ୍ୟାପକ ଖର୍ଚ୍ଚ ହେବ। ମାଛ ଧରା ଜେଟି ଓ ମାଛ ବଜାର ପାଇଁ ୧୦୦କୋଟି ବ୍ୟୟ ବରାଦ। କଟକ ଏସ୍‌ସିବି ପାଇଁ ଚଳିତ ବର୍ଷ ୫ଶହ କୋଟି। ଏସ୍‌ସିବିକୁ ଏମ୍ସ ପ୍ଲସ କରିବାକୁ ୩୫୦୦କୋଟି ବ୍ୟୟ ଯୋଜନା ରହିଛି। ସ୍ବାସ୍ଥ୍ୟ ସେବା ପାଇଁ ମୋଟ ପ୍ରାୟ ୧୩ ହଜାର କୋଟି ଟଙ୍କା। ଦୁର୍ଘଟଣାରେ ଗୁରୁତରଙ୍କୁ ଚିକିତ୍ସା ପାଇଁ ମାଗଣା ଟ୍ରମା କେୟାର୍‌ ଯୋଜନା। ମାଗଣା ଟ୍ରମା କେୟାର୍‌ ଯୋଜନା ପାଇଁ ୪୦କୋଟି ବ୍ୟୟ ବରାଦ କରାଯିବ ବୋଲି ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି।
ଅର୍ଥମନ୍ତ୍ରୀ ଶିକ୍ଷା କ୍ଷେତ୍ର ପାଇଁ ମୋଟ ୨୪,୩୭୦କୋଟି ବ୍ୟୟ ବରାଦ କରିଛନ୍ତି। ଆଦର୍ଶ ବିଦ୍ୟାଳୟ ପାଇଁ ୨୮୦କୋଟି, ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ୯୫୭କୋଟି, ମୋ ସ୍କୁଲ ପାଇଁ ୨୫୩କୋଟି, ମୋ କଲେଜ ପାଇଁ ୭କୋଟି। ସତ୍ୟବାଦୀ ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ୧୦କୋଟି ବ୍ୟୟ ବରାଦ କରାଯାଇଛି।
ବ୍ଲକସ୍ତରରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଅତିରିକ୍ତ ୧୦୦କୋଟି ବ୍ୟୟ ବରାଦ କରାଯାଇଛି। ଅଚଳ ଉଠା ଜଳସେଚନ ପଏଣ୍ଟ ପୁନରୁଦ୍ଧାର ପାଇଁ ୧୬୦କୋଟି ଓ ବିପର୍ଯ୍ୟୟରେ ତ୍ବରିତ କ୍ଷତିପୂରଣ ପାଇଁ ୫୬୦କୋଟି ବ୍ୟୟବରାଦ ହୋଇଛି।
ସେହିପରି ହାତୀ କରିଡର ବିଦ୍ୟୁତ୍‌ ଯୋଗାଣ ପାଇଁ ୧୨୦ କୋଟି, ବିଜୁ ଏକ୍ସ ପ୍ରେସ୍‌ ୱେ ପାଇଁ ୧୦୦କୋଟି, ବିଜୁ ସେତୁ ଯୋଜନା ପାଇଁ ୯୧୨ କୋଟି, ୧ ଟଙ୍କାରେ ଚାଉଳ ଯୋଗାଣ ପାଇଁ ୯୬୯କୋଟି। ବିପର୍ଯ୍ୟୟ ସହନୀୟ ବିଦ୍ୟୁତ୍‌ ଯୋଗାଣ ପାଇଁ ୫୦କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ବୋଲି ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି।

Comments are closed.