ଛାତ୍ରୀଙ୍କ ଆତ୍ମହତ୍ୟା

ଚନ୍ଦ୍ରଶେଖରପୁର: ଇନ୍‌ଫୋସିଟି ଥାନା ଅଧୀନ ଏକ ଘରୋଇ ଶିକ୍ଷାନୁଷ୍ଠାନ ଛାତ୍ରୀନିବାସରେ ରହୁଥିବା ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ସମ୍ପର୍କରେ ଜଣା ପଡି ନ ଥିଲା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି। ମୃତ ଛାତ୍ରୀଙ୍କ ନାମ ପ୍ରଜ୍ଞାମିତା ସେଠୀ। ତାଙ୍କ ଘର କୋରାପୁଟ ଜିଲା ସୁନାବେଡା ହୋଇଥିବା ବେଳେ ସେ ଏଠାରେ ଏମବିଏ ଦ୍ବିତୀୟ ବର୍ଷର ଛାତ୍ରୀ ଥିଲେ। ପ୍ରଜ୍ଞା ରହୁଥିବା ରୁମରେ ଅନ୍ୟ ଦୁଇଜଣ ମଧ୍ୟ ରହୁଥିଲେ। ମାତ୍ର ନୂଆବର୍ଷ ଛୁଟି ଥିବାରୁ ସେମାନେ ଘରକୁ ଯାଇଥିଲେ। ପ୍ରଜ୍ଞା ସୋମବାର ନୂଆ ଚାକିରିରେଯୋଗ ଦେବାକୁ ଥିବାରୁ ଘରକୁ ଯାଇ ନ ଥିଲେ। ଶୁକ୍ରବାର ମଧ୍ୟାହ୍ନରେ ମା’ଙ୍କ ସହିତ ବହୁ ସମୟ କଥା ହେବା ସହ କଲେଜ ଦେୟ ବାବଦରେ ୪୫ ହଜାର ଟଙ୍କା ପଠାଇବାକୁ କହିଥିଲେ। ଏହାପରେ ମା’ ତାଙ୍କ ବ୍ୟାଙ୍କ ଖାତାକୁ ୪୫ହଜାର ଟଙ୍କା ପଠାଇଥିଲେ।

ଅପରାହ୍ଣ ୩ଟା ପରଠାରୁ ପ୍ରଜ୍ଞା ପରିବାର ଲୋକଙ୍କଫୋନ ଗ୍ରହଣ କରି ନ ଥିଲେ। ପରିବାର ଲୋକେ ହଷ୍ଟେଲ ୱାର୍ଡେନ ଏବଂ ଅନ୍ୟ ସହପାଠୀଙ୍କୁ ଫୋନ କରିଥିଲେ ମଧ୍ୟ ପ୍ରଜ୍ଞାଙ୍କ ସମ୍ପର୍କରେ ଜାଣି ପାରି ନ ଥିଲେ। ସନ୍ଧ୍ୟାରେ ପ୍ରଜ୍ଞାର ଦେହ ଗୁରୁତର ବୋଲି କଲେଜ କର୍ତ୍ତୃପକ୍ଷ ଲୋକଙ୍କୁ ଜଣାଇଥିଲେ। ଶନିବାର ସକାଳେ ପରିବାର ଲୋକେ ପହଞ୍ଚିବା ପରେ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ଲାଗି ପଠାଯାଇଥିଲା। ପରିବାର ଲୋକେ କୌଣସି ଅଭିଯୋଗ ନକରିବା ହେତୁ କଲେଜ କର୍ତ୍ତୃପକ୍ଷଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ତେବେ ଆତ୍ମହତ୍ୟା କରିବା ପୂର୍ବରୁ ପ୍ରଜ୍ଞା ପ୍ରେମିକଙ୍କ ସହ ଭିଡିଓ କଲରେ କଥା ହେଉଥିଲେ। କଥା ହେଉ ହେଉ ହଠାତ ପ୍ରଜ୍ଞା ବେକରେ ଓଢଣି ଲଗାଇ ପଙ୍ଖାରେ ଝୁଲି ପଡିଥିଲେ। ପ୍ରେମିକ ଓ ତାଙ୍କ ସାଥୀମାନେ କଲେଜ ହଷ୍ଟେଲକୁ ଆସିବା ପରେ ଘଟଣା ସମ୍ପର୍କରେ ଜଣାପଡିଥିଲା।

Comments are closed.