ଓଡ଼ିଶା ଉପେକ୍ଷିତ : ବଜେଟରେ ଓଡ଼ିଶାର ଆବଶ୍ୟକତା ଓ ଦାବି ପ୍ରତି ଧ୍ୟାନ ଦିଆଯାଇନାହିଁ

ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିଥିବା ୨୦୨୧-୨୨ ସାଧାରଣ ବଜେଟରେ ଓଡ଼ିଶାକୁ ଉପେକ୍ଷା କରାଯାଇଥିବା ସ୍ପଷ୍ଟ ଜଣାପଡ଼ୁଛି। କେବଳ ପାରାଦ୍ବୀପରେ ଏକ ମାଛଧରା ପୋତାଶ୍ରୟ ବିକଶିତ କରାଯିବା ବ୍ୟତୀତ ରାଜ୍ୟ ପାଇଁ ସେପରି କିଛି ଆଖିଦୃଶିଆ ନୂଆ ବା ବଡ଼ ଘୋଷଣା କରାଯାଇନାହିଁ। ରେଳବାଇ, ସଡ଼କପଥ, ସାମାଜିକ ସହାୟତା କାର୍ଯ୍ୟକ୍ରମରେ ଆବଣ୍ଟନ ଆଦି କ୍ଷେତ୍ରରେ ଓଡ଼ିଶାରେ ପୁଞ୍ଜି ବିନିଯୋଗର ଆବଶ୍ୟକତା ଥିଲେ ମଧ୍ୟ ତାହା କରାଯାଇନଥିବା କହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚଳିତବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ଚାରିଟି ରାଜ୍ୟ ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ ଓ ଆସାମର ଭିତ୍ତିଭୂମି ନିର୍ମାଣ ନିମନ୍ତେ କେନ୍ଦ୍ର ସରକାର ବଜେଟ୍‌ରେ ଯେଉଁ ବିପୁଳ ଅର୍ଥର ବ୍ୟବସ୍ଥା କରିଛନ୍ତି, ତାକୁ ଦେଖି ମୁଖ୍ୟମନ୍ତ୍ରୀ ଏପରି କହିଥାଇପାରନ୍ତି। ହୁଏତ ଏଠାରେ ନିର୍ବାଚନ ନଥିବାରୁ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ପାଇଁ ଓଡ଼ିଶା ଉପରେ ଆଖି ପଡ଼ିନାହିଁ! ସେ ଯାହାହେଉ, ବଜେଟରେ ଯେଉଁ ରାୟପୁର-ବିଶାଖାପାଟଣା ୪୬୪ କିଲୋମିଟର ଜାତୀୟ ରାଜପଥ (ଏକ୍ସପ୍ରେସ୍‌ ୱେ) ନିର୍ମାଣ ଘୋଷଣା କରାଯାଇଛି, ସେଥିରୁ ଓଡ଼ିଶା କିଛିଟା ଉପକୃତ ହେବ, କାରଣ ତାହା ଓଡ଼ିଶା ମଧ୍ୟଦେଇ ଯିବ। ୨୦୨୧-୨୨ ଆର୍ଥିକ ବର୍ଷରୁ ଏହି କାମ ଆରମ୍ଭ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏହି ଜାତୀୟ ରାଜପଥଟି ନୂଆପଡ଼ା, କଳାହାଣ୍ଡି, ନବରଂଗପୁର ଓ କୋରାପୁଟ ଭଳି ରାଜ୍ୟର ଅନୁନ୍ନତ ଜିଲାଗୁଡ଼ିକ ଦେଇ ନିର୍ମାଣ ହେବାକୁ ଥିବାରୁ ଏସବୁ ଜିଲା ପ୍ରତ୍ୟକ୍ଷଭାବେ ଉପକୃତ ହେବାର ସମ୍ଭାବନା ରହିଛି। ସେହିପରି ରେଳ କରିଡର ନିର୍ମାଣ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଆଂଶିକ ଭାବେ ଲାଭବାନ ହେବ। ବଜେଟରେ ଖଡ଼ଗପୁରରୁ ବିଜୟୱାଡ଼ା ପର୍ଯ୍ୟନ୍ତ ଏକ ଫ୍ରେଟ୍‌ କରିଡର୍‌ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି, ଯାହା ଓଡ଼ିଶାର କେତେକ ଜିଲାଦେଇ ଗତି କରିବ। ପୂର୍ବରୁ ସ୍ବତନ୍ତ୍ର ଭାବେ ଯେଉଁ ରେଳ ବଜେଟ୍‌ ଉପସ୍ଥାପନ କରାଯାଉଥିଲା, ସେଥିରେ ପ୍ରତ୍ୟେକ ରାଜ୍ୟରେ ନିର୍ଦିଷ୍ଟଭାବେ କି କି ରେଳପ୍ରକଳ୍ପ ହେବ, ସେ ସମ୍ପର୍କରେ ସବିଶେଷ ବିବରଣୀ ରହୁଥିଲା। ସେହି ପରମ୍ପରାକୁ ମୋଦୀ ସରକାର ଉଚ୍ଛେଦ କରିବାପରେ ଏ ସମ୍ପର୍କରେ ବିସ୍ତୃତ ଭାବେ ଜାଣିବା ସମ୍ଭବ ହେଉନାହିଁ।
ଚଳିତବର୍ଷ (୨୦୨୦-୨୧ ଆର୍ଥିକ ବର୍ଷ) କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ପ୍ରାୟ ୧୦,୮୪୦ କୋଟି ଟଙ୍କା ହ୍ରାସ ପାଇଥିବାରୁ ରାଜ୍ୟ ଉପରେ ତା’ର ଭାର ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ଆଶଙ୍କା ପ୍ରକାଶ କରିଛନ୍ତି। ତେବେ ଆସନ୍ତାବର୍ଷ (୨୦୨୧-୨୨ ଆର୍ଥିକ ବର୍ଷ) ମଧ୍ୟ ଆକଳନଠାରୁ ପ୍ରାୟ ୩ ହଜାର କୋଟି ଟଙ୍କା ଓଡ଼ିଶାକୁ କମ୍ ମିଳିବ ବୋଲି ଜଣାପଡ଼ିଛି; କାରଣ ୩୩ ହଜାର କୋଟି ଟଙ୍କା ମିଳିବ ବୋଲି ଆଶା କରାଯାଉଥିବାବେଳେ ଏବେ ହିସାବରୁ ଜଣାପଡ଼ିଛି ଯେ ପ୍ରାୟ ୩୦ ହଜାର କୋଟି ଟଙ୍କା ମିଳିବ। କରୋନାପୀଡ଼ିତ ରାଜ୍ୟ ଅର୍ଥନୀତି ପାଇଁ ଏହା ନିଶ୍ଚିତଭାବେ ଭଲ ସୂଚନା ନୁହେଁ। ଆହୁରି ମଧ୍ୟ ସଂସଦରେ ଉପସ୍ଥାପିତ ଅର୍ଥ କମିସନଙ୍କ ଚୂଡ଼ାନ୍ତ ରିପୋର୍ଟ ଅନୁସାରେ ଓଡ଼ିଶା ଆର୍ଥିକ କ୍ଷେତ୍ରରେ କ୍ଷତି ସହିବ ବୋଲି ଜଣାପଡ଼ୁଛି; କାରଣ ପଞ୍ଚଦଶ ଅର୍ଥ କମିସନ ଅର୍ଥ ଆବଣ୍ଟନ ଲାଗି ଯେଉଁ ନିୟମ ପ୍ରଣୟନ କରିଛନ୍ତି, ତାହା ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ସପକ୍ଷରେ ଏବଂ ଓଡ଼ିଶା ବିପକ୍ଷରେ ଯାଉଛି। ରାଜ୍ୟଗୁଡ଼ିକୁ ଆବଣ୍ଟିତ ରାଶିର ୧୦.୦୫୮ ଶତାଂଶ ବିହାରକୁ ମିଳିବାକୁ ଥିବାବେଳେ ଓଡ଼ିଶା ଗତବର୍ଷ ତୁଳନାରେ ୧୦ ବେସିକ୍ ପଏଣ୍ଟ ହାରରେ କମ୍‌ ଅର୍ଥ ପାଇବ। ୨୦୨୧-୨୫ ପାଞ୍ଚବର୍ଷ ପାଇଁ ୪.୫୨୮ ଶତାଂଶ ହାରରେ ମିଳିବ। ସୂଚନାଯୋଗ୍ୟ ଯେ ଚତୁର୍ଦ୍ଦଶ ଅର୍ଥ କମିସନଙ୍କ ସମୟରେ ଏହାର ପରିମାଣ ଥିଲା ୪.୬୪ ଶତାଂଶ। ଚତୁର୍ଦ୍ଦଶ ଅର୍ଥ କମିସନ ଟିକସ ଅର୍ଥରୁ ୪୨ ଶତାଂଶ ରାଜ୍ୟଗୁଡ଼ିକୁ ପ୍ରଦାନ କରିବା ଲାଗି ସୁପାରିସ୍‌ କରିଥିଲାବେଳେ ପଞ୍ଚଦଶ ଅର୍ଥ କମିସନ ତାଙ୍କର ଅନ୍ତରୀଣ ରିପୋର୍ଟରେ ୪୧ ଶତାଂଶ କରିଥିଲେ, ଯାହାକୁ ତାଙ୍କ ପୂର୍ଣ୍ଣାଙ୍ଗ ରିପୋର୍ଟରେ ମଧ୍ୟ ବଳବତ୍ତର ରଖିଛନ୍ତି। ଅର୍ଥ କମିସନଙ୍କ ସୁପାରିସରେ ରାଜ୍ୟର କ୍ଷମତାକୁ କ୍ରମଶଃ ସଙ୍କୁଚିତ କରିଦିଆଯିବା ଦୁର୍ଭାଗ୍ୟଜନକ।
ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ସାମାଜିକ ସୁରକ୍ଷା ଯୋଜନା, କୃଷି ଋଣ ଛାଡ଼, ମନରେଗା ଆଦି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ଅଧିକ ବ୍ୟୟବରାଦର ଆବଶ୍ୟକତା ରହିଥିବାବେଳେ ତାହା କରାଯାଇନାହିଁ; ତେଣୁ ଓଡ଼ିଶା ସମେତ ପ୍ରତ୍ୟେକ ରାଜ୍ୟ ଏହାଦ୍ବାରା ପ୍ରଭାବିତ ହେବେ। ଏସବୁ ଯୋଜନାର ହିତାଧିକାରୀ ଆର୍ଥିକ ଅନଗ୍ରସର ଗରିବ ଓ କୃଷିଜୀବୀ ହୋଇଥିବାରୁ ସେମାନଙ୍କ ଉପରେ ସିଧାସଳଖ ଏହାର ପ୍ରଭାବ ପଡ଼ିବ। ସରକାର ଆଇସିଡିଏସ୍‌ ଭଳି ଏକ ଗୁରୁତ୍ବପୂର୍ଣ୍ଣ ଶିଶୁ ବିକାଶ ଯୋଜନାକୁ ବନ୍ଦ କରିଦେଇଛନ୍ତି, ଯେଉଁଥିରେ ପୂର୍ବରୁ ୨୮ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ତା’ ସ୍ଥାନରେ ସରକାର ପୋଷଣ-୨.୦ ନାମକ କାର୍ଯ୍ୟକ୍ରମ ଆରମ୍ଭ କରିବେ, ଯେଉଁଥିରେ ଦେଶର ୧୧୨ଟି ଜିଲାକୁ ଅନ୍ତର୍ଭୁକ୍ତ କରାଯିବ। ଏଥିରେ ଓଡ଼ିଶାର ୧୦ଟି ଜିଲା ରହିଥିବା କୁହାଯାଉଛି। ଏଥିପାଇଁ ୨୦ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି; ଅର୍ଥାତ ପୂର୍ବାପେକ୍ଷା ୮ ହଜାର କୋଟି ଟଙ୍କା କମ୍‌। ସେହିପରି ବଜେଟରେ ପେଟ୍ରୋଲ୍‌ ଓ ଡିଜେଲ୍‌ରେ ନୂଆ କୃଷି ଓ ବିକାଶ ସେସ୍‌ ଲାଗୁ କରାଯିବ ବୋଲି ଘୋଷଣା କରାଯାଇଛି, ଯାହା କେନ୍ଦ୍ରକୁ ଯିବ ଅର୍ଥାତ୍‌, ସିଧାସଳଖ ରାଜ୍ୟ କିଛି ପାଇବ ନାହିଁ। ସେସ୍‌ ଉପରେ କେନ୍ଦ୍ର ଏବେ ଅଧିକ ଗୁରୁତ୍ବ ଦେଉଥିବାରୁ ରାଜ୍ୟଗୁଡ଼ିକର ଅଂଶ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଉଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଗତ କେଇବର୍ଷ ମଧ୍ୟରେ ଓଡ଼ିଶା ବଳକା ରାଜ୍ୟ ଭାବେ ପରିଗଣିତ ହେବା ଫଳରେ ଅନ୍ୟ ରାଜ୍ୟଗୁଡ଼ିକ ଯେଉଁ ସ୍ବତନ୍ତ୍ର କେନ୍ଦ୍ରୀୟ ଅନୁଦାନ ହାସଲ କରୁଛନ୍ତି, ସେଥିରୁ ବଞ୍ଚିତ ହେଉଛି। ଏସବୁରୁ ସ୍ପଷ୍ଟ ହେଉଛି ଯେ ଓଡ଼ିଶାର ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ପ୍ରବଳ ଚାପ ରହିଛି। ସରକାର ଏହାକୁ କିପରି ସୁନିୟନ୍ତ୍ରିତ କରିବେ, ତାହା ଆଗାମୀ ଫେବୃଆରୀ ୨୨ରେ ଅର୍ଥମନ୍ତ୍ରୀ ଉପସ୍ଥାପନ କରିବାକୁ ଥିବା ରାଜ୍ୟ ବଜେଟରୁ ଜଣାପଡ଼ିବ।

Comments
Loading...