୩ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ରାଜଧାନୀରେ ଥମିବାର ନାଁ ଧରୁନି ବ୍ରାଉନ୍‌ସୁଗର କାରବାର। ଯେତିକି ପରିମାଣର ବ୍ରାଉନ୍‌ସୁଗାର ସହରରୁ ଜବତ ହେଉଛି ତା’ଠାରୁ ଅଧିକ ପରିମାଣର ବ୍ରାଉନ୍‌ସୁଗାର ପୁଣି ସହର ଭିତରକୁ ଆସୁଛି। ମଙ୍ଗଳବାର ଅବକାରୀ ବିଭାଗ ଓ ଜିଲା ମୋବାଇଲ ସ୍କ୍ବାଡ୍‌ ମିଳିତଭାବେ ୨ଟି ସ୍ଥାନରେ ଚଢ଼ଉ କରି ବ୍ରାଉନ୍‌ସୁଗାର ଜବତ କରିବା ସହ ୨ଜଣ ବ୍ୟବସାୟୀଙ୍କୁ ଗିରଫ କରିଛନ୍ତି । ସେମାନେ ହେଲେ ଲିଙ୍ଗରାଜ ଥାନା ସାମନ୍ତରାପୁର ବୈଶିଷ୍ଟନଗର ଟୁଲୁ ଦାଶ(୩୨) ଓ ଅନ୍ୟଜଣେ ହେଲେ ଖଣ୍ଡଗିରି ଥାନା ଯଦୁପୁରର ସେକ୍‌ ନୁରାଉଦ୍ଦିନ(୩୬)। ଟୁଲୁ ସାମନ୍ତରାପୁର କେନାଲ ରୋଡ଼ରେ ଧରାପଡ଼ିଥିବା ବେଳେ ତା’ଠାରୁ ୧୫ ଗ୍ରାମ୍‌ର ବ୍ରାଉନ୍‌ସୁଗାର ଜବତ କରାଯାଇଛି। ସେହିପରି ନୁରାଉଦ୍ଦିନକୁ ଡୁମ୍‌ଡୁମା ଅଟୋ ଷ୍ଟାଣ୍ଡରେ ଧରାପଡ଼ିବା ସହ ତା’ ନିକଟରୁ ୧୪ ଗ୍ରାମ୍ ବ୍ରାଉନ୍‌ସୁଗାର ଜବତ କରାଯାଇଛି । ଧରାପଡ଼ିଥିବା ୨୯ ଗ୍ରାମ୍‌ ବ୍ରାଉନ୍‌ସୁଗାରର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କା ହେବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।

ପୁଲିସ ସୂଚନା ଅନୁସାରେ ଧରାପଡ଼ିଥିବା ଅଭିଯୁକ୍ତମାନେ ପୂର୍ବରୁ ବ୍ରାଉନ୍‌ସୁଗାର କାରବାରରେ ଜେଲ୍‌ ଯାଇ ଫେରିଛନ୍ତି। ପୁଣି ସେମାନେ ବ୍ରାଉନ୍‌ସୁଗାର କାରବାର କରୁଥିବା ଅବକାରୀ ବିଭାଗ ଜାଣିବାକୁ ପାଇଲା ପରେ ୨ଟି ଟିମ୍‌ ମାଧ୍ୟମରେ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉରେ ପ୍ରଭାତ କୁମାର ସେଠୀ, ହୃଦୟଚନ୍ଦ୍ର ସାମଲ, ହିମାଂଶୁ ମଲ୍ଲିକ, ସୁଜିତ୍‌‌ ମୁଦୁଲିଙ୍କ ସମେତ ୧୦ ଜଣ ଟିମ୍‌ ସାମିଲ ହୋଇଥିଲେ।

Comments are closed.