ଉଦଭ୍ରାନ୍ତ ଭାଇକୁ ହତ୍ୟା : ବଡଭାଇ ଗିରଫ, ବନ୍ଧୁକ, ଟାଙ୍ଗିଆ ଜବତ

କୁଚିଣ୍ଡା : ସମ୍ବଲପୁର ଜିଲ୍ଳା କୁଚିଣ୍ଡା ଥାନା ଡିମିରିମୁଣ୍ଡା ଗ୍ରାମପଞ୍ଚାୟତ ବାମଣ୍ଡାଗଡ ରାଉତିଆପଡାର ଜନୈକ ୫୦ବର୍ଷର ଭାଇର କାର୍ଯ୍ୟରେ ଅତିଷ୍ଠ ହୋଇ ବଡ ଭାଇ ଦେଶୀ ବନ୍ଧୁକରେ ଗୁଳି କରିବା ସହ ଟାଙ୍ଗିଆରେ ନିର୍ମମ ହତ୍ୟା କରିଥିବା ପରି ଅଭାବନୀୟ ଘଟଣା ସମଗ୍ର ଉପଖଣ୍ଡରେ ଆଲୋଡନ ସୃଷ୍ଟି କରିଛି। ଏହି ଘଟଣାରେ କୁଚିଣ୍ଡା ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଦେଶୀ ବନ୍ଧୁକ ଏବଂ ଟାଙ୍ଗିଆକୁ ଜବତ କରିଥିବା ଜଣାଯାଇଛି।
ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଆଭ୍ୟନ୍ତରୀଣ ଗ୍ରାମ ବାମଣ୍ଡାଗଡ ରାଉତିଆପଡାରେ ଧରମ୍‍ ପାଲ ସିଂହ ଅନେକ ସମୟରେ ପାଟିତୁଣ୍ଡ କରିବା ସହ ଆତଙ୍କ ସୃଷ୍ଟି କରୁଥିବା ପ୍ରକାଶ। ଗତକାଲି ଧରମ୍‍ପାଲଙ୍କ ପାଟିତୁଣ୍ଡ ଶୁଣି ବଡଭାଇ ଉତ୍ତେଜିତ ହୋଇଥିଲେ। ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଉତକ୍ଷିପ୍ତ କର୍ମପାଲ ସିଂହ ନିଜ ଦେଶୀ ବନ୍ଧୁକରେ ଗୁଳି ମାରି ହତ୍ୟା ଉଦ୍ୟମ କରିଥିଲେ। ଗୁଳି ପେଟରେ ବାଜିବାରୁ ପୁଣି ଟାଙ୍ଗିଆରେ ନିର୍ମମ ହତ୍ୟା କରିଥିବା ପ୍ରକାଶ। ଏହି ଘଟଣା ପରେ ଗାଁରେ ଆତଙ୍କ ଖେଳିଯାଇଥିଲା। କୁଚିଣ୍ଡା ପୁଲିସ ଏସଂକ୍ରାନ୍ତରେ ସୂଚନା ପାଇ କୁଚିଣ୍ଡା ଏସଡିପିଓ ରାଜକିଶୋର ମିଶ୍ର, ଥାନା ଅଧିକାରୀ କମଳ କିଶୋର ପଣ୍ଡା ସଦଳବଳ ଗସ୍ତ କରି ତଦନ୍ତ କରିବା ସହ ଶବକୁ ଜବତ କରିଥିଲେ। ଘରୁ ଅଭିଯୁକ୍ତ କରମ୍‍ପାଲକୁ ଗିରଫ କରିଥିବା ଜଣାଯାଇଛି। ଅଭିଯୁକ୍ତ ବ୍ୟବହାର କରିଥିବା ଦେଶୀ ବନ୍ଧୁକ ଏବଂ ଟାଙ୍ଗିଆକୁ ପୁଲିସ ଜବତ କରିଛି। ମୃତ ଧରମ ପାଲ ଘରେ ଓ ଗାଁରେ ନାନା ଅଶୋଭନାୟ କାର୍ଯ୍ୟ କରୁଥିବା ଯୋଗୁଁ ଗାଁରେ ତୀବ୍ର ଅସନ୍ତୋଷ ରହିଥିବା ଜଣାଯାଇଛି। ଏପରିକି ସେ କୁଆଡେ ସେ ତା’ ନିଜ ଝିଅକୁ ଅଶାଳୀନ ବ୍ୟବହାର ଉଦ୍ୟମ କରି ବିଫଳ ହୋଇଥିଲା।

Comments are closed.