ବ୍ରିଟେନରେ କୋଭିଡ-୧୯ ସଂକ୍ରମଣ କ୍ଷେତ୍ରରେ ନୂଆ ରେକର୍ଡ

ଲଣ୍ଡନ :  ବ୍ରିଟେନରେ କୋଭିଡ-୧୯ ସଂକ୍ରମଣ କ୍ଷେତ୍ରରେ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଗୋଟିଏ ଦିନରେ ୩୬ହଜାର ୮୦୪ ଜଣଙ୍କ ଠାରେ ନୂତନ ସଂକ୍ରମଣ ଦେଖାଦେଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଗତକାଲି ମଧ୍ୟ ୬୯୧ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି। ପ୍ରଧାନମନ୍ତ୍ରୀ ବୋରିସ୍‍ ଜନସନ ଓ ତାଙ୍କର ବୈଜ୍ଞାନିକ ଉପଦେଷ୍ଟା କମିଟି ଗତ ଶନିବାର ଦିନ କରୋନା ଭୂତାଣୁର ନୂତନ ସଂକ୍ରମଣ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଏହା ୭୦ ପ୍ରତିଶତ ଅଧିକ ସଂକ୍ରମଣ ସୃଷ୍ଟି କରିବାର ସାମର୍ଥ୍ୟ ରଖିଛି। ଏବଂ ଏହା ବ୍ରିଟେନରେ ଦ୍ରୁତଗତିରେ ବ୍ୟାପୁଥିବାରୁ ଅଧିକ ଲୋକ ପ୍ରଭାବିତ ହେବା ଆଶଙ୍କା ରହିଛି।

ଲଣ୍ଡନରେ ଦକ୍ଷିଣପୂର୍ବ ଇଂଲଣ୍ଡ ଓ ୱେଲ୍ସରେ ଖ୍ରୀଷ୍ଟମାସ ପର୍ବ ପାଳନର ଅବ୍ୟବହିତ ପୂର୍ବରୁ କଡ଼ା ପ୍ରଶାସନିକ କଟକଣା ଲାଗୁ
କରାଯାଇଛି। ଗୃହ ସଚିବ ପ୍ରୀତି ପଟେଲ କହିଛନ୍ତି ସରକାରଙ୍କ ତରଫରୁ ଲୋକମାନେ ଯେପରି ସ୍ୱଚ୍ଛନ୍ଦରେ ଘରେ ରହି ଖ୍ରୀଷ୍ଟମାସ ପର୍ବ ପାଳନ କରିବେ ସେଥିପାଇଁ ବ୍ୟବସ୍ଥା କରାଯାଉଛି।
ଇତିମଧ୍ୟରେ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ବାୟୋ ଏନଟେକ୍‍ ଓ ମଡର୍ଣ୍ଣା ସେମାନଙ୍କ ଦ୍ୱାରା ପ୍ରସ୍ତୁତ ନୂତନ କରୋନା ଭୂତାଣୁ ଟୀକାର ପରୀକ୍ଷା ଆରମ୍ଭ କରିଛନ୍ତି। କରୋନା ଭୂତାଣୁର ବାରମ୍ବାର ରୂପ ପରିବର୍ତ୍ତନ ହେଉଥିବା ପରିପ୍ରେକ୍ଷୀରେ ଯୋଜନା ପ୍ରସ୍ତୁତ କରିବା ସକାଶେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସଦସ୍ୟ ରାଷ୍ଟ୍ରମାନଙ୍କୁ ନେଇ ଏକ ବୈଠକ ଆହୂତ କରିବାକୁ ଯାଉଥିବା ଜଣାପଡ଼ିଛି।

Comments are closed.