ମାଧ୍ୟମିକ ଶିକ୍ଷା ପରିଷଦର ସାଧାରଣ ପରିଷଦ ବୈଠକ; ଝୁଲି ରହିଲା ମାଟ୍ରିକ ପରୀକ୍ଷା ନିଷ୍ପତ୍ତି

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ବୁଧବାର ସାଧାରଣ ପରିଷଦ ବୈଠକରେ ପାଖାପାଖି ୮୦ କୋଟି ଟଙ୍କାର ବଜେଟ ଅନୁମୋଦନ ଲାଭ କରିଥିବା ଜଣାଯାଇଛି। ବୋର୍ଡ ସଭାପତି ରାମାଶିଷ ହାଜରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ବୋର୍ଡର ଅର୍ଥବିଭାଗ ଦ୍ୱାରା ଆଗତ ବଜେଟ୍‍କୁ ଆଲୋଚନା କରାଯାଇ ଏକ ବର୍ଷ ନିମନ୍ତେ ବିଭିନ୍ନ ଦିଗରେ ଖର୍ଚ୍ଚ ପାଇଁ ପ୍ରସ୍ତୁତ ବ୍ୟୟ ଅଟକଳକୁ ଗୃହୀତ କରାଯାଇଥିଲା। ଏଥିରେ ପରୀକ୍ଷା ପରିଚାଳନା, କାର୍ଯ୍ୟାଳୟ ପରିଚାଳନା, ନୂତନ ଗୃହ ନିର୍ମାଣ, ମରାମତି କାର୍ଯ୍ୟ, କର୍ମଚାରୀମାନଙ୍କ ଦରମା, ପେନ୍‍ସନ୍‍ ପ୍ରଦାନ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମେତ ଅନ୍ୟାନ୍ୟ ଖର୍ଚ୍ଚସବୁ କରାଯିବାକୁ ଧାର୍ଯ୍ୟ ହୋଇଛି। ଏହାବାଦ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହାଇସ୍କୁଲ ପାଠ୍ୟକ୍ରମ ସମ୍ପର୍କରେ ସିଲାବସ୍‍ କମିଟି ଦ୍ୱାରା କେତେକ ତଥ୍ୟ ଆଲୋଚନା ପରିସରକୁ ଆସିଥିଲା। ଦଶମ ଶ୍ରେଣୀ ଓଡ଼ିଆ, ଇଂରାଜୀ ବହିରେ କେତେକ ନୂତନ ଅଧ୍ୟାୟ ଯୋଡ଼ାଯିବା ଓ ପାଠ୍ୟପୁସ୍ତକର ପୁରୁଣା ତଥ୍ୟଗୁଡ଼ିକୁ ସଂଶୋଧିତ କରାଯାଇ ନୂତନ ତଥ୍ୟ ପ୍ରଦାନ କରାଯାଇଥିବା ଉପରେ ଆଲୋକପାତ କରାଯାଇଥିଲା। କରୋନା ପାଇଁ ସ୍ଥଗିତ ଥିବା ମାଟ୍ରିକ ପରୀକ୍ଷା ନିମନ୍ତେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଫର୍ମଫୂରଣ ଓ ମାଟ୍ରିକ ପରୀକ୍ଷା ସମ୍ପର୍କରେ କୌଣସି ଆଲୋଚନା କରାଯାଇନାହିଁ। ଏହାଦ୍ୱାରା ବିଦ୍ୟାଳୟଠାରୁ ଦୂରରେ ରହି ଅନ୍‍ଲାଇନ୍‍ରେ ଶିକ୍ଷାଲାଭ କରୁଥିବା ଦଶମ ଛାତ୍ରଛାତ୍ରୀ ଏବେ ବି ପରୀକ୍ଷା କାର୍ଯ୍ୟସୂଚୀକୁ ନେଇ ଅନ୍ଧାରରେ ରହିବା ସାର ହୋଇଛି। ତୁରନ୍ତ ଏନେଇ ବୋର୍ଡର ନିଷ୍ପତ୍ତି ପ୍ରକାଶ କରାଯିବା ନିମନ୍ତେ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଦାବି ହୋଇଛି। ଏହି ବୈଠକରେ ବୋର୍ଡର ଉପସଭାପତି ତଥା ପରୀକ୍ଷା ନିୟନ୍ତ୍ରକ ଦାୟିତ୍ୱ ବହନ କରୁଥିବା ଡ. ନିହାର ରଞ୍ଜନ ମହାନ୍ତି, ସମ୍ପାଦକ ଶ୍ରୀକାନ୍ତ ତରାଇ, ସହସମ୍ପାଦକଙ୍କ ସମେତ ସାଧାରଣ ପରିଷଦର ସଭ୍ୟ ଥିବା ବିଭିନ୍ନ ଜିଲା ଶିକ୍ଷାଧିକାରୀ, ଶିକ୍ଷାବିତ୍‍ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ପ୍ରତିବର୍ଷ ପରି ଅନୁଷ୍ଠିତ ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା କରାଯିବା ସହ ବଜେଟକୁ ଅନୁମୋଦନ କରାଯାଇଛି ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି।

Comments are closed.