ବ୍ରେକ୍‌ଜିଟ ପରେ ଅଡୁଆରେ ବ୍ରିଟେନ

ଲଣ୍ଡନ: ବ୍ରେକ୍‌ଜିଟ୍‌ (ୟୁରୋପୀୟ ସଂଘରୁ ବ୍ରିଟେନ ଅଲଗା ହେବା) ପରେ ବ୍ରିଟେନ ଅଡୁଆରେ ପଡ଼ିଛି। ବିଶେଷ କରି ଦେଶର ବାଣିଜ୍ୟିକ କାରବାର ବହୁମାତ୍ରାରେ ପ୍ରଭାବିତ ହୋଇଛି। ବ୍ରେକ୍‌ଜିଟ ପରର ପ୍ରଥମ ମାସ ଅର୍ଥାତ୍‌ ଗତ ଜାନୁୟାରୀ ତଥ୍ୟରୁ ଏହା ଜଣାପଡ଼ିଛି।

ବ୍ରିଟେନର ରବିବାରିଆ ଖବରକାଗଜ ଅଭ୍‌ଜରର୍ଭର ରିପୋର୍ଟ ଅନୁସାରେ, ଗତ ମାସରେ ବ୍ରିଟେନର ବନ୍ଦରଗୁଡ଼ିକରୁ ୟୁରୋପୀୟ ୟୁନିୟନକୁ ହେବାକୁ ଥିବା ରପ୍ତାନୀରେ ୬୮ ପ୍ରତିଶତ ହ୍ରାସ ପାଇଛି। ଏହି ହ୍ରାସର କାରଣ ପଛରେ ବ୍ରେକ୍‌ଜିଟ ଜନିତ ସମସ୍ୟା ବୋଲି ରିପୋର୍ଟରେ ଦର୍ଶାଯାଇଛି।

ରପ୍ତାନୀରେ ହ୍ରାସ ସମ୍ପର୍କୀୟ ସମ୍ପୂର୍ଣ୍ଣ ତଥ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ଅନ୍ତର୍ଜାତୀୟ କାରବାର ମଧ୍ୟରେ କରାଯାଇଥିବା ଏକ ସର୍ବେକ୍ଷଣ ଆଧାରରେ ଏହି ତଥ୍ୟ ମିଳିଛି। ବ୍ରିଟେନର ସଡ଼କ ପରିବହନ ସଂଘ (ଆରଏଚଏ) ପକ୍ଷରୁ ଏହି ସର୍ଭେ କରାଯାଇଛି।

ଫେବୃୟାରୀ ୧ ତାରିଖରେ ମନ୍ତ୍ରିମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ ମନ୍ତ୍ରୀ ମାଇକେଲ ଗୋଭଙ୍କୁ ଲେଖାଯାଇଥିବା ଚିଠିରେ ଆରଏଚଏର ମୁଖ୍ୟ କାର୍ଯ୍ୟନିର୍ବାହୀ ରିଚାର୍ଡ ବର୍ନେଟ ଦୃଷ୍ଟି ଆକର୍ଷଣ କରିଥିଲେ ଯେ, ତାଙ୍କ ସଂଗଠନ ଅନେକ ମାସ ଧରି ସମ୍ଭାବ୍ୟ ସମସ୍ୟା ସମ୍ପର୍କରେ ସରକାରଙ୍କୁ ସତର୍କ କରାଇ ଆସୁଥିଲା। ଏହି ସମସ୍ୟାଗୁଡ଼ିକୁ ହ୍ରାସ କରିବା ସମ୍ପର୍କରେ ସେ ପରାମର୍ଶ ମଧ୍ୟ ଦେଇଥିଲେ। କିନ୍ତୁ ସରକାର ସେସବୁକୁ ଅଣଦେଖା କରିଥିଲେ।

ବର୍ନେଟ ଦ ଅଭଜରର୍ଭରକୁ କହିଛନ୍ତି ଯେ, ବ୍ରେକ୍‌ଜିଟ କାରଣରୁ ଏବେ କାଗଜପତ୍ର ସମ୍ବନ୍ଧୀୟ ଔପଚାରିକତା ଅଧିକ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି କଷ୍ଟମ ଏଜେଣ୍ଟମାନଙ୍କ ସଂଖ୍ୟା ବୃଦ୍ଧି କରାଯାଇ ନାହିଁ। ଏବେ ଯେତିକି କଷ୍ଟମ ଏଜେଣ୍ଟଙ୍କ ଆବଶ୍ୟକତା ରହିଛି ତାହା ତୁଳନାରେ ମାତ୍ର ୨୦% ଏଜେଣ୍ଟ ଉପଲବ୍ଧ ଅଛନ୍ତି ବୋଲି ଆଏଚଏ ପକ୍ଷରୁ କୁହାଯାଇଛି।

Comments are closed.