ଆଶା – ନିରାଶାର ଦସ୍ତାବିଜ୍‌

ବଜେଟ କେବଳ ଆୟ ବ୍ୟୟ ଅଟକଳ ନୁହେଁ, ଏଥିରେ ସରକାରଙ୍କ ବିଭିନ୍ନ ନୀତି ପ୍ରତିଫଳିତ ହୋଇଥାଏ। ସରକାର କେଉଁ ଦିଶାରେ ଅର୍ଥନୀତିକୁ ନେବାକୁ ଚାହୁଁଛନ୍ତି ବା କିପରି ଅର୍ଥନୀତିକୁ ପରିଚାଳନା କରିବାକୁ ଚାହୁଁଛନ୍ତି, କେଉଁ କ୍ଷେତ୍ରକୁ କେତେଗୁରୁତ୍ବ ଦେଉଛନ୍ତି ତାହା ବଜେଟ୍‌ରେ ଜଣାପଡ଼ିଥାଏ। ସମ୍ବିଧାନର ଧାରା ୧୧୨ ଅନୁସାରେ ଭାରତର ରାଷ୍ଟ୍ରପତି ପ୍ରତ୍ୟେକ ଆର୍ଥିକ ବର୍ଷରେ ସମ୍ଭାବ୍ୟ ଆୟ ବ୍ୟୟର ବିବରଣୀ ଉପସ୍ଥାପନ ଏବଂ ଗୃହୀତ କରାଇବାର ବ୍ୟବସ୍ଥା କରାଇବେ। ସେହି ଆୟବ୍ୟୟର ବିବରଣୀକୁ ବଜେଟ କୁହାଯାଏ। ସାଧାରଣତଃ ବଜେଟ୍‌ ଉପସ୍ଥାପନ ପୂର୍ବଦିନ ଶେଷ ହେବାକୁ ଯାଉଥିବା ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ଆର୍ଥିକ ସର୍ବେକ୍ଷଣ ଉପସ୍ଥାପନ କରିଥାନ୍ତି। ଆର୍ଥିକ ସର୍ବେକ୍ଷଣରେ ଅର୍ଥନୀତିର ଏକ ପୂର୍ଣ୍ଣାଙ୍ଗ ଚିତ୍ର ପରିସ୍ଫୁଟିତ ହୋଇଥାଏ। ସରକାର କେଉଁକେଉଁ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି, କେଉଁକ୍ଷେତ୍ରରେ ବିଫଳ ହୋଇଛନ୍ତି ଏବଂ ସଫଳତା ଓ ବିଫଳତାର କାରଣ ସବୁ ଉଲ୍ଲେଖ କରାଯାଇଥାଏ ଯାହାକୁ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ପ୍ରସ୍ତୁତ କରିଥାନ୍ତି। ଆର୍ଥିକ ସର୍ବେକ୍ଷଣର ତଥ୍ୟକୁ ଭିତ୍ତିକରି ବଜେଟ୍‌ରେ ବିଭିନ୍ନ ପଦକ୍ଷେପ ଘୋଷଣା କରାଯାଇଥାଏ। ଅବଶ୍ୟ ତାହା ବାଧ୍ୟତାମୂଳକ ନୁହେଁ। ଗତ ଜାନୁଆରୀ ୩୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୯-୨୦ ଆର୍ଥିକ ବର୍ଷର ସର୍ବେକ୍ଷଣ ଉପସ୍ଥାପନ କଲାବେଳେ ଫେବୃଆରୀ ୧ ତାରିଖରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି।
ଏହା ତାଙ୍କ ଜୀବନର ଦ୍ବିତୀୟ ବଜେଟ ହୋଇଥିବାବେଳେ ମୋଦୀ ୨.୦ ସରକାରଙ୍କର ଦ୍ବିତୀୟ ବଜେଟ। ବଜେଟକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଖାଦେଇଛି। ଚିରାଚରିତ ପ୍ରଥା ଅନୁଯାୟୀ ବିରୋଧୀଦଳ ପକ୍ଷରୁ ତୀବ୍ର ସମାଲୋଚନା କରାଗଲାବେଳେ ସରକାରୀ ଦଳ ପକ୍ଷରୁ ସ୍ବାଗତ କରାଯାଇଛି। ଆର୍ଥିକ ସର୍ବେକ୍ଷଣ ଓ ବଜେଟକୁ ସବିଶେଷ ସମୀକ୍ଷା କଲେ ବଜେଟ୍‌ର ପ୍ରକୃତ ଚିତ୍ର ପ୍ରାପ୍ତ ହୋଇପାରିବ।
ଏକଥା କେହି ଅସ୍ବୀକାର କରିବେ ନାହିଁ ଯେ ଅର୍ଥନୀତି ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ଭୟଙ୍କର ଆର୍ଥିକ ସଂକଟ ଦେଖାଦେଇଛି। ଯାହାର ସମାଧାନ ପାଇଁ ଅର୍ଥମନ୍ତ୍ରୀ ପଦକ୍ଷେପ ନେବେବୋଲି ସମସ୍ତେ ଚାହିଁ ବସିଥିଲେ। ଅର୍ଥମନ୍ତ୍ରୀ କିନ୍ତୁ ସେପରି ଆଖିଦୃଶିଆ ପଦ‌େ‌କ୍ଷପ ନେଇନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ ଆର୍ଥିକ ସର୍ବେକ୍ଷଣ ଅନୁଯାୟୀ ୨୦୧୯-୨୦ ଆର୍ଥିକବର୍ଷରେ ଆର୍ଥିକ ଅଭିବୃଦ୍ଧି ମାତ୍ର ୫% ହେବ ଯାହା ଗତ ୧୧ ବର୍ଷରେ ସର୍ବନିମ୍ନ। ୨୦୧୬-୧୭ରୁ ବାର୍ଷିକ ଅଭିବୃଦ୍ଧି କ୍ରମଶଃ ହ୍ରାସ ପାଇ ଚାଲିଛି ଯାହାକୁ ସ୍ଲୋ-ଡାଉନ ବା ମନ୍ଥର ଅଭିବୃଦ୍ଧି ହାର କୁହାଯାଏ। ୨୦୧୬-୧୭ରେ ଏହା ୮.୨%, ୨୦୧୭-୧୮ରେ ୭. ୨% ୨୦୧୮-୧୯ରେ ୬. ୮% ହୋଇଥିଲା। କିନ୍ତୁ ଯେତେବେଳେ ଆର୍ଥିକ ଅଭିବୃଦ୍ଧି ନିମ୍ନଗାମୀ ସେତେବେଳେ ୨୦୨୦-୨୧ରେ ଆର୍ଥିକ ଅଭିବୃଦ୍ଧି ୬ରୁ ୬. ୫% ହେବ ବୋଲି ସର୍ବେକ୍ଷଣରୁ ଯାହା କୁହାଯାଇଛି ଏବଂ ତଦନୁସାରେ ବଜେଟ୍‌ ଉପସ୍ଥାପନ କରାଯାଇଛି, ତାହା ବାସ୍ତବତାଠାରୁ ବହୁ ଦୂରରେ ଥିଲାପରି ମନେହୁଏ। ପୁନଶ୍ଚ ୨୦୨୪-୨୫ ସୁଦ୍ଧା ଅର୍ଥନୀତିର ଆକାର ୫ ଟ୍ରିଲିୟନ ଡଲାର ହେବବୋଲି କହିବା ଏକ ମରୀଚିକା, କାରଣ ଏଥିପାଇଁ ଅଭିବୃଦ୍ଧି ହାର ୧୦%ରୁ ଅଧିକ ହେବା ଜରୁରୀ।
ପୁନଶ୍ଚ ସଂଶୋଧିତ ଅଟକଳରେ ୨୦୧୮-୧୯ର ଆର୍ଥିକ ଅଭିବୃଦ୍ଧିହାର ୬.୮%ରୁ ୬. ୧%କୁ ହ୍ରାସ ପାଇଛି। ଏଣୁ ୨୦୨୦-୨୧ରେ ଆର୍ଥିକ ଅଭିବୃଦ୍ଧି ଯେଉଁ ୬ରୁ ୬.୫% ଲକ୍ଷ୍ୟଧାର୍ଯ୍ୟ କରାଯାଇଛି, ତାହା ସମ୍ଭବ ନୁହେଁ। ପୁନଶ୍ଚ ବଜେଟ ବ୍ୟୟ ଆକଳନ କଲାବେଳେ ନାମାଙ୍କନ ଅଭିବୃଦ୍ଧି ୧୦% (ବାସ୍ତବ ଅଭିବୃଦ୍ଧି + ମୁଦ୍ରାସ୍ଫୀତି) ହେବବୋଲି ଧାର୍ଯ୍ୟ କରାଯାଇଛି। ୨୦୧୯-୨୦ରେ ନାମାଙ୍କନ ଅଭିବୃଦ୍ଧି ୧୨% ଧାର୍ଯ୍ୟ କରାଯାଇଥିଲାବେଳେ ଏହା ୭. ୫% ହେବ। ସେହିପରି ବାସ୍ତବ ଜିଡିପି ବୃଦ୍ଧି ୭% ଧାର୍ଯ୍ୟ କରାଯାଇଥିଲାବେଳେ ବାସ୍ତବରେ ଏହା ୫%ରୁ କମ୍‌ ହେବ। ଏପରି ନିମ୍ନଗାମୀ ଅଭିବୃଦ୍ଧି ସମୟରେ ୨୦୨୦-୨୧ ଆର୍ଥିକ ବର୍ଷରେ ନାମାଙ୍କନ ଅଭିବୃଦ୍ଧି ୧୦% ହେବ ଏବଂ ସେହି ଅନୁସାରେ ବ୍ୟୟ ଅଟକଳ କରିବା ଅର୍ଥ ସମସ୍ତ ତଥ୍ୟ ଭୁଲ ପ୍ରମାଣିତ ହେବ।
ବଜେଟରେ ବ୍ୟକ୍ତିଗତ ଆୟକର କ୍ଷେତ୍ରରେ ପରିବର୍ତ୍ତନ କରାଯାଇଛି, କିନ୍ତୁ ବହୁ ବର୍ଷ ଧରି ସେଥିରେ ଆଶାନୁରୂପ ପରିବର୍ତ୍ତନ ହୋଇନଥିଲା। ମୁଦ୍ରାସ୍ଫୀତିକୁ ଦେଖିଲେ ଆୟକର ଛାଡ଼ ସୀମା ଏବଂ ସଞ୍ଚୟଜନିତ ରିଆତି ଦେବାର ଆବଶ୍ୟକତା ଥିଲା; କିନ୍ତୁ କେନ୍ଦ୍ର ଅର୍ଥମନ୍ତ୍ରୀ ଦୁଇପ୍ରକାର ବ୍ୟକ୍ତିଗତ ଆୟକର ପଦ୍ଧତି ଘୋଷଣା କରି ଏହି ପ୍ରକ୍ରିୟାକୁ ଅଧିକ ଜଟିଳ କରିଦେଇଛନ୍ତି। ଜଣେ ପୁରୁଣା ହାରରେ ଟିକସ ଦେଇପାରେ କିମ୍ବା ନୂତନ ହାରରେ ଦେଇପାରେ। ନୂତନ ହାରରେ ଟିକସ ହାରରେ କିଛିହ୍ରାସ ଘଟିଲାବେଳେ ୭୦ ପ୍ରକାର ରିଆତିର ଉଚ୍ଛେଦ କରାଯାଇଛି। ନୂତନ ଟିକସ ବ୍ୟବସ୍ଥା ଅନୁଯାୟୀ ୫ ଲକ୍ଷଟଙ୍କା ପର୍ଯ୍ୟନ୍ତ ମୋଟ ଆୟ ଉପରେ ଆଦୌ ଟିକସ ନପଡ଼ିଲାବେଳେ, ୫ରୁ ୭. ୫ ଲକ୍ଷଟଙ୍କା ଉପରେ ୧୦%, ୭. ୫ଲକ୍ଷରୁ ୧୦ଲକ୍ଷଟଙ୍କା ଉପରେ ୧୫%, ୧୦ଲକ୍ଷଟଙ୍କାରୁ ୧୨. ୫ଲକ୍ଷ ଟଙ୍କା ଉପରେ ୨୦%, ୧୨. ୫ରୁ ୧୫ଲକ୍ଷଟଙ୍କା ଉପରେ ୨୫% ଏବଂ ୧୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଆୟ ଉପରେ ୩୦% ହାରରେ ଟିକସ ଦେବାକୁ ପଡ଼ିବ। ୨୦ ଲକ୍ଷଟଙ୍କାରୁ ଊର୍ଦ୍ଧ୍ବ ଆୟ ଉପରେ ଅଧିକ ହାରରେ ଟିକସ ଧାର୍ଯ୍ୟ କରିବା ଉଚିତ। ପୂର୍ବରୁ ୨. ୫ ଲକ୍ଷ ଟଙ୍କା ଆୟ ଉପରେ ଆଦୌ ଟିକସ ପଡ଼ୁ ନଥିଲାବେଳେ ୨.୫ଲକ୍ଷରୁ ୫ଲକ୍ଷଟଙ୍କା ଟ୍ୟାକ୍ସେବୁଲ ଆୟ ଉପରେ ୫%; ୫ଲକ୍ଷଟଙ୍କାରୁ ୧୦ ଲକ୍ଷ ଟଙ୍କା ଉପରେ ୨୦% ଏବଂ ୧୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଆୟ ଉପରେ ୩୦% ହାରରେ ଟିକସ ପଡ଼ୁଥିଲା। ଉଭୟ ନୂଆ ପୁରୁଣାରେ ୫୦ଲକ୍ଷ ଟଙ୍କାରୁ ୧କୋଟି ଟଙ୍କା ଆୟ ଉପରେ ସରଚାର୍ଜ ୧୦% ପଡ଼ିଲାବେଳେ, ୧କୋଟି ଟଙ୍କାର ଟ୍ୟାକ୍ସେବୁଲ ଆୟ ଉପରେ ୧୫% ସରଚାର୍ଜ ପଡ଼ୁଥିଲା। ଏହା ସହିତ ୪% ସ୍ବାସ୍ଥ୍ୟ ଓ ଶିକ୍ଷା ସେସ୍‌ ପଡ଼ୁଥିଲା। ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ସରଚାର୍ଜରେ ପରିବର୍ତ୍ତନ ଆଣିଛନ୍ତି।
ସରକାରଙ୍କ କହିବା ଅନୁଯାୟୀ ପୁରୁଣା ଆୟକର ହାରରେ ୧୫ଲକ୍ଷ ଟଙ୍କା ବାର୍ଷିକ ଆୟକାରୀ ବ୍ୟକ୍ତି ୨ଲକ୍ଷ ୭୩ ହଜାର ଟଙ୍କା ଟିକସ ଦେଉଥିଲାବେଳେ ନୂଆ ପଦ୍ଧତିରେ ୧ଲକ୍ଷ ୯୫ହଜାର ଟଙ୍କା ଟିକସ ଦେବ। ଏଣୁ ୭୮,୦୦୦ଟଙ୍କାର ଟିକସ ବୋଝ ହ୍ରାସ ପାଇବ। ବଜେଟକୁ ମନଛୁଆଁ କରିବା ପାଇଁ ଅର୍ଥମନ୍ତ୍ରୀ ବଜେଟ୍‌ର ବିଭିନ୍ନ ବିଭାଗକୁ ନୂତନ ନାମ ଦେଇଛନ୍ତି ଯଥା- ଅସ୍ପାରାଇରେସନାଲ ଇଣ୍ଡିଆ, ଆର୍ଥିକ ବିକାଶ, ନୂତନ ଅର୍ଥନୀତି କେୟାରିଂ ସେକ୍ଟର, ବିତ୍ତୀୟ ସେକ୍ଟର ଇତ୍ୟାଦି।
ବଜେଟରେ ଆର୍ଥିକ ସଂକଟ ଦୃଷ୍ଟିଗୋଚର ହୋଇଛି। ସରକାର ବିତ୍ତୀୟ ନିଅଣ୍ଚ ଧାର୍ଯ୍ୟସୀମା ମଧ୍ୟରେ ରଖିବାରେ ବିଫଳ ହୋଇଛନ୍ତି। ୨୦୧୯-୨୦ରେ ଏହା ଜିଡିପିର ୩.୮%ହେଲାବେଳେ ୨୦୨୦-୨୧ ବର୍ଷ ପାଇଁ ଜିଡିପିର ୩.୫%ରେ ଧାର୍ଯ୍ୟ କରାଯାଇଛି। ଏହାର ଅର୍ଥ ସରକାର ଅଧିକ ଋଣ କରିବେ। ପୁନଶ୍ଚ ସରକାର ବିତ୍ତୀୟ ନିଅଣ୍ଟ ଭରଣା ପାଇଁ ରାଷ୍ଟ୍ରାୟତ୍ତ ଶିଳ୍ପରୁ ପୁଞ୍ଜି ପ୍ରତ୍ୟାହାର ବା ଘରୋଇକରଣ ପ୍ରକ୍ରିୟା ଉପରେ ଅଧିକ ନିର୍ଭରଶୀଳ। ଏପରି ଦେଶର ପ୍ରଗତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା; ଜନସାଧାରଣଙ୍କ ସେବାରେ ଉତ୍ସର୍ଗ ଥିବା ଭାରତୀୟ ଜୀବନବୀମା ନିଗମରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ଚିନ୍ତା କରୁଛନ୍ତି। ଏହା ପିତୃ ଅର୍ଜିତ ସମ୍ପତ୍ତି ବିକ୍ରି କରି ଦେଶ ଚଳାଇବା ସଦୃଶ।
ଅବଶ୍ୟ ବଜେଟ୍‌ରେ କିଛି ଭଲ ପଦକ୍ଷେପ ଥିଲାବେଳେ କିଛି ଖରାପ ପଦ‌େ‌କ୍ଷପ ରହିଛି। ବିଶେଷ ଭାବେ କର୍ପୋରେଟମାନଙ୍କୁ ଯେତେ ସମ୍ଭବ ରିଆତି ଦେବା ପାଇଁ ଚେଷ୍ଟା କରାଯାଇଛି। ବଜେଟ ପୂର୍ବରୁ କର୍ପୋରେଟ ଟିକସ ଅହେତୁକ ହ୍ରାସ କରାଯାଇଥିଲା। ସାଧାରଣ ଜନତାଙ୍କ ପାଇଁ ସେପରି କିଛିନାହିଁ। ଚାଷୀ ଆତ୍ମହତ୍ୟାକୁ ରୋକିବା, ଦର୍‌ଦାମ ନିୟନ୍ତ୍ରଣ କରିବା, ନିଯୁକ୍ତି ସୃଷ୍ଟି କରିବା, ଭିତ୍ତିଭୂମିର ବିକାଶ, ଶିକ୍ଷା, ସ୍ବାସ୍ଥ୍ୟ, ସୁବିଧା ସହଜରେ ଉପଲବ୍ଧ କରାଇବା, ବେକାରୀ ହ୍ରାସ କରି ନୂତନ ନିଯୁକ୍ତି ସୃଷ୍ଟି କରିବା, ଚାଷୀ ଆତ୍ମହତ୍ୟା ରୋକିବା, ଦରଦାମ ଓ ମୁଦ୍ରାସ୍ଫୀତି ନିୟନ୍ତ୍ରଣ, ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ। ସରକାର ଗୋଟିଏ ପଟେ କର୍ପୋରେଟଙ୍କ ସ୍ବାର୍ଥ ସୁରକ୍ଷା କଥା କହିଲାବେଳେ ସାଧାରଣ ଜନତାଙ୍କ ସ୍ବାର୍ଥ କଥା ଭୁଲିଯାଇଛନ୍ତି। ଦେଶରେ ୧% ଜନତା ପ୍ରାୟ ୫୩% ସମ୍ପଦର ଅଧିକାରୀ ହୋଇଥିଲାବେଳେ ସମ୍ପଦର ସୁଷମବଣ୍ଟନ ପାଇଁ କୌଣସି ପଦକ୍ଷେପ ନାହିଁ। କେବଳ କର୍ପୋରେଟ ଜଗତକୁ ସୁହାଇଲାପରି ବଜେଟ ପ୍ରସ୍ତୁତ କରାଯାଇଛି। ରାଷ୍ଟ୍ରାୟତ୍ତ ଶିଳ୍ପର ଘରୋଇକରଣ ପାଇଁ ପଥ ପ୍ରଶସ୍ତ କରାଯାଇଛି।

Comments are closed.