ବୋହୂବଗିଚା

0

ଶୁଭଶ୍ରୀ ଦାସ

ପଚାଶ ବର୍ଷ ତଳର ଗୋଟିଏ କାହାଣୀ। ନଈ, ନାଳ, ପୋଖରୀ ଆଉ ନଡ଼ିଆ, ତାଳ, ଆମ୍ବ, ପଣସର ତୋଟା ଭିତରେ ଥିବା ନିପଟ ମଫସଲ ଗାଁଟିର ନୁଆଁଣିଆ ଚାଳଘର ଭିତରେ ନୂଆ ବୋହୂଟି ହାତେ ଓଢ଼ଣା ଦେଇ ଅନ୍ଧାରୁଆ ଘରର ଗୋଟିଏ କଣକୁ ବସିଥିଲା ଆଉଜି ହୋଇ। ଭିଡ଼ ଲାଗି ରହିଥିଲା ଘର ଭିତରେ ଆଉ ବାହାରେ। ଗାଁକୁ ପାଠୁଆ ବୋହୂ ଆସିଛି। ଚାକିରି ବି କରିଛି। କେମିତି ହୋଇଥିବ ସେ ? ପ୍ରଶ୍ନବାଚୀଭରା ଯୋଡ଼ାଯୋଡ଼ା ଆଖିସବୁ ଘୂରି ବୁଲୁଥିଲେ ବୋହୂଟିର ଆଖପାଖରେ।
ଧୀରେ ଗହଳି କମି ଆସିଲା। ଶାଶୂ ଆସି ଠିଆହେଲେ ବୋହୂଟି ପାଖରେ। କ’ଣ କହିବେ? କେମିତି କହିବେ? ସହରରେ ପାଠ ପଢ଼ିଥିବା ବୋହୂ। ପୁଣି ଚାକିରିଆ। କଥା ଶୁଣିବ ବୋଲି ବିଶ୍ବାସ ଆସିବାକୁ ​‌େ​‌ଢର ସମୟ ଲାଗିବ। କ’ଣ କରିବେ ସେ? ପୁଅଟା ତାଙ୍କର ବଡ଼ ଜିଦିଆ ପିଲାଦିନୁ। ଯାହା ମନକୁ ଆସିବ କରିବ। ଏବେ ପାଠୁଆ ବୋହୂଟି ଆଣିଛି। କେମିତି ସେ ଚଳେଇବେ ତାକୁ ଏଇ ନିପଟ ମଫସଲ ଗାଁରେ? ଶୁଣିବ କ’ଣ ବୋହୂ ତାଙ୍କ କଥା? ତଥାପି ବି କହିବାକୁ ହେବ। ଶାଶୂ ସେ। ମନରେ ସାହସ ବାନ୍ଧି କହିଲେ- ସମସ୍ତେ ଆସି ବୋହୂ ଦେଖି ଗଲେଣି। ହେଲେ କାଶୀ ବଡ଼ବାପା ଅାସିବା ଅବସ୍ଥାରେ ନାହାନ୍ତି। ତାଙ୍କର ଭାରି ଇଚ୍ଛା ତତେ ଦେଖିବାକୁ। ଚାଲ ଏଇ ବାଡ଼ିପଟ ଗୋହିରୀ ଦେଇ ତାଙ୍କ ଘରେ ଟିକିଏ ମୁହଁମାରି ଆସିବା। ପୁରୁଖା ଲୋକ ସେ। କଲ୍ୟାଣ କରିବେ ତୁ ଗଲେ।
ନୀରବରେ ଉଠି ଠିଆ ହେଲା ବୋହୂଟି। ଶାଶୂଙ୍କର ମୁହଁ ଉପରୁ ଅପସରି ଯାଉଥିଲା ଅବିଶ୍ବାସର କଳାବାଦଲ। ଖୁସି ଓ ଭରସାର ସରୁ ହସ ଧାରଟିଏ ମିଳାଇଗଲା ତାଙ୍କ ଓଠକୋଣରେ। ଆଗକୁ ପାଦ ବଢ଼ାଇଲେ ସେ। ପଛେପଛେ ନୂଆବୋହୂଟିର ପାଉଁଜିର ରୁଣୁଝୁଣୁ ଶବ୍ଦ ଅନୁସରଣ କରୁଥିଲା ତାଙ୍କୁ।
ବାଡ଼ିପଟର ଅଣଓସାରିଆ ଗୋହିରିଟିରେ ପାଦ ରଖିଲା ବୋହୂ। ଗାଁ ମାଟିର ପରଶ ସଞ୍ଚରିଗଲା ତା ଦେହ ଭିତରେ। ପାଖ ତୋଟାରୁ ବହିଆସୁଥିବା ଖୋଲାପବନ ଛୁଇଁଯାଇଥିଲା ମନକୁ। ଅଜଣା ଗାଁଟିର ମାଟି, ପବନରେ ଥିବା ଆପଣାର ଭାବ ଆନମନା କରୁଥିଲା ନୂଆ ବୋହୂଟିକୁ। ପହଞ୍ଚିଲେ ସେମାନେ କାଶୀ ବଡ଼ବାପାଙ୍କ ଘରେ। ମାଟି କାନ୍ଥ ଘରର ଗୋଟିଏ କଡ଼କୁ ପଡ଼ିଥିଲା ପଲଙ୍କଟିଏ। ଧଳା ଧୋତି ଓ ଚାଦର ଘୋ​‌େ​‌ଡ଼ଇ ଅଧାଶୁଆ ହୋଇ ବସିଥିଲେ କାଶୀବଡ଼ବାପା। ବୋହୂଟି ବଡ଼ବାପାଙ୍କ ଉଦ୍ଦେଶ୍ୟରେ ମୁଣ୍ଡ ଲଗାଇଲା ଭୂଇଁରେ। ଶାଶୂଙ୍କ ମନଟା କୁଣ୍ଢେମୋଟ ହୋଇଗଲା। ପାଠପଢ଼ୁଆ ବୋହୂ ଭିତରେ ନିପଟ ମଫସଲ ଗାଁର ସଂସ୍କାର ଅଭିଭୂତ କରିଦେଇଥିଲା ତାଙ୍କୁ।
କାଶୀ ବଡ଼ବାପାଙ୍କର ଥରିଲା ହାତ ଦୁଇଟି ଉପରକୁ ଉଠି ଯୋଡ଼ିହୋଇଗଲା ଗାଁ ଇଷ୍ଟଦେବୀଙ୍କ ଉଦ୍ଦେଶ୍ୟରେ। ଝରିପଡ଼ୁଥିଲା ଆଶୀର୍ବାଦର ବର୍ଷା ନୂଆବୋହୂଟିର ନଇଁଥିବା ମୁଣ୍ଡଟି ଉପରେ।
ବଡ଼ବାପାଙ୍କୁ ଟିକିଏ ଆଉଁଶି ଦେ’ରେ ମାଆ। ତାଙ୍କ ଦେହ ଭଲନାହିଁ। ଶାଶୂଙ୍କ ଇଙ୍ଗିତରେ ବୋହୂଟିର ନରମ ହାତରେ ମୁଠାମୁଠା ପରଶ ଛୁଇଁଥିଲା କାଶୀ ବଡ଼ବାପାଙ୍କ ଗୋଡ଼କୁ।
‘ଥାଉ ମାଆ, ସେତିକି ଢ଼େର’। ଉଠି ବସିଲେ କାଶୀ ବଡ଼ବାପା। ସେତେବେଳେ ଗାଁର ପାଠପଢ଼ୁଆ ମୁରବି ସେ। ମାଟ୍ରିକୁଲେସନ ପାସ। କଥା କହିଲେ ଶୁଣୁଥିଲେ ଗାଁ ଲୋକ। ମାନୁଥିଲେ ତାଙ୍କୁ। ବୋହୂକୁ ଚାହିଁ କହିଲେ- ତୁ ଆମ ଗାଁର ପ୍ରଥମ ପାଠପଢ଼ୁଆ ବୋହୂ। ଏଇ ଗାଁକୁ ଆସି ତୁ ଏ ମାଟିର ମହକ ବଢ଼ାଇଦେଲୁ। ତୁ ଯାହା କରିବୁ, ତୋ ଠାରୁ ଶିଖିବେ ଅନ୍ୟମାନେ। ଏ ଗାଁର ନାଁ ତୁ ରଖିବୁ। ଭୁଲିବୁ ନାହିଁ।
ଘଟଣାବହୁଳ ଜୀବନର ଦୀର୍ଘ ୫୦ ବର୍ଷ ବିତିଯାଇଛି ୟା ଭିତରେ। ପାରିବାରିକ ଜୀବନ ଓ ଚାକିରି ଜୀବନ ଭିତରେ ସନ୍ତୁଳନ ରକ୍ଷା କରୁକରୁ ନିଜକୁ ଭୁଲିଯାଇଛି ବୋହୂଟି। ଅନ୍ୟର ସ୍ବପ୍ନ ଭିତରେ ନିଜର ସ୍ବପ୍ନ କେଉଁଠି କେମିତି ହଜିଯାଇଛି ତା’ର ହିସାବ ରଖିନି କି ରଖିବାକୁ ସମୟ ବି ପାଇନି।
ପଚାଶ ବର୍ଷ ତଳେ ବିନା ସର୍ତ୍ତରେ ଆଶୀର୍ବାଦର ଫୁଲ ଅଜାଡ଼ି ଦେଇଥିବା ମଣିଷଗୁଡ଼ିକ କୁଆଡ଼େ ହଜିଗଲେଣି ଗୋଟିଗୋଟି ହୋଇ। କେତେ ଆଶା କେତେ ଭରସାର ବିଶ୍ବାସ ଥିଲା ସେମାନଙ୍କର ଆଖିରେ ତା’ ପାଇଁ।
ବୋହୂଟି ମନଟାଣ କଲା। ଗାଁ ମାଟିର ମହକକୁ ନେଇ ସ୍ବପ୍ନଟିଏ ରଚନା କଲା- ‘ବୋହୂବଗିଚା’। ଏକଜୁଟ କଲା ବୋହୂମାନଙ୍କୁ। ଆଖିରୁ ଆଖିକୁ ଡେଇଁ ଚାଲିଲା ସ୍ବପ୍ନ। ଖୁସିର ଏକ ଲହରୀ ଖେଳିଗଲା ବୋହୂମାନଙ୍କ ଭିତରେ। ଏକାଠି ବାନ୍ଧି ହୋଇଗଲେ ସମସ୍ତେ।
ନ୍ୟୁଜର୍ସି, ୟୁଏସଏ
suvasri_das@hotmail.com

Leave A Reply