ଭାଇକୁ ବିଏସପିର ଉପାଧ୍ୟକ୍ଷ ଓ ପୁତୁରାକୁ ରାଷ୍ଟ୍ରୀୟ ସଂଯୋଜକ କଲେ ମାୟାବତୀ

ଲକ୍ଷ୍ନୌ : ବହୁଜନ ସମାଜ ପାର୍ଟି (ବିଏସପି) ଅଧ୍ୟକ୍ଷା ମାୟାବତୀ ରବିବାର ଦଳୀୟ ପଦାଧିକାରୀଙ୍କ ବୈଠକରେ ବଡ଼ ଘୋଷଣା କରିଛନ୍ତି। ସେ ନିଜ ଭାଇ ଆନନ୍ଦ କୁମାରଙ୍କୁ ବିଏସପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ ପୁତୁରା ଆକାଶ ଆନନ୍ଦଙ୍କୁ ରାଷ୍ଟ୍ରୀୟ ସଂଯୋଜକ ପଦରେ ନିଯୁକ୍ତ କରିଥିବା ଘୋଷଣା କରିଛନ୍ତି। ବଂଶବାଦ ରାଜନୀତିକୁ ସମାଲୋଚନା କରିଆସୁଥିବା ମାୟାବତୀଙ୍କ ଏଭଳି ପଦକ୍ଷେପ ଦଳୀୟ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନାଯୋଗ୍ୟ ଯେ ଲୋକସଭା ନିର୍ବାଚନ ପରେ ରବିବାର ବିଏସପିର ବରିଷ୍ଠ ନେତା ଓ ଦଳୀୟ ପଦାଧିକାରୀଙ୍କ ସହ ମାୟାବତୀ ଲକ୍ଷ୍ନୌଠାରେ ପ୍ରଥମ ବୈଠକ କରିଛନ୍ତି। ବୈଠକରେ ବିଭିନ୍ନ ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଦଳୀୟ ପଦାଧିକାରୀଙ୍କୁ ଆବଶ୍ୟକ ମାର୍ଗଦର୍ଶନ ଦିଆଯାଇଛି।
ଉତ୍ତରପ୍ରଦେଶ ଲୋକସଭା ନିର୍ବାଚନରେ ବିଏସପି ୧୦ଟି ଆସନ ଜିତିଛି। ଏସପିଠାରୁ ଅଲଗା ହୋଇ ଉତ୍ତରପ୍ରଦେଶରେ ଏକାକୀ ୧୨ ବିଧାନସଭା ଆସନରେ ଉପନିର୍ବାଚନ ଲଢିବାକୁ ମାୟାବତୀ ଘୋଷଣା କରିଛନ୍ତି। ଏହାସହ ମାୟାବତୀ ୨୦୨୨ ବିଧାନସଭା ନିର୍ବାଚନରେ ସମସ୍ତ ୪୦୩ ଆସନରେ ଲଢିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପ୍ରକାଶ ଯେ ଆସନ୍ତା ବର୍ଷ ମହାରାଷ୍ଟ୍ର, ଦିଲ୍ଲୀ, ହରିୟାଣା, ବିହାର ଏବଂ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଏହି ସମସ୍ତ ରାଜ୍ୟରେ ଏକାକୀ ବିଧାନସଭା ନିର୍ବାଚନ ଲଢିବାକୁ ବିଏସପି ଲକ୍ଷ୍ୟ ରଖିଛି।

Comments are closed.