ଚୀନରେ ନୂଆ ପ୍ରକାର ଜୀବାଣୁ ‘ବ୍ରୁସେଲୋସିସ୍‍’ଦ୍ୱାରା ହଜାର ହଜାର ସଂକ୍ରମିତ

ବେଜିଂ : ଉତ୍ତର-ପୂର୍ବ ଚୀନର ଗାନସୁ ପ୍ରଦେଶରେ ଏକ ନୂଆ ପ୍ରକାର ଜୀବାଣୁ (ବ୍ୟାକ୍ଟେରିଆ)ର ସଂକ୍ରମଣ ଦେଖିବାକୁ ମିଳିଛି। ‘ବ୍ରୁସେଲୋସିସ୍‍’ ନାମକ ଏହି ଜୀବାଣୁ ଦ୍ୱାରା ୩୨୪୫ଜଣ ସଂକ୍ରମିତ ହେଲେଣି। ଏହି ଜୀବାଣୁ ଦ୍ୱାରା ସଂକ୍ରମଣ ଦ୍ୱାରା ହେଉଥିବା ଜ୍ୱରକୁ ମାଲାଟା ଜ୍ୱର କିମ୍ବା ମେଡିଟେରାନିଆନ୍‍ ଜ୍ୱର ବୋଲି କୁହାଯାଉଛି। ଗତବର୍ଷ ଜୁଲାଇ-ଅଗଷ୍ଟରେ ଏକ ଫାର୍ମାସ୍ୟୁଟିକାଲ କମ୍ପାନୀରୁ ଗ୍ୟାସ ନିର୍ଗତ ହେବା ପରଠାରୁ ଏହି ଜୀବାଣୁର ସଂକ୍ରମଣ ଦେଖିବାକୁ ମିଳିଛି। ଲାନଝୌ ପ୍ରଦେଶର ରାଜଧାନୀରେ ୨୧,୮୪୭ଜଣ ସଂକ୍ରମିତ ହୋଇଥିବାବେଳେ କାହାର ମୃତ୍ୟୁ ହୋଇନାହିଁ। ବ୍ରୁସେଲୋସିସ୍‍ ଜୀବାଣୁ ସଂକ୍ରମିତଙ୍କ ଠାରେ ମୁଣ୍ଡବିନ୍ଧା, ମାଂସପେଶୀରେ ଯନ୍ତ୍ରଣା, ଜ୍ୱର ଓ କ୍ଲାନ୍ତ ଅନୁଭବ ହୋଇଥାଏ। ଏହା ସହିତ ସଂକ୍ରମିତଙ୍କ ଠାରେ କେତେକ ଲକ୍ଷଣ ଜୀବନବ୍ୟାପୀ ଲାଗି ରହିଥାଏ। ଯେପରିକି ଶରୀରର କୌଣସି ଅଂଶରେ ଫୁଲା ରହିବା, ବାରମ୍ବାର ଜ୍ୱର, ଛାତିରେ ଜଳାପୋଡା ଇତ୍ୟାଦି। ବ୍ରୁସେଲୋସିସ୍‍ ସଂକ୍ରମଣକୁ ପ୍ରାଥମିକ ସ୍ତରରେ ଠାବ କରିବା କଷ୍ଟକର। ଜ୍ୱର ବଢିବା, ମାଂସପେଶୀରେ ଯନ୍ତ୍ରଣା, ଅସ୍ୱାଭାବିକ ଦୁର୍ବଳ ଅନୁଭବ କଲେ ଡାକ୍ତରଙ୍କୁ ପରାମର୍ଶ କରିବା ଦରକାର। ପଶୁଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ଏହି ସଂକ୍ରମଣ ହେବାର ଆଶଙ୍କା ରହିଛି। ଯେପରିକି ଗୋଶାଳା, କଂସେଇଖାନା, ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ନିୟୋଜିତ ଲୋକଙ୍କୁ ଏହା ବ୍ୟାପିବାର ଆଶଙ୍କା ଅଧିକ। ଏହି ସଂକ୍ରମଣ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପି ବହୁତ କମ୍‍। ଆମେରିକା ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ରର କହିବା ଅନୁଯାୟୀ ସଂକ୍ରମିତ ଖାଦ୍ୟ ଖାଇବା ଦ୍ୱାରା ଅନ୍ୟ ଜଣେ ସଂକ୍ରମିତ ହୋଇଥାଏ।

Comments are closed.