ବାଟ ଭୁଲି ଭାରତ ସୀମାକୁ ଚାଲିଆସିଲା ପାକିସ୍ତାନୀ ବାଳକ, ଚକୋଲେଟ୍‌ ଦେଇ ସ୍ବଦେଶ ଫେରାଇଲେ ଯବାନ

ସୀମାରେ ମୁତୟନ ଭାରତୀୟ ଯବାନମାନେ ପୁଣି ଥରେ ମାନବିକତାର ପରିଚୟ ଦେଇଛନ୍ତି। ଭୁଲରେ ଭାରତ ସୀମାକୁ ଚାଲି ଆସିଥିବା ଜଣେ ପାକିସ୍ତାନୀ ନାବାଳକକୁ ଯବାନମାନେ ପାକିସ୍ତାନକୁ ଫେରାଇ ଦେଇଛନ୍ତି। ତେବେ ତା’କୁ ଖାଲି ହାତରେ ଛାଡ଼ି ନାହାନ୍ତି। ଯବାନମାନେ ପିଲାଟିକୁ ଚକୋଲେଟ୍‌ ଦେଇ ସ୍ନେହ ଆଦର କରି ତା’ ଦେଶର ଯବାନଙ୍କୁ ହସ୍ତାନ୍ତର କରିଛନ୍ତି।

ବିଏସଏଫର ଗୁଜରାଟ ଫ୍ରଣ୍ଟିୟର ଡେପୁଟି ଇନ୍ସପେକ୍ଟର ଜେନେରାଲ ଏମ.ଏଲ. ଗର୍ଗ କୁହନ୍ତି, ରାଜସ୍ଥାନର ବାରମେର ଅଞ୍ଚଳରେ ଗତ ଶୁକ୍ରବାର ୮ ବର୍ଷର ଜଣେ ପାକିସ୍ତାନୀ ନାବାଳକ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ଭାରତୀୟ ସୀମାକୁ ଚାଲିଆସିଥିଲା। ସେତେବେଳକୁ ସନ୍ଧ୍ୟା ହୋଇଆସିଥିଲା। ସମୟ ପ୍ରାୟ ଅପରାହ୍ନ ୫ଟା ୨୦ ହୋଇଯାଇଥିଲା। ପିଲାଟି ୮୩ ବାଟାଲିୟନ ବିଏସଏଫ ଯବାନଙ୍କ ସୋମରତସ୍ଥିତ ସୀମାର ପିଲାର ସଂଖ୍ୟା ୮୮୮/୨-ଏସ ନିକଟରେ ଛିଡ଼ା ହୋଇଥିଲା। ବିଏସଏଫ ଯବାନମାନେ ପିଲାଟିକୁ ଦେଖି ତା’ ନିକଟକୁ ଯାଇ ସେନା ଶିବିରକୁ ଆଣିଥିଲେ। ପିଲାଟି ଯବାନମାନଙ୍କୁ ଦେଖି ଭୟଭୀତ ହୋଇଯିବା ସହିତ କାନ୍ଦିବାକୁ ଲାଗିଥିଲା। ଯବାନମାନେ ତା’କୁ ଚକୋଲେଟ୍‌ ଏବଂ ବିସ୍କୁଟ ଦେଇ ଶାନ୍ତ କରିଥିଲେ। ଏହା ପରେ ପିଲାଟିକୁ ତା’ର ନାମ ଏବଂ ଠିକଣା ପଚାରିଥିଲେ। ପିଲାଟି ନିଜ ନାମ କରୀମ ଏବଂ ବାପାଙ୍କ ନାମ ୟମୁନ ଖାନ ଓ ଘର ନଗର ପାରକର୍‌ ଅଞ୍ଚଳରେ ବୋଲି କହିଥିଲା। ଘର ରାସ୍ତା ଭୁଲି ପଳାଇ ଆସିଥିବା ପିଲାଟି କହିଥିଲା।

ପିଲାଟି କଥା ଶୁଣିବା ପରେ ଭାରତୀୟ ସେନା ପକ୍ଷରୁ ପାକ୍‌ ରେଞ୍ଜର୍ସଙ୍କ ସହିତ ପ୍ଲାଗ୍‌ ମିଟିଂ କରାଯାଇଥିଲା। ରାତି ପ୍ରାୟ ୭ଟା ୧୫ରେ ପିଲାଟିକୁ ପାକିସ୍ତାନୀ ରେଞ୍ଜର୍ସଙ୍କୁ ହସ୍ତାନ୍ତର କରାଯାଇଥିଲା। ସୂଚନାଯୋଗ୍ୟ, ଭାରତ ଅନେକ ଥର ଏଭଳି କରିଆସିଛି। କିନ୍ତୁ ଭାରତୀୟ ସୀମା ଅତିକ୍ରମ କରି ଚାଲିଯାଉଥିବା ଲୋକଙ୍କୁ ପାକିସ୍ତାନ ବନ୍ଦୀ କରି ରଖିଛି। ୨୦୨୦ ନଭେମ୍ବରରେ ବାରମେର ଅଞ୍ଚଳର ଜଣେ ୧୯ ବର୍ଷୀୟ ଯୁବକ ଗେମାରାମ ମେଘୱାଲ ଅଜାଣତରେ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ପାକିସ୍ତାନ ଚାଲିଯାଇଥିଲେ। ମାତ୍ର ପାକିସ୍ତାନ ଏ ପର୍ଯ୍ୟନ୍ତ ତାଙ୍କୁ ଭାରତକୁ ହସ୍ତାନ୍ତର କରିନାହିଁ।

Comments are closed.