ଆଇଏସ୍‍ଆଇ ପାଇଁ ଗୁପ୍ତଚରଗିରି କରିବା ଅଭିଯୋଗରେ ବିଏସ୍‍ଏଫ ଯବାନ ଗିରଫ

0

ନୂଆଦିଲ୍ଲୀ : ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‍ଆଇ ପାଇଁ ଗୁପ୍ତଚର କାର୍ଯ୍ୟ କରିବା ଅଭିଯୋଗରେ ରବିବାର ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‍ଏଫ୍‍) ୨୯ ବାଟାଲିୟନରେ ରେଡିଓ ସଂଚାଳକ (ଅପରେଟର) ଭାବେ କାର୍ଯ୍ୟ କରୁଥିବା ଶେଖ୍‍ ରିୟାଜୁଦ୍ଦିନ୍‍ଙ୍କୁ ଗିରଫ କରାଯାଇଛି।
ଶେଖ୍‍ ରିୟାଜୁଦ୍ଦିନଙ୍କ ବିରୋଧରେ ପଞ୍ଜାବ ଫିରୋଜପୁର ମମଦୋଟ୍‍ ପୁଲିସ୍‍ ଥାନାରେ ଅଫିସିଆଲ ସିକ୍ରେଟ୍‍ ଆଇନ୍‍ ୧୯୨୩ ଏବଂ ଜାତୀୟ ସୁରକ୍ଷା ଆଇନ୍‍ ୧୯୮୦ ଧାରାରେ ଏକ ମାମଲା ରୁଜୁ କରାଯାଇଛି। ରିୟାଜୁଦ୍ଦିନ ମହାରାଷ୍ଟ୍ର ଲାତୁର ଅଞ୍ଚଳ ନିବାସୀ ଓ ସେ ବିଏସ୍‍ଏଫରେ ରେଡିଓ ସଂଚାଳକ ଭାବେ ନିଯୁକ୍ତି ପାଇଥିଲେ। ବିଏସ୍‍ଏଫ ଡିପୁଟି କମାଣ୍ଡଣ୍ଟଙ୍କ ଲିଖିତ ଅଭିଯୋଗ ଆଧାରରେ ରିୟାଜୁଦ୍ଦିନଙ୍କୁ ଗିରଫ କରାଯାଇଛି। ପୁଲିସ୍‍ ରିୟାଜୁଦ୍ଦିନଙ୍କ ନିକଟରୁ ୭ଟି ସିମ୍‍ କାର୍ଡ ଓ ମୋବାଇଲ ଫୋନ୍‍ ଜବତ କରିଛି।
ଅଭିଯୋଗ ଅନୁଯାୟୀ ରିୟାଜୁଦ୍ଦିନ ବିଏସ୍‍ଏଫ ଅଧିକାରୀଙ୍କ ମୋବାଇଲ ନମ୍ବର ପାକିସ୍ତାନ ଆଇଏସ୍‍ଆଇକୁ ଦେଉଥିଲେ। ସେ ଫେସ୍‍ବୁକ୍‍ ମେସେଞ୍ଜର ଏବଂ ନିଜ ମୋବାଇଲ ଦ୍ୱାରା ଏହି ସୂଚନା ପାକିସ୍ତାନର ଆଇଏସ୍‍ଆଇକୁ ପ୍ରଦାନ କରୁଥିଲେ। ଗିରଫ ଯବାନଙ୍କୁ କୋର୍ଟ ଚାଲଣ କରାଯିବ। ସେଠାରୁ ରିମାଣ୍ଡରେ ନେଇ ପଚରାଉଚୁରା କରାଯିବ ବୋଲି ପୁଲିସ୍‍ ପକ୍ଷରୁ କୁହାଯାଇଛି।

Leave A Reply