ଅଯୋଗ୍ୟ ଘୋଷିତ ବିଧାୟକଙ୍କୁ ପ୍ରାର୍ଥୀ କରିବ ବିଜେପି: ୟେଦ୍ୟୁରପ୍ପା

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାର ତତ୍କାଳୀନ ବାଚସ୍ପତି ରମେଶ କୁମାରଙ୍କ ଦ୍ବାରା ଅଯୋଗ୍ୟ ଘୋଷିତ ସମସ୍ତ ବିଧାୟକଙ୍କୁ ବିଜେପି ଉପ-ନିର୍ବାଚନ ହେବାକୁ ଥିବା ୧୫ ଆସନରେ ପ୍ରାର୍ଥୀ କରିବ। ସୋମବାର ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦ୍ୟୁରପ୍ପା। ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଏଥିପାଇଁ ସବୁଜ ସଂକେତ ପ୍ରଦାନ କରିଥିବା ୟେଦ୍ୟୁରପ୍ପା କହିଛନ୍ତି। ଇତିମଧ୍ୟରେ ଅଯୋଗ୍ୟ ଘୋଷିତ ୧୭ବିଧାୟକଙ୍କ ମଧ୍ୟରୁ ତିନି ଜଣ ଇସ୍ତଫା ଦେଇ ସାରିଛନ୍ତି। ଏହା ଦ୍ବାରା ବିଜେପି ସରକାର ସୁବିଧାଜନକ ସ୍ଥିତିରେ ରହିଛି। ଅପରପକ୍ଷରେ ଅଯୋଗ୍ୟ ଘୋଷିତ ବିଧାୟକମାନେ କଂଗ୍ରେସ ଓ ଜେଡି(ଏସ୍‌) ଦଳରୁ ନିର୍ବାଚିତ ହୋଇଥିବାରୁ ସେମାନଙ୍କୁ ବିଜେପିରୁ ପ୍ରାର୍ଥୀ କରାଗଲେ ଦଳ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବାର ଯୋଉଁ ଆଶଙ୍କା ରହିଛି ତାହା ଦୂର ପାଇଁ ବ୍ୟବସ୍ଥା ହୋଇଛି। ଗତ ନିର୍ବାଚନରେ ଅଳ୍ପ ଭୋଟ ବ୍ୟବଧାନରେ ହାରିଥିବା ପ୍ରାର୍ଥୀଙ୍କୁ ବିଭିନ୍ନ ପରିଷଦ ଓ ନିଗମରେ ଥଇଥାନ ମାଧ୍ୟମରେ ସନ୍ତୁଷ୍ଟ କରାଯିବ ବୋଲି ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି। ଅଯୋଗ୍ୟ ଘୋଷିତ ବିଧାୟକଙ୍କୁ ପ୍ରାର୍ଥୀ କରାଯିବାକୁ ବିଜେପି ନେତା ଉମେଶ କଟ୍ଟିଙ୍କ ସମେତ କିଛି ବରିଷ୍ଠ ନେତା ବିରୋଧ କରୁଥିବାରୁ ଏହାର ଜବାବରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦଳର ରାଷ୍ଟ୍ରୀୟ ନେତାଙ୍କ ନିଷ୍ପତ୍ତି ଉପରେ କୌଣସି ଦ୍ବନ୍ଦ୍ବ ରହିବା ଅନୁଚିତ। ବିଜୟ ସମ୍ଭାବନା ଥିବା ବ୍ୟକ୍ତିଙ୍କୁ ହିଁ ପ୍ରାର୍ଥୀ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ୟେଦ୍ୟୁରପ୍ପାଙ୍କ ଏହି ଘୋଷଣା ଦ୍ବାରା ସରକାର ଭାଙ୍ଗିବାରେ ବିଜେପିର ହାତ ଥିବା ସମାଲୋଚକମାନେ କହିଛନ୍ତି। ଉପ-ନିର୍ବାଚନ ଡିସେମ୍ବର ୫ରେ ହେବ।

Comments are closed.