ଧଳାଜହର ଜବତ, ୨ ଗିରଫ

ପିପିଲି:ପିପିଲି ଥାନା ଅନ୍ତର୍ଗତ ତରାକାଜ ଓଭରବ୍ରିଜ୍‍ ଛକ ଅଞ୍ଚଳରେ ଧଳାଜହର ବିକ୍ରି କରୁଥିବା ଅଭିଯୋଗରେ ପୁଲିସ ଦୁଇଜଣ ଯୁବକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କାକଟପୁର ଥାନା ନୟାହାଟ ଗୋପୀକାନ୍ତପୁର ଗ୍ରାମର ମନୋଜ କୁମାର ଦାଶ (୨୬) ଓ ନିକୁଞ୍ଜ ବିହାରୀ ଦାଶ(୩୦)। ସେମାନଙ୍କ ନିକଟରୁ ପୁଲିସ ୮.୫୫ଗ୍ରାମ ଧଳାଜହର, ଗୋଟିଏ ବାଇକ ଓ ୨ଟି ମୋବାଇଲ୍‍ ଫୋନ୍‍କୁ ଜବତ କରିଥିବା ବେଳେ ଆଜି ଉଭୟଙ୍କୁ ଚାଲାଣ କରିଛି। ସୂଚନା ଅନୁଯାଇ, ତରାକାଜ ଛକ ଅଞ୍ଚଳରେ ଧଳାଜହର କାରବାର ଚାଲିଥିବା ସଂପର୍କରେ ଗୁରୁବାର ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା।

 

ଆଇଆଇସି ଅଭିମନ୍ୟୁ ନାୟକଙ୍କ ନେତୃତ୍ୱରେ ପୁଲିସ ଟିମ୍‍ ସେଠାରେ ଚଢାଉ କରିବା ସହ ଧଳାଜହର ବିକ୍ରି କରୁଥିବା ଉପରୋକ୍ତ ଦୁଇଜଣ ଯୁବକଙ୍କୁୁ ଧରିବାରେ ସକ୍ଷମ ହୋଇଥିଲେ । ଜବତ ଧଳାଜହରର ମୂଲ୍ୟ ୮୫ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି କାରବାରରେ ସଂପୃକ୍ତ ଅନ୍ୟମାନଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଥିବା ସଂପର୍କରେ ଆଇଆଇସି ଶ୍ରୀନାୟକ ସୂଚନା ଦେଇଛନ୍ତି।

Comments are closed.