ଆତଙ୍କବାଦର ଦୃଢ଼ ମୁକାବିଲା ଲାଗି ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଅଧିକ ସହଯୋଗ ଲାଗି ଭାରତର ଆହ୍ୱାନ

ବୈଦେଶିକ ମନ୍ତ୍ରୀମାନଙ୍କର ଅନ୍‍ଲାଇନ୍‍ ବୈଠକ

 

ନୂଆଦିଲ୍ଲୀ : ବିଶ୍ୱର ବିଭିନ୍ନ ଭାଗରେ ସଂପ୍ରତି ବୃଦ୍ଧି ପାଉଥିବା ହିଂସାତ୍ମକ କାର୍ଯ୍ୟକଳାପ ଓ ବିବାଦ ଉପରେ ବ୍ରିକ୍ସ ରାଷ୍ଟ୍ରମାନେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଏହିଭଳି ଘଟଣାଗୁଡ଼ିକର ଆଞ୍ଚଳିକ ଓ ଆନ୍ତର୍ଜାତିକ ସ୍ତରରେ କୁପ୍ରଭାବ ପଡ଼ୁଥିବା ବିଷୟ ବ୍ରିକ୍ସ ରାଷ୍ଟ୍ରର ରାଜନେତାମାନେ କହିଛନ୍ତି। ବ୍ରାଜିଲ୍‍, ରୁଷ୍‍, ଭାରତ, ଚୀନ୍‍ ଓ ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀମାନଙ୍କର ଏକ
ଅନ୍‍ଲାଇନ୍‍ ବୈଠକରେ ବିବାଦଗୁଡ଼ିକର ଶାନ୍ତିପୂର୍ଣ୍ଣ ଓ କୁଟନୈତିକ କଥାବାର୍ତ୍ତା ଜରିଆରେ ସମାଧାନ କରାଯିବା ପାଇଁ ମତ ପ୍ରକାଶ ପାଇଛି।
ଆନ୍ତର୍ଜାତିକ ଆଇନ ବିଶେଷ କରି ଜାତିସଂଘର ସନନ୍ଦ ଅନୁସାରେ ରାଜନୈତିକ ସ୍ତରରେ କଥାବାର୍ତ୍ତା ମାଧ୍ୟମରେ ଏହାର ସମାଧାନ ହେବା ଆବଶ୍ୟକ। ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଛାଡ଼ି ବାକି ସମସ୍ତ ପ୍ରକାର ବାଦ ବିବାଦକୁ ତୁରନ୍ତ ବନ୍ଦ କରିବାକୁ ଜାତିସଂଘ ନିରାପତ୍ତା ପରିଷଦ ପ୍ରସ୍ତାବ-୨୫୩୨ର ସେମାନେ ଉଲ୍ଲେଖ କରିଛନ୍ତି। ଆତଙ୍କବାଦର ମୁକାବିଲା ପାଇଁ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି ଲାଗି ଭାରତ ଆହ୍ୱାନ ଦେଇଛି। ବୈଦେଶିକ ମନ୍ତ୍ରୀ ଏସ୍‍.ଜୟଶଙ୍କର ଆତଙ୍କବାଦର ଦୃଢ଼ ମୁକାବିଲା କରିବା ପାଇଁ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଆହୁରି ଅଧିକ ସହଯୋଗ ଲାଗି ଆହ୍ୱାନ ଦେଇଛନ୍ତି।
ଏକ ମିଳିତ ଘୋଷଣାନାମାରେ ଜାତିସଂଘ ସନନ୍ଦ ଓ ଆନ୍ତର୍ଜାତିକ ଆଇନ ଅନୁସାରେ ଆତଙ୍କବାଦ ବିପଦର ଦୃଢ଼ ମୁକାବିଲା କରିବାକୁ ବ୍ରିକ୍ସ ସଦସ୍ୟ ଦେଶମାନେ ଆନ୍ତର୍ଜାତିକ ଉଦ୍ୟମରେ ସହଯୋଗ କରିବାକୁ ସଂକଳ୍ପବଦ୍ଧ ହେବାକୁ କହିଛନ୍ତି। ଚୀନ ଓ ରୁଷ, ବ୍ରାଜିଲ, ଭାରତ ଓ ଦକ୍ଷିଣ ଆଫ୍ରିକା ଭଳି ସଦସ୍ୟ ଦେଶଗୁଡ଼ିକର ଆନ୍ତର୍ଜାତିକ ବ୍ୟାପାରରେ ଭୂମିକା ଓ ସ୍ଥିତି ବିଷୟ ଉଲ୍ଲେଖ କରିଛନ୍ତି ଏବଂ ଜାତିସଂଘରେ ସେମାନଙ୍କର ଅଧିକ ଭୂମିକାକୁ ସମର୍ଥନ ଜଣାଇଛନ୍ତି। ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେ ଲାବରବ ବୈଠକରେ ଅଧ୍ୟକ୍ଷତା କରିଥିଲେ।

Comments are closed.