ଆତଙ୍କବାଦ ବିରୁଦ୍ଧରେ ଐକ୍ୟବଦ୍ଧ ସଂଗ୍ରାମ ଜରୁରୀ – ଲୋକସଭା ବାଚସ୍ପତି

ବ୍ରିକ୍ସ ସଦସ୍ୟ ଦେଶମାନଙ୍କୁ ଆତଙ୍କବାଦ ବିରୁଦ୍ଧରେ ସେମାନଙ୍କ ସଂଗ୍ରାମ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଲୋକସଭା ବାଚସ୍ପତି ଓମ୍‍ ବିର୍ଲା କହିଛନ୍ତି। ସେ କହିଛନ୍ତି ଆତଙ୍କବାଦ ମାନବ ଜାତି ପାଇଁ ସବୁଠୁ ବଡ଼ ବିପଦ ଭାବେ ଉଭା ହୋଇଛି। ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଷଷ୍ଠ ବ୍ରିକ୍ସ ସଂସଦୀୟ ଫୋରମ ବୈଠକରେ ଶ୍ରୀ ବିର୍ଲା କହିଛନ୍ତି, ଲୋକ ପ୍ରତିନିଧି ଭାବେ ସାସଂଦମାନେ ଦୀର୍ଘ ସମୟ ଧରି ନିରବଦ୍ରଷ୍ଟା ହୋଇ ରହିବା ଉଚିତ ନୁହେଁ। ସେମାନଙ୍କୁ ଆତଙ୍କବାଦ ଓ ହିଂସାତ୍ମକ ଉଗ୍ରବାଦ ବିରୁଦ୍ଧରେ ଐକ୍ୟବଦ୍ଧ ହୋଇ ସଂଗ୍ରାମ କରିବାକୁ ହେବ। ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପକୁ ପାଣ୍ଠି ଯୋଗାଣ ତୁରନ୍ତ ବନ୍ଦ କରିବାକୁ ସେ ଜୋର ଦେଇଛନ୍ତି। ସେ କହିଛନ୍ତି ଆତଙ୍କବାଦ ଓ ହିଂସାତ୍ମକ ଉଗ୍ରବାଦ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହେବାକୁ ନଥିବା ବେଳେ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ। ସେ କହିଛନ୍ତି, ଆତଙ୍କବାଦକୁ ରୋକିବା ପାଇଁ ଉଦ୍ଦିଷ୍ଟ ସମସ୍ତ ପ୍ରକାର ରାଜିନାମା ଓ ଚୁକ୍ତିଗୁଡ଼ିକର କାର୍ଯ୍ୟକାରିତା ଲାଗି ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ସାଂସଦମାନେ ଆନ୍ତର୍ଜାତିକ ଅନୁଷ୍ଠାନଗୁଡ଼ିକର ସହାୟତା ନେବା ଆବଶ୍ୟକ।

ଶ୍ରୀ ବିର୍ଲା କହିଛନ୍ତି, କୋଭିଡ ନାଇଣ୍ଟିନ୍‍ ଯୋଗୁଁ ଲକ୍ଷଲକ୍ଷ ଲୋକଙ୍କର ଜୀବନହାନୀ ଘଟିଛି ଓ ବିଶ୍ୱ ଅର୍ଥନୀତି ପାଇଁ ବଡ଼ବଡ଼ ସଂକଟମାନ ଆସି ପହଞ୍ଚିଛି। ଏହା ଯୋଗୁଁ ଦୈନନ୍ଦିନ ଜୀବନଯାତ୍ରା ଦୁର୍ବିସହ ହୋଇପଡ଼ିଛି। ସେ କହିଛନ୍ତି, ଏହି ସମୟରେ ଆନ୍ତର୍ଜାତିକ ସ୍ତରରେ ଏକତା ଓ ସହଯୋଗ ଅତ୍ୟନ୍ତ ଅପରିହାର୍ଯ୍ୟ। ଶ୍ରୀ ବିର୍ଲା କହିଛନ୍ତି, ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ଯଦିଓ ଅଳ୍ପ ମତପାର୍ଥକ୍ୟ ରହିଛି, ତେବେ ଏକ ଉନ୍ନତ ତଥା ଦାରିଦ୍ର୍ୟ କ୍ଷୁଧା ଓ ରୋଗମୁକ୍ତ ବିଶ୍ୱ ଗଠନ ପାଇଁ ସେମାନେ ସଂକଳ୍ପବଦ୍ଧ ଓ ସମଗ୍ର ମାନବ ଜାତି ଯେପରି ସମ୍ମାନର ସହ ଜୀବନ ଯାପନ କରିପାରିବ, ସେଥିପାଇଁ ଉଦ୍ୟମ କରିଆସୁଛନ୍ତି।

Comments are closed.