୫ ଗ୍ରାମକୁ ଭରସା ଅସ୍ଥାୟୀ ଝୁଲାପୋଲ

ଫୁଲବାଣୀ,କ.ନୂଆଗାଁ : ପୂର୍ବରୁ ୫ ଖଣ୍ଡ ଗ୍ରାମବାସୀ ପ୍ରଥମେ ଦଉଡ଼ିକୁ ଏ ଦିଗରୁ ସେ ଦିଗ ପର୍ଯ୍ୟନ୍ତ ବାନ୍ଧି ଯାତାୟତ କରୁଥିଲେ। ତେବେ ଗ୍ରାମବାସୀମାନେ ଏକତ୍ରିତ ହୋଇ ନିଜ ଗାଁ ପାଇଁ ଚିନ୍ତା ଆରମ୍ଭ କରିଥିଲେ। ଗତ ୩ ବର୍ଷ ତଳେ ବିପଦ ସଂକୁଳ ଅବସ୍ଥାରେ ଯେଉଁ ଦଉଡ଼ି ବାନ୍ଧି ଚାଲୁଥିଲେ ସେହି ଉପରେ ନିଜ ଗ୍ରାମବାସୀମାନେ ନିଜ ଖର୍ଚ୍ଚରେ ନିର୍ମାଣ କରିଛନ୍ତି ଏକ ୨୦୦ ମିଟର ଝୁଲା ପୋଲ। ତାହା ମଧ୍ୟ ନିଜ ଦେଶୀୟ ପଦ୍ଧତିରେ। ଏଥିପାଇଁ ନିଜେ ଚାନ୍ଦା କରି ଖର୍ଚ୍ଚ କରିଛନ୍ତି ପ୍ରାୟ ୨ ଲକ୍ଷ ଟଙ୍କା। ତେବେ ଗତ ୩ ବର୍ଷ ତଳକୁ ଗ୍ରାମବାସୀଙ୍କ ଦ୍ୱାରା ନିର୍ମାଣ ହୋଇଥିଲା ଝୁଲାପୋଲକୁ ସେତେବେଳର କ.ନୂଆଗାଁ ବ୍ଳକ ଅଧ୍ୟକ୍ଷ ଚକ୍ରମଣି କହଁର ଉଦ୍‍ଘାଟନ କରିଥିବା ବେଳେ ବର୍ତ୍ତମାନ ଚକ୍ରମଣି କହଁର ବାଲିଗୁଡ଼ା ବିଧାୟକ ଅଛନ୍ତି। ଏଭଳି ସ୍ଥଳେ ନିଶ୍ଚିତ ଭାବେ ବିଧାୟକ ଉକ୍ତ ନଦୀ ଉପରେ ସ୍ଥାୟୀ ପଦକ୍ଷେପ ଗ୍ରହଣ କରିବେ ବୋଲି ମଧ୍ୟ ଗ୍ରାମବାସୀ ମାନେ ଆଶା ପ୍ରକଟ କରିଛନ୍ତି।
କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକ କାର୍ଯ୍ୟାଳୟ ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଓ ମୁଖ୍ୟ ରାସ୍ତାଠାରୁ ମାତ୍ର ୧୦୦ ମିଟର ଦୂରରେ ଅବସ୍ଥିତ ଗୁଞ୍ଜିବାଡ଼ି ପଂଚାୟତର ୮ ନମ୍ବର ୱାର୍ଡ଼। ଏହି ୱାର୍ଡ଼ରେ ଅବସ୍ଥିତ ଟପେରିକିଆ , ପାତ୍ରସାହି , ତଗାକଲା , ପୁରୁଣାସାହି , ବାଣିସପଦର ଭଳି ୫ ଖଣ୍ଡ ଗ୍ରାମ। ପ୍ରାୟ ୧୦୦ ପରିବାର ବସବାସ କରିଥାନ୍ତି ଏହି ୱାର୍ଡ଼ରେ। ଏହି ଗ୍ରାମକୁ ବିଛିନ୍ନ କରି ରଖିଛି ଟପେରିକିଆ ନଦୀ। ନଦୀରେ ପୋଲ ନିର୍ମାଣ ହୋଇନଥିବା ଯୋଗୁଁ ଲୋକେ ପଂଚାୟତକୁ ଚାଉଳ , କିରୋସିନି ହେଉ କିମ୍ବା ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଯାତାତୟ ପାଇଁ ପୂର୍ବରୁ ଦଉଡ଼ି ସହିତ ହଣ୍ଡା ସାହାର୍ଯ୍ୟରେ ବିପଦପୂର୍ଣ୍ଣଭାବେ ଯାତାୟତ କରୁଥିଲେ। ନଦୀ ଉପରେ ପୋଲ ନିର୍ମାଣ ପାଇଁ ପୂର୍ବରୁ ଗ୍ରାମବାସୀମାନେ ବ୍ଳକ ପ୍ରଶାସନ, ଜିଲା ପ୍ରଶାସନ ଓ ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କୁ ଲିଖିତ ଭାବେ ମଧ୍ୟ ଅଭିଯୋଗ କରିଥିଲୋ ଏପରିକି ଭୁବନେଶ୍ୱର ଯାଇ ବିଭାଗୀୟ ମନ୍ତ୍ରୀଙ୍କର ମଧ୍ୟ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ କୌଣସି ପ୍ରକାର ପୋଲ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇ ପାରିନଥିବାବେଳେ ବାଧ୍ୟ ହୋଇ ୫ ଖଣ୍ଡ ଗ୍ରାମବାସୀମାନେ ଚାନ୍ଦାକରି ୧୬ ଏମ୍‍,ଏମ୍‍ ଲୁହା ରଡ଼୍‍ ୩୦ ଖଣ୍ଡ , ୩୦ ଖଣ୍ଡ ତାରଜାଲି ଓ ଏକ ଲଇନ୍‍ ତାର ମାଧ୍ୟମରେ ନଦୀର ଦୁଇକୂଳରେ ବଡ଼ ବଡ଼ କାଠଗଣ୍ଡି ଜୋଡ଼ି ତହିରେ ବାନ୍ଧି ଏବେ ଯାତାୟତ କରୁଛନ୍ତି। ଏହି କାର୍ଯ୍ୟ ପାଇଁ ଗ୍ରାମବାସୀମାନେ ମିଳିତ ଭାବେ ତିନିମାସ ଶ୍ରମ ଦାନ କରିଥିବାର ପ୍ରକାଶ। ୨୦୦ ମିଟର ଲମ୍ବରେ ଏକ ଅସ୍ଥାୟୀ ଝୁଲାପୋଲ ନିର୍ମାଣ କରି ଯାତାୟତ କରୁଛନ୍ତି ଗତ ୩ ବର୍ଷ ହେଲା। ଏହି ବାବଦକୁ ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ପ୍ରକାଶ କରିଛନ୍ତି ମୁଖୀ ପ୍ରଧାନ। ଏହି ଗ୍ରାମର ୬ କିଲୋମିଟର ଦୂରରେ ଗଲେବାଡ଼ି ଗ୍ରାମରେ ସରକାରଙ୍କ ପକ୍ଷରୁ ଏକ ପୋଲ ନିର୍ମାଣ କରାଯାଇଛି କିନ୍ତୁ ୫ ଖଣ୍ଡ ଗ୍ରାମବାସୀ ସେହି ପୋଲ ନିକଟକୁ ଯିିବା ପାଇଁ ରାସ୍ତା ନିର୍ମାଣ ହୋଇନଥିବା ଯୋଗୁଁ ସେହି ପୋଲରେ ଗ୍ରାମବାସୀମାନେ ଯାତାୟତ କରିପାରୁନାହାନ୍ତି ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ଏହା ସହିତ ଗତ ୯ ବର୍ଷ ତଳେ ମଧ୍ୟ ଗ୍ରାମକୁ ବିଦ୍ୟୁତ୍‍ ସଂଯୋଗ ହୋଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ତଗାକଲା ଗ୍ରାମକୁ ବିଦ୍ୟୁତ୍‍ ପହଞ୍ଚିନଥିବା ଯୋଗୁଁ ଉକ୍ତ ଗ୍ରାମରେ ଥିବା ୧୫ ପରିବାର ଏବେ ମଧ୍ୟ ଡ଼ିବିରି ଭରସାର ଜୀବନ ବିତାଉଛନ୍ତି ବୋଲି ଦେଖାଯାଇଛି। ତେବେ ଉକ୍ତ ୫ ଖଣ୍ଡ ଗ୍ରାମରେ ଆଜି ପର୍ଯ୍ୟନ୍ତ ପାନୀୟଜଳର କୌଣସି ପ୍ରକାର ବ୍ୟବସ୍ଥା ହୋଇ ପାରିନଥିବା ଯୋଗୁଁ ବାଧ୍ୟ ହୋଇ ଅଞ୍ଚଳବାସୀ ନଦୀ ଓ ଝରଣା ଜଳ ଉପରେ ନିର୍ଭର କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି। ସେହିଭଳି ନଦୀପାର ହୋଇ ପରିଗଡ଼ ଗ୍ରାମରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଠାରୁ ସେମାନେ ରାସନ ସାମଗ୍ରୀ ଗ୍ରହଣ କରୁଥିବାବେଳେ ସେମାନେ ଉକ୍ତ ଝୁଲା ପୋଲ ପାର ହୋଇ ଯାୟତ କରିଥାନ୍ତି ବୋଲି ଗ୍ରାମର ଯୋହନ ପ୍ରଧାନ ଓ ଶବର ପାତ୍ର ପ୍ରମୁଖ ପ୍ରକାଶ କରିଛନ୍ତି। ଜିଲାପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ପୋଲ ନିର୍ମାଣ କିମ୍ବା ସ୍ଥାୟୀ ଝୁଲାପୋଲ ନିର୍ମାଣ କରିବାକୁ ଅଞ୍ଚଳର ମୁକୁନ୍ଦ ଦେବ ଘଡ଼ାଇ, କୃଷ୍ଣଚନ୍ଦ୍ର ପ୍ରଧାନ ଓ ଅନ୍ୟ ଗ୍ରାମବାସୀମାନେ ଦାବି କରିଛନ୍ତି।

Comments are closed.