ବିଏସ୍‌ଏଫ ଯବାନଙ୍କ ପାଇଁ ନିର୍ମାଣ ହେବ ଅତିଥି ଭବନ

0

ନୂଆଦିଲ୍ଲୀ : ନବବିବାହିତ ଯବାନଙ୍କ ଏକୁଟିଆ ପଣ ଦୂର କରିବା ପାଇଁ ସୀମା ସୁରକ୍ଷା ବଳ(ସିଆରପିଏଫ୍‌) ପକ୍ଷରୁ ୧୯୦ଟି ଅତିଥି ଭବନ ନିର୍ମାଣ କରାଯିବ। ପଶ୍ଚିମ ଓ ପୂର୍ବ ସୀମାନ୍ତରେ ଥିବା ୮ଟି ସ୍ଥାନରେ ଏହି ଅତିଥି ଭବନ ନିର୍ମାଣ କରାଯିବ ଓ ଏଥିରେ ୨୮୦୦ରୁ ଅଧିକ କୋଠରି ରହିବ ବୋଲି ଜଣାପଡ଼ିଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏଭଳି ଯୋଜନାକୁ ସ୍ୱୀକୃତି ଦେଇଛି। ନିକଟରେ ବିଏସ୍‌ଏଫ୍‌ ଦ୍ୱାରା ଏହି ଉଦ୍ଦେଶ୍ୟରେ ପ୍ରସ୍ତାବିତ ୧୫ଟି ଆପାର୍ଟମେଣ୍ଟ ଭଳି ସୁବିଧା ସୁଯୋଗ ଥିବା କୋଠା ନିର୍ମାଣକୁ ଅନୁମୋଦନ ମିଳିଛି। ଦେଶର ୧୮୬ଟି ବାଟାଲିୟନ ଓ ଅନ୍ୟ କେତେକ ଅଞ୍ଚଳରେ ଏହା ନିର୍ମାଣ କରାଯିବ ବୋଲି ବିଏସ୍‌ଏଫ୍‌ ସୂତ୍ରରୁ ସୂଚନା ଦିଆଯାଇଛି।
ବିଏସ୍‌ଏଫ୍‌ରେ ଅଫିସରମାନଙ୍କ ପାଇଁ ଅତିଥି ଭବନ ରହିଥିଲାବେଳେ କନ୍‌ଷ୍ଟେବଳ ପାହ୍ୟାର କର୍ମଚାରୀଙ୍କ ପାଇଁ ଏହି ସୁବିଧା ନାହିଁ। ଚାକିରିରେ ବିତାଉଥିବା ୩୦ବର୍ଷ ମଧ୍ୟରୁ ଯବାନମାନେ ପରିବାର ସହିତ ମାତ୍ର ୫ବର୍ଷ କାଟୁଥିବାରୁ କାର୍ଯ୍ୟକ୍ଷେତ୍ରରେ ପ୍ରାୟତଃ ନିଜକୁ ଏକୁଟିଆ ମଣିଥାନ୍ତି। ଏଭଳି ମାନସିକ ସମସ୍ୟା ଦୂର କରିବା ପାଇଁ; ବିଶେଷ କରି ନବବିବାହିତ ଯବାନମାନଙ୍କୁ ଖୁସି ଦେବା ପାଇଁ ବିଏସ୍‌ଏଫ୍‌ ଏଭଳି ଯୋଜନା ହାତକୁ ନିଆଯାଇଛି। ବିଏସ୍‌ଏଫ୍‌ ମହାନିର୍ଦେଶକ ଜେନେରାଲ କେ.କେ ଶର୍ମାଙ୍କ ସୂଚନାନୁଯାୟୀ, ଏହା ଦ୍ୱାରା ଯବାନମାନେ ପରିବାର ସହିତ ଅଧିକ ସମୟ ବିତାଇବାର ସୁଯୋଗ ପାଇବେ ଓ ସେମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧିପାଇବ ବୋଲି ଆଶା କରାଯାଉଛି। ପ୍ରସ୍ତାବିତ ଅତିଥି ଭବନରେ ରହିବା ପାଇଁ ନବବିବାହିତଙ୍କୁ ଅଗ୍ରାଧିକାର ଦିଆଯିବ। ଅତିଥି ଭବନରେ ଗୋଟିଏ ଶୋଇବା ଘର, ରୋଷେଇ ଘର, ଗାଧୁଆ ଘର ଓ ଗୋଟିଏ ସାଧାରଣ ବୈଠକ ଖାନା ସହିତ ଟେଲିଭିଜନ ଓ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ସାଜସରଞ୍ଜାମ ରହିବ। ସେମାନଙ୍କୁ ଏକ ନିର୍ଦିଷ୍ଟ ସମୟ ପାଇଁ ରହିବାର ସୁଯୋଗ ଦିଆଯିବ। ଏଥିପାଇଁ ଯବାନମାନଙ୍କୁ କିଛିଟା ଦେୟ ଦେବାକୁ ପଡ଼ିବ। ପାକିସ୍ତାନ ଓ ବାଂଲାଦେଶ ସୀମାନ୍ତରେ ବିପଦ ନଥିବା ଭଳି ସ୍ଥାନରେ ଏହି ଅତିଥି ଭବନ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୧୯୬୫ରେ ଗଠିତ ବିଏସ୍‌ଏଫ୍‌ରେ ସମ୍ପ୍ରତି ଅଢ଼େଇ ଲକ୍ଷ ଯବାନ କାର୍ଯ୍ୟରତ ଅଛନ୍ତି ଓ ସେମାନେ ପାକିସ୍ତାନ ଓ ବାଂଲାଦେଶ ସୀମାରେ ପହରା ଦେଉଛନ୍ତି।

Leave A Reply