ବନ୍ଧୁଙ୍କ ଘରକୁ ଯାଇ ଜୋରିମାନା ଦେଲେ ୧୯,୪୦୦ ଟଙ୍କା !

ବ୍ରିଟେନ୍ରେ ଏବେ ଦ୍ବିତୀୟ ପର୍ଯ୍ୟାୟ ଲକ୍-ଡାଉନ୍ ଚାଲିଛି। ପୂର୍ବ ତୁଳନାରେ ଏଥରକ ସେଠାରେ ସମସ୍ତ ନିୟମକୁ ଅଧିକ କଡ଼ାକଡ଼ି କରାଯାଇଛି। କରୋନା ସଂକ୍ରମଣରୁ ବର୍ତ୍ତିବା ନିମନ୍ତେ ଏହା ହିଁ ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ସେଠା ପ୍ରଶାସନର ମତ। ହୋଟେଲ, ରେସ୍ତୋରାଁ, ପାର୍କ ଆଦି ବନ୍ଦ ଥିବାବେଳେ ହୋମ୍-ଡେଲିଭରୀ ବ୍ୟବସ୍ଥା ଚାଲୁ ରହିଛି। ବନ୍ଧୁବାନ୍ଧବ କାହା ଘରକୁ ଯିବା ସମ୍ପୂର୍ଣ୍ଣ ମନା। ବ୍ରିଟେନ୍ର ପ୍ରତ୍ୟେକ ସହରରେ ସିସିଟିଭି ବ୍ୟବସ୍ଥାକୁ ତନ୍ନତନ୍ନ କରି ଦେଖାଯାଉଥିବାବେଳେ ପୁଲିସ୍ ମଧ୍ୟ ୨୪ ଘଣ୍ଟିଆ ତଦାରଖ କରୁଛି। ଅମାନିଆ ଲୋକ କିନ୍ତୁ କଟକଣା ମାନି ରହିବା ପରିବର୍ତ୍ତେ ନିଜ ମନ ଇଚ୍ଛା କାମ କରୁଛନ୍ତି। ରବିବାରର ଘଟଣା, ବ୍ରିଟେନ୍ର ୱିଗାନ୍ସ୍ଥିତ ଲୋ-ଟାଉନ୍ ନିବାସୀ ହେଲେ ଜେମ୍ସ ଫିକି। ଦ୍ବିପହର ବେଳକୁ ଘରୁ ବାହାରି ଚାଲିଚାଲି ଯାଉଥାନ୍ତି। କିଛି ବାଟ ଚାଲିବା ପରେ ପୁଲିସ୍ ଗାଡ଼ି ତାଙ୍କୁ ଅଟକାଇ ଘରୁ ବାହାରିବାର କାରଣ ପଚାରିଲା। ଜେମ୍ସ କହିଲେ, ବନ୍ଧୁଙ୍କ ସ୍ବାସ୍ଥ୍ୟ ଭଲ ନଥିବାରୁ ତାଙ୍କ ଘରକୁ କିଛି ସାମଗ୍ରୀ ଦେବାକୁ ଯାଉଛନ୍ତି। ପୁଲିସ୍ ତାଙ୍କୁ ଯିବାକୁ ଦେଲା, ହେଲେ ସାମଜିକ ଦୂରତା ରକ୍ଷା କରି ବନ୍ଧୁ ଘର ବାହାରେ ଜିନିଷ ରଖିବାକୁ ଆସିବାକୁ ପରାମର୍ଶ ଦେଲା। ଜେମ୍ସ ସବୁ ମାନିବେ ପ୍ରତିଶ୍ରୁତି ଦେଇ ଆଗକୁ ବଢ଼ିଲେ। ଘର ପାଖ କଲୋନୀରେ ତାଙ୍କ ବନ୍ଧୁଙ୍କ ଘରକୁ ଯାଇ ଭିତରକୁ ପ୍ରବେଶ କଲେ। ପାଖାପାଖି ୨ଘଣ୍ଟା ସେଠାରେ ରହିବା ପରେ ପୁଲିସ୍ ମଧ୍ୟ ଜେମ୍ସଙ୍କ ବନ୍ଧୁଙ୍କ ଘରେ ପହଞ୍ଚିଲା। ପୁଲିସ୍ ଦୂରରୁ ଥାଇ ଜେମ୍ସଙ୍କ ଗତିବିଧି ଲକ୍ଷ୍ୟ କରୁଥିଲା। କଥା ନ ମାନି ସେ ଭିତରକୁ ପ୍ରବେଶ କରିବା ପରେ ପୁଲିସ୍ ସନ୍ଦେହ କରି ସେଠାରେ କିଛି ସମୟ ରହିଲେ। ଏଥରକ ଘର ଭିତରକୁ ଯିବା ପରେ ପ୍ରକୃତ ଘଟଣା ଜଣାପଡ଼ିଲା। ବନ୍ଧୁଙ୍କ ଘରକୁ ସେ ଚା’ ପାର୍ଟିରେ ଯୋଗ ଦେବାକୁ ଆସିଥିଲେ। ସତ ମାନିବା ପରେ ଜେମ୍ସଙ୍କୁ ୧୯,୪୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିଛି। ଲୋକେ ସତର୍କ ନ ହେଲେ, ଦ୍ବିତୀୟ ଥର ଲକ୍-ଡାଉନ୍ରେ ମଧ୍ୟ କରୋନା ସଂକ୍ରମଣର ଭୟାବହତା ବଢ଼ିବ ବୋଲି ପ୍ରଶାସନ ତରଫରୁ କୁହାଯାଇଛି।