ରାଜ୍ୟ ସରକାରଙ୍କ ସୂଚନା- ବ୍ରିଟେନରୁ ଓଡିଶା ଆସିଛନ୍ତି ୪୩ ଜଣ

୧୪ ଦିନିଆ କ୍ୱାରେଣ୍ଟାଇନକୁ ବାଧ୍ୟତାମୂଳକ, ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଯାଞ୍ଚ କଡ଼ାକଡ଼ି

ଭୁବନେଶ୍ବର: ବ୍ରିଟେନ ଫେରନ୍ତାଙ୍କୁ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର। କାରଣ ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ନୂଆ ଷ୍ଟ୍ରେନ ୫୦ ପ୍ରତିଶତ ଅଧିକ ବେଗରେ ବ୍ୟାପିବାର ଆଶଙ୍କା ରହିିଛି। ତେଣୁ ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ବାହାରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତା ଜାରି କରାଯାଇଛି। ବ୍ରିଟେନରୁ କେତେ ଜଣ ଓଡ଼ିଶା ସମେତ ଭୁବନେଶ୍ୱରକୁ ଆସଛନ୍ତି ସେ ସଂକ୍ରାନ୍ତରେ ଆଜି ତଥ୍ୟ ରାଜ୍ୟ ସରକାର ଦେଇଛନ୍ତି। ଗତ ୧୪ ଦିନ ମଧ୍ୟରେ ବ୍ରିଟେନରୁ ୪୩ଜଣ ଓଡିଶାକୁ ଆସିଛନ୍ତି। ସେଥିମଧ୍ୟରେ କେବଳ ଭୁବନେଶ୍ବରକୁ ୨୧ଜଣ ଆସିଥିବା ସୂଚନା ଦିଆଯାଇଛି।
ଆଜି ବ୍ରିଟେନ୍‌ ଫେରନ୍ତାଙ୍କ ଉପରେ ନଜର ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲାପାଳ, ମ୍ୟୁନିସିପାଲ କମିଶନର, ସିଡିଏଙ୍କୁ ଚିଠି ଲେଖାଯାଇଛି। ବ୍ରିଟେନ୍‌ରୁ ଓଡ଼ିଶା ଆସିଥିବା ବ୍ୟକ୍ତିଙ୍କ ଆରଟିପିସିଆର ଟେଷ୍ଟ, କଣ୍ଟାକ୍ଟ ଟ୍ରେସିଂ ଉପରେ ଗୁରୁତ୍ୱ ଦେବାକୁ ଚିଠିରେ ନିର୍ଦେଶ ଦିଆଯାଇଛି।

 

ସରକାରଙ୍କ ତଥ୍ୟ ଅନୁଯାୟୀ ବ୍ରିଟେନରୁ ୪୩ ଜଣ ଯାତ୍ରୀ ଓଡ଼ିଶା ଆସିଛନ୍ତି। ଯେଉଁମାନେ ବ୍ରିଟେନରୁ ଓଡ଼ିଶା ଆସିଛନ୍ତି, ସେମାନଙ୍କ ଠାରେ କରୋନା ଭୂତାଣରୁ ନୂଆ ଷ୍ଟ୍ରେନ୍ ଅଛି କି ନାହିଁ, ତାହା ଜାଣିବା ପାଇଁ ସରକାର ସମସ୍ତଙ୍କର ଟେଷ୍ଟ କରିବେ। ନଭେମ୍ବର ୨୫ରୁ ଡିସେମ୍ବର ୨୩ ତାରିଖ ଭିତରେ ବ୍ରିଟେନରୁ ଆସିଥିବା ସମସ୍ତ ବିଦେଶୀ ଓ ଭାରତୀୟ ନାଗରିକଙ୍କ ପାଇଁ କୋଭିଡ୍ ପ୍ରୋଟକଲକୁ କଡ଼ାକ଼ଡ଼ି କରାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବ୍ରିଟେନରୁ ଆସିଥିବା ସମସ୍ତ ବିଦେଶୀ ଓ ଭାରତୀୟ ନାଗରିକଙ୍କ ପାଇଁ ସେଲ୍ଫ ଡିକ୍ଲାରେସନ୍ ଏବଂ ୧୪ ଦିନିଆ କ୍ୱାରେଣ୍ଟାଇନକୁ ବାଧ୍ୟତାମୂଳକ କରାଯାଇଛି। ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ମଧ୍ୟ ଯାଞ୍ଚକୁ ଅଧିକ କଡ଼ାକଡ଼ି କରାଯିବା ସହ ହେଲ୍ପ ଡେସ୍କ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିକାଗ ପକ୍ଷରୁ କୁହାଯାଇଛି।
ଏପଟେ ଭୁବନେଶ୍ବରରେ ଚିହ୍ନଟ ହୋଇଥିବା ଜଣେ ଯାତ୍ରୀଙ୍କଠାରେ ନୂଆ ଷ୍ଟେନ୍‌ ଅଛି କି ନାହିଁ ତାହାର ପରୀକ୍ଷା ପାଇଁ ସ୍ବାବ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି। ଚିହ୍ନଟ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ସରିଛି। ତାଙ୍କଠାରେ ଷ୍ଟନ୍‌ ଚିହ୍ନଟ ନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

Comments are closed.