ବ୍ରିସବେନ୍‌ ଅଷ୍ଟ୍ରେଲିଆ ପାଇଁ ଅଭେଦ୍ୟ ଦୁର୍ଗ

ବ୍ରିସବେନ୍: ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ୪ର୍ଥ ମ୍ୟାଚ୍ ଶୁକ୍ରବାରଠାରୁ ବ୍ରିସବେନ୍‌ର ଗାବା ଷ୍ଟାଡ଼ିୟମରେ ଖେଳାଯିବ। ଏଠାରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ଭାରତ ପାଇଁ ବେଶ୍‌ କଷ୍ଟକର ହେବ ବୋଲି ଚର୍ଚ୍ଚା ହେଉଛି। ବ୍ରିସବେନ୍‌ ଅଷ୍ଟ୍ରେଲିଆ ଦଳ ପାଇଁ ଏକ ଅଭେଦ୍ୟ ଦୁର୍ଗ ଭାବେ ପରିଗଣିତ।

୧୯୬୦ରେ ଏଠାରେ ପ୍ରଥମ ଟେଷ୍ଟମ୍ୟାଚ୍‌ ଖେଳା ଯାଇଥିଲା। ୧୯୮୮ ପରଠାରୁ ଅଷ୍ଟ୍ରେଲିଆ ଦଳ ଏଠାରେ ଗୋଟିଏ ହେଲେ ଟେଷ୍ଟ ମ୍ୟାଚ୍‌ ହାରିନାହିଁ। ଅଷ୍ଟ୍ରେଲିଆ ଦଳ ଗାବାରେ ୬୨ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ବେଳେ ୪୦ଟିରେ ବିଜୟୀ ହୋଇଛି। ଅଷ୍ଟ୍ରେଲିଆ ୮ଟି ମ୍ୟାଚ୍‌ ହାରିଥିବା ବେଳେ ଗୋଟିଏ ମ୍ୟାଚ୍‌ ଟାଇ ରହିଥିଲା। ୧୩ଟି ମ୍ୟାଚ୍ ଡ୍ର ରହିଥିଲା। ଗତ ୧୦ଟି ଟେଷ୍ଟମ୍ୟାଚ୍‌ରୁ ଅଷ୍ଟ୍ରେଲିଆ ଗାବାରେ ଗୋଟିଏ ହେ​‌େ​‌ଲ ମ୍ୟାଚ୍‌ ହାରିନଥିବା ବେଳେ ଭାରତୀୟ ଦଳ ଅଗ୍ନିପରୀକ୍ଷାର ସମ୍ମୁଖୀନ ହେବାକୁ ଯାଉଛି ବୋଲି କ୍ରିକେଟ୍‌ ପଣ୍ଡିତମାନେ ମତ ଦେଇଛନ୍ତି। ବ୍ରିସ୍‌ବେନ୍‌ର ପିଚ୍‌ରେ ବଲ୍‌ ଅଧିକ ଗତିରେ ଆସିବା ସହ ବାଉନ୍‌ସ ଅଧିକ ରହିବ। ତେଣୁ ଏହି ପିଚ୍‌ରେ ଭାରତୀୟ ବ୍ୟାଟସମ୍ୟାନ୍‌ ଘରୋଇ ବୋଲରଙ୍କୁ କିପରି ଭାବେ ମୁକାବିଲା କରୁଛନ୍ତି; ତାହା ଉପରେ ସମସ୍ତଙ୍କ ନଜର ରହିବ।

ଅନ୍ୟପକ୍ଷରେ ଭାରତୀୟ ଦଳର ଏକାଧିକ କ୍ରିକେଟର୍‌ ଆହତହୋଇ ୪ର୍ଥ ଟେଷ୍ଟ ମ୍ୟାଚ୍‌ ଖେଳୁନଥିବାରୁ ଦଳ ପାଇଁ ସମସ୍ୟା ସୃଷ୍ଟିହୋଇଛି। ଏଭଳି ସ୍ଥିତିରେ ତାରକା ଓପନର୍‌ ରୋହିତ ଶର୍ମା, ଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ମଧ୍ୟକ୍ରମ ବ୍ୟାଟସମ୍ୟାନ୍‌ ଚେତେଶ୍ବର ପୂଜାରା କିପରି ବ୍ୟାଟିଂ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ। ବ୍ରିସବେନ୍‌ରେ ଅଷ୍ଟ୍ରେଲିଆ ଶେଷଥର ପାଇଁ ୧୯୮୮ରେ ଟେଷ୍ଟମ୍ୟାଚ୍‌ ହାରିଥିଲା। ଅଷ୍ଟ୍ରେଲିଆକୁ ଭିଭିଆନ୍‌ ରିଚାର୍ଡସ୍‌ଙ୍କ ନେତୃତ୍ବାଧୀନ ୱେଷ୍ଟଇଣ୍ଡିଜ୍‌ ୯ ୱିକେଟ୍‌ରେ ହରାଇଥିଲା। ଏହାପରଠାରୁ ଅଷ୍ଟ୍ରେଲିଆ ଏଠାରେ ୩୧ଟି ମ୍ୟାଚ୍‌ ଖେଳି ୨୪ଟି ଜିତିଥିବା ବେଳେ ୭ଟି ଡ୍ର ରଖିଛି। ଗାବାରେ ଭାରତୀୟ ଦଳ ୬ଟି ମ୍ୟାଚ୍‌ ଖେଳି ୫ଟି ମ୍ୟାଚ୍ ହାରିଥିବା ବେଳେ ଗୋଟିଏ ମ୍ୟାଚ୍‌ ଡ୍ର ରଖିଛି। ୨୦୦୩ରେ ସୌଭର ଗାଙ୍ଗୁଲିଙ୍କ ୧୪୪ ରନ୍ ବଳରେ ଭାରତୀୟ ଦଳ ଗାବାରେ ଗୋଟିଏ ମ୍ୟାଚ୍‌ ଡ୍ର ରଖିବାକୁ ସକ୍ଷମ ହୋଇଥିଲା। ୧୯୭୭ରେ ଖେଳା ଯାଇଥିବା ଏକ ଟେଷ୍ଟରେ ଭାରତକୁ ୧୬ ରନ୍‌ରେ ପରାସ୍ତ କରିଥିଲା ଅଷ୍ଟ୍ରେଲିଆ। ବିଜୟ ପାଇଁ ଭାରତ ସମ୍ମୁଖରେ ୩୪୧ ରନ୍‌ର ଲକ୍ଷ୍ୟ ଥିବା ବେଳେ ଭାରତୀୟ ଦଳ ୩୨୪ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା। ଗାଭାସ୍କର ଏହି ମ୍ୟାଚ୍‌ରେ ୧୧୩ ରନ୍‌ କରିଥିଲେ। ୧୯୭୪ରେ ଏଠାରେ ଏକ ମ୍ୟାଚ୍‌ରେ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆର ଜେଫ୍‌ ଥମସନ୍‌ ୧୦୫ ରନ୍‌ ଦେଇ ୯ଟି ୱିକେଟ୍ ହାସଲ କରିଥିଲେ।

ଏକାଧିକ କୀର୍ତ୍ତିମାନ ଅପେକ୍ଷାରେ ଗାବା
ଗାବାରେ ଖେଳାଯିବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟମ୍ୟାଚ୍‌ରେ ବ୍ୟକ୍ତିଗତ ରେକର୍ଡ ପାଇଁ ଏକାଧିକ କ୍ରିକେଟର୍‌ଙ୍କ ନିକଟରେ ସୁଯୋଗ ରହିଛି। ଅଷ୍ଟ୍ରେଲିଆ ମାଟିରେ ଘରୋଇ ଦଳ ବିପକ୍ଷରେ ୧ ହଜାର ରନ୍‌ ପୂରଣ କରିବାକୁ ଭାରତର ଚେତେଶ୍ବର ପୂଜାରା ୮୮ ରନ୍ ଆବଶ୍ୟକ କରୁଛନ୍ତି। ସେ ବର୍ତ୍ତମାନ ସୁଦ୍ଧା ୧୯ଟି ଇନିଂସରୁ ୯୧୨ ରନ୍‌ କରି ସାରିଛନ୍ତି। ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ରେ ୨ ହଜାର ରନ୍‌ ପୂରଣ ପାଇଁ ପୂଜାରା ୧୮୮ ରନ୍‌ ଆବଶ୍ୟକ କରୁଛନ୍ତି। ସେ ବର୍ତ୍ତମାନ ସୁଦ୍ଧା ୩୫ଟି ଇନିଂସରୁ ୧୮୧୨ ରନ୍‌ କରିଛନ୍ତି। ସେଥିରେ ୫ଟି ଶତକ ଓ ୯ଟି ଅର୍ଦ୍ଧଶତକ ରହିଛି।

ଭାରତୀୟ ଅଧିନାୟକ ଅଜିଙ୍କ୍ୟ ରାହାଣେ ଅଷ୍ଟ୍ରେଲିଆ ମାଟିରେ ୧ ହଜାର ରନ୍‌ ପୂରଣ କରିବାକୁ ୧୭୭ ରନ୍‌ ଆବଶ୍ୟକ କରୁଛନ୍ତି। ସେ ବର୍ତ୍ତମାନ ସୁଦ୍ଧା ୨୧ଟି ଇନିଂସରୁ ୮୨୩ ରନ୍‌ କରିଛନ୍ତି। ସେହିପରି ବିଦେଶରେ ୩ ହଜାର ରନ୍ ପୂରଣ ପାଇଁ ରାହାଣେ ୮୩ ରନ୍‌ ଆବଶ୍ୟକ କରୁଛନ୍ତି। ଆଇସିସି ଟେଷ୍ଟ ଚମ୍ପିଆନ୍‌ସିପରେ ୧ ହଜାର ରନ୍‌ ପୂରଣ ପାଇଁ ରାହାଣେ ୭୮ ରନ୍‌ ଆବଶ୍ୟକ କରୁଛନ୍ତି। ସେ ବର୍ତ୍ତମାନ ସୁଦ୍ଧା ୨୦ଟି ଇନିଂସରୁ ୯୨୨ ରନ୍‌ କରିଛନ୍ତି। ତାରକା ଭାରତୀୟ ବ୍ୟାଟସମ୍ୟାନ୍‌ ରୋହିତ ଶର୍ମା ବିଦେଶ ମାଟିରେ ୧ ହଜାର ରନ୍‌ ପୂରଣ କରିବାକୁ ୧୦୬ ରନ୍‌ ଆବଶ୍ୟକ କରୁଛନ୍ତି। ସେ ବର୍ତ୍ତମାନ ସୁଦ୍ଧା ୩୫ଟି ଇନିଂସରୁ ୮୯୪ ରନ୍‌ କରିଛନ୍ତି। ଭାରତୀୟ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ୧୦୦ଟି ୱିକେଟ୍‌ ହାସଲ ପାଇଁ ୧୧ଟି ୱିକେଟ୍‌ ଆବଶ୍ୟକ କରୁଛନ୍ତି। ସେ ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ ବିପକ୍ଷରେ ୧୮ଟି ଟେଷ୍ଟ ଖେଳି ୮୯ ୱିକେଟ୍ ହାସଲ କରିଛନ୍ତି। ଅଷ୍ଟ୍ରେଲିଆରେ ୫୦ଟି ୱ‌ିକେଟ୍‌ ହାସଲ ପାଇଁ ସେ ୧୧ଟି ୱିକେଟ୍‌ ଆବଶ୍ୟକ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଅଶ୍ବିନ୍‌ ୧୦ଟି ଟେଷ୍ଟରୁ ୩୯ଟି ୱିକେଟ୍‌ ହାସଲ କରିଛନ୍ତି। ବ୍ରିସବେନ୍‌ ଟେଷ୍ଟ ଅଷ୍ଟ୍ରେଲିଆର ସ୍ପିନର ନାଥାନ୍‌ ଲାୟନ୍‌ଙ୍କ ୧୦୦ତମ ଟେଷ୍ଟ ହେବ। ଅଷ୍ଟ୍ରେଲିଆ ତରଫରୁ ୧୦୦ କିମ୍ବା ଏହାଠାରୁ ଅଧିକ ଟେଷ୍ଟ ଖେଳିବାରେ ଲାୟନ୍‌ ହେବେ ୧୩ତମ କ୍ରିକେଟର୍‌। ସେହିପରି ୪୦୦ ଟେଷ୍ଟ ୱିକେଟ୍‌ ହାସଲ ପାଇଁ ଲାୟନ୍‌ ଆଉ ମାତ୍ର ୪ଟି ୱିକେଟ୍‌ ଆବଶ୍ୟକ କରୁଛନ୍ତି। ଲାୟନ୍‌ ୯୯ଟି ଟେଷ୍ଟ ମ୍ୟାଚ୍‌ ଖେଳି ୩୯୬ଟି ୱିକେଟ୍‌ ହାସଲ କରି ସାରିଛନ୍ତି। ଭାରତ ବିପକ୍ଷରେ ୫୦ଟି ୱିକେଟ୍‌ ହାସଲ ପାଇଁ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋସ୍‌ ହାଜେଲଉଡ୍‌ ୫ଟି ୱିକେଟ୍ ଆବଶ୍ୟକ କରୁଛନ୍ତି। ​‌େ​‌ସ ବର୍ତ୍ତମାନ ସୁଦ୍ଧା ୧୪ଟି ଟେଷ୍ଟ ଖେଳି ୪୫ଟି ୱିକେଟ୍ ହାସଲ କରିଛନ୍ତି। ଅଷ୍ଟ୍ରେଲିଆର ଟେଷ୍ଟ ଅଧିନାୟକ ଭାବେ ୧ ହଜାର ରନ୍‌ ପୂରଣ କରିବାକୁ ଟିମ୍‌ ପେନ୍‌ ୧୬୮ ରନ୍ ଆବଶ୍ୟକ କରୁଛନ୍ତି। ସେ ବର୍ତ୍ତମାନ ସୁଦ୍ଧା ୩୫ଟି ଇନିଂସରୁ ୮୩୨ ରନ୍‌ କରିଛନ୍ତି।

Comments are closed.