ୟୁରୋପୀୟ ସଂଘରୁ ଓହରିଲା ବ୍ରିଟେନ, ଚୁକ୍ତିରେ ସ୍ବାକ୍ଷର କଲେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍

ଲଣ୍ଡନ: ୟୁରୋପୀୟ ସଂଘ(ଇୟୁ)ରୁ ଓହରି ଯାଇଛି ବ୍ରିଟେନ। ଇୟୁରୁ ବାହାରିବା ଲାଗି ହୋଇଥିବା ଚୁକ୍ତିପତ୍ରରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ସ୍ବାକ୍ଷର କରିଛନ୍ତି। ଚୁକ୍ତିପତ୍ରରେ ସ୍ବାକ୍ଷର କରିବା ସମୟରେ ଜନସନ୍ ଏହାକୁ ଏକ ବିରଳ ମୁହୂର୍ତ୍ତ ବୋଲି ଦର୍ଶାଇଥିଲେ। ଜନସନ୍ କହିଛନ୍ତି, ୟୁରୋପୀୟ ସଂଘରୁ ବାହାରିଯିବା ଲାଗି ୨୦୧୬ରେ ହୋଇଥିବା ଜନମତ ସଂଗ୍ରହର ଫଳାଫଳ ଶେଷରେ ଲାଗୁ ହେବାକୁ ଯାଉଛି। ଏହି ନିଷ୍ପତ୍ତି ଫଳରେ ବ୍ରିଟେନ ଏବଂ ୟୁରୋପୀୟ ସଂଘ ମଧ୍ୟରେ ବର୍ଷ ବର୍ଷ ଧରି ଚାଲୁଥିବା ଯୁକ୍ତିତର୍କ ଏବଂ ବିବାଦ ହ୍ରାସ ପାଇବ ବୋଲି ଆଶା ରହିଛି। ଦିନକ ତଳେ ୟୁରୋପୀୟ ସଂଘର ନେତାମାନେ ମଧ୍ୟ ବ୍ରିଟେନକୁ ବାହାର କରିବା ଲାଗି ଉଦ୍ଦିଷ୍ଟ କାଗଜପତ୍ରରେ ସ୍ବାକ୍ଷର କରିଦେଇଥିଲେ। ଜାନୁୟାରୀ ଶେଷ ସୁଦ୍ଧା ବ୍ରିଟେନ ସମ୍ପୂର୍ଣ୍ଣ ଭାବେ ୟୁରୋପୀୟ ସଂଘରୁ ବାହାରିଯିବ।