ମହାରାଣୀ ଏଲିଜାବେଥ୍‌ଙ୍କ ନିମନ୍ତେ ବର୍ଣ୍ଣାଢ଼୍ୟ ଉତ୍ସବ

ବ୍ରିଟେନ୍‌ ରାଜପରିବାର ସମ୍ପର୍କିତ ଖବର ଗଣମାଧ୍ୟମରେ ସବୁସମୟରେ ଶୀର୍ଷରେ ରହିଆସିଛି। ମହାରାଣୀ ଏଲିଜାବେଥ୍‌ଙ୍କ ୭୦ତମ ରାଜ୍ୟାଭିଷେକ ଉତ୍ସବକୁ ଖୁବ୍ ଜାକଜମକରେ ପାଳନ କରାଯିବ ବୋଲି ପ୍ରସ୍ତୁତି ଏବେଠାରୁ ଆରମ୍ଭ ହୋଇଥିବାର ପ୍ରକାଶ। ମାତ୍ର ୨୭ ବର୍ଷ ବୟସରେ ବ୍ରିଟେନ୍‌ ରାଜଗାଦିର ଦାୟିତ୍ବ ସେ ନେଇଥିଲେ। ୧୯୫୩ ଜୁନ୍‌ ୨ରେ ସେ ସମୟରେ ମହାରାଣୀଙ୍କ ରାଜ୍ୟାଭିଷେକ ଉତ୍ସବକୁ ଖୁବ୍ ଆଡ଼ମ୍ବର ଓ ରୀତନୀତି ଅନୁସାରେ ପାଳନ କରାଯାଇଥିଲା। ୨୦୨୨ରେ ଗାଦିରେ ବସିବାର ମହାରାଣୀ ୭୦ ବର୍ଷ ‘ପ୍ଲାଟିନମ୍ ଜୁବ୍‌ଲି’ ପୂର୍ତ୍ତି କରିବେ। ରାଜପରିବାର ସଦସ୍ୟ ଓ କର୍ମଚାରୀ ସମୟ ପୂର୍ବରୁ ଏଥିପାଇଁ ପ୍ରସ୍ତୁତି କରିବା ଆରମ୍ଭ କରିଦେଇଛନ୍ତି।

ମିଳିଥିବା ଖବର ଅନୁସାରେ, କରୋନା ଭ୍ୟାକ୍ସିନ୍‌‌ର ଟିକା ଅନ୍ତତଃ ସେଇ ସମୟରେ ବାହାରି ଯାଇଥିବ। ୪ଦିନ ବ୍ୟାପୀ ମହାରାଣୀ ଏଲିଜାବେଥ(୨ୟ)ଙ୍କ ରାଜ୍ୟାଭିଷେକ ଉତ୍ସବ ପାଳନ କରାଯିବା ସହ ସରକାରୀ ସ୍ତରରେ ଛୁଟି ଭାବେ ଘୋଷଣା କରାଯିବ। ଦେଶବିଦେଶରୁ ଅତିଥି ନିମନ୍ତ୍ରିତ ହେବା ସହ ବିଭିନ୍ନ କାର୍ଯ୍ୟକ୍ରମମାନ ମଧ୍ୟ ଆୟୋଜନ କରାଯାଇପାରେ। ଏସବୁ ବ୍ୟକ୍ତିଗତ ଭାବେ ଯୁବରାଜ ୱିଲିୟମ୍ସ ଓ ତାଙ୍କ ପତ୍ନୀ କେଟ୍ ମିଡଲଟନ୍‌ ତଦାରଖ କରିବେ। ସମଗ୍ର ବ୍ରିଟେନ୍‌ର ପ୍ରମୁଖ ପ୍ରାନ୍ତରେ କାର୍ଯ୍ୟକ୍ରମମାନ ଆୟୋଜିତ ହେବାବେଳେ ଲଣ୍ଡନରେ ସେସମୟରେ କଟକଣା ମଧ୍ୟ କଡ଼ାକଡ଼ି କରାଯିବ। ମହାରାଣୀ ଓ ରାଜପରିବାର ସଦସ୍ୟଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏସବୁ କରାଯିବ ବୋଲି ଜନୈକ ମୁଖ୍ୟାଧିକାରୀ ପ୍ରକାଶ କରିଛନ୍ତି। ୨୦୨୨ ଜୁନ୍‌ରେ ଆୟୋଜିତ ହେବାକୁ ଥିବା ଏଇ ଉତ୍ସବ ପାଇଁ ପ୍ରାକ-ପ୍ରସ୍ତୁତିର ଆବଶ୍ୟକତା ଅଛି। ଚାହୁଁଚାହୁଁ ୨୦୨୦ ଶେଷ ହେଲାଣି ଓ ୨୦୨୧ ମଧ୍ୟ ସେଇଭଳି ଭାବେ ଶେଷ ହୋଇଯିବ। ତରବର ଓ ବିନା ପ୍ରସ୍ତୁତିରେ ରାଜପରିବାରର ଏହି ବର୍ଣ୍ଣାଢ୍ୟ ଉତ୍ସବ ହେବା ଆଦୌ ସ୍ବାଗତଯୋଗ୍ୟ ନୁହେଁ ବୋଲି ରାଜପରିବାର କର୍ମକର୍ତ୍ତାମାନେ ମତ ଦେଇଛନ୍ତି।

Comments are closed.