ବ୍ରିକ୍ସରେ ଆତଙ୍କବାଦ ଦମନ ଯୋଜନା ଗୃହୀତ

ପଡ଼ୋଶୀଙ୍କ ପାଇଁ ବିପଦ ନ ହେଉ ଆଫଗାନିସ୍ତାନ: ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀର ତ୍ରୟୋଦଶ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଆଭାସି ମାଧ୍ୟମରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତନି, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସେରିଲ ରାମଫୋସ୍ ଓ ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲସୋନାରୋ ଉପସ୍ଥିତ ରହିଥିଲେ। ଆଫଗାନିସ୍ତାନରେ ତାଲିବାନ ସରକାର ଆରମ୍ଭ ହୋଇଥିବାବେଳେ ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀ ବିଶ୍ବରୁ ଆତଙ୍କବାଦ ଦମନ ନିମନ୍ତେ ଦୃଢ ନିଷ୍ପତ୍ତି ନେଇଛନ୍ତି। ଆତଙ୍କବାଦ ବିରୋଧରେ ମିଳିତ ଲଢେଇ କରିବା ସବୁ ନେତା ଗୁରୁତ୍ବାରୋପ କରିଛନ୍ତି। ଏହା ସହିତ ଆଫଗାନିସ୍ତାନ ମାଟିକୁ ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି ବ୍ୟବହାରରୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ବ୍ରିକ୍ସ ରାଷ୍ଟ୍ର ନେତାମାନେ କହିଛନ୍ତି ଯେ ଆଫଗାନିସ୍ତାନରୁ ହିଂସା ଦୂର କରିବା ସହିତ ଏକ ସମ୍ମିଳିତ ସରକାର ଗଠନ ହେବା ଜରୁରୀ। ଦେଶରେ ଶାନ୍ତି, ଆଇନଶୃଙ୍ଖଳା ଓ ସ୍ଥିରତା ଆସିବାକୁ ଗୁରୁତ୍ବ ଦିଆଯାଇଛି। ବୈଠକରେ ଅଧ୍ୟକ୍ଷତା କରିଥିବା ମୋଦୀ କହିଛନ୍ତି ଯେ ଆଫଗାନିସ୍ତାନ ଏହାର ପଡୋଶୀ ଦେଶଗୁଡିକ ଲାଗି ବିପଦ ସୃଷ୍ଟି କରିବା ଉଚିତ୍ ନୁହେଁ। ଆଉ ମଧ୍ୟ ଏହି ଦେଶର ଆତଙ୍କବାଦୀ ଓ ନିଶା କାରବାରର ଉତ୍ସ ନ ହେବା ଉଚିତ। ସେ କହିଛନ୍ତି ଯେ ଆଫଗାନିସ୍ତାନବାସୀ ଦୀର୍ଘ ଦଶନ୍ଧି ଧରି ଦେଶ ପାଇଁ ଲଢ଼େଇ କରିଛନ୍ତି। ତେଣୁ ଦେଶବାସୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ଦିଗରେ ଏକ ସମ୍ମିଳିତ ସରକାର ଗଠନ ହେବା ଜରୁରୀ। ଏପରିକି ସରକାରର ଢାଞ୍ଚା ପ୍ରସ୍ତୁତ କରିବାର ଅଧିକାର ଦେଶବାସୀଙ୍କର ରହିଛି ବୋଲି ମୋଦୀ କହିଛନ୍ତି।

Comments are closed.