ମୋ ଅବସ୍ଥା ବଳାତ୍କାରରୁ ବର୍ତ୍ତିଯାଇଥିବା ପୀଡ଼ିତାଙ୍କ ସହ ସମାନ: କର୍ଣ୍ଣାଟକ ବାଚସ୍ପତି

0

ବେଙ୍ଗାଲୁରୁ: ବିଧାୟକଙ୍କୁ ଲାଞ୍ଚ ଅଭିଯୋଗ ପ୍ରସଙ୍ଗରେ କର୍ଣ୍ଣାଟକ ରାଜନୀତି ଏବେ ସରଗରମ ରହିଛି। ଏ ଘଟଣାରେ ଜାରି ଏକ ଅଡିଓ ଟେପ୍‍କୁ ନେଇ ଅଡ଼ୁଆରେ ପଡ଼ିଛନ୍ତି କର୍ଣ୍ଣାଟକ ବିଧାନସଭା ବାଚସ୍ପତି କେ ଆର ରମେଶ। ଅଡିଓ ଟେପର ସତ୍ୟତା ଓ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ସଂଗ୍ରହ ପାଇଁ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ୱାମୀ ଏସ୍‍ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ରମେଶ କହିଛନ୍ତି ଯେ ବଳାତ୍କାରରୁ ବର୍ତ୍ତିଯାଇଥିବା ଜଣେ ପୀଡ଼ିତାଙ୍କ ଅବସ୍ଥା ଯାହା ଏବେ ମୋ ଅବସ୍ଥା ସେହିପରି ହୋଇଛି।
ଅଡିଓ ଟେପରେ ଜଣେ ବ୍ୟକ୍ତି ଅନ୍ୟଜଣଙ୍କୁ ଲାଞ୍ଚ ଯାଚୁଥିବା ଶୁଣାଯାଉଛି। ଲାଞ୍ଚ ଯାଚୁଥିବା ବ୍ୟକ୍ତି ଜଣକ ବିଜେପିର କର୍ଣ୍ଣାଟକ ମୁଖ୍ୟ ବି ଏସ ୟେଦ୍ଦୁରପ୍ପାଙ୍କ ସ୍ୱର ବୋଲି ଶାସକ(ଜେଡିଏସ୍‍-କଂଗ୍ରେସ ମେଣ୍ଟ) ପକ୍ଷରୁ ଦାବି କରାଯାଇଛି। ସରକାର ଭାଙ୍ଗିବାକୁ ବିରୋଧୀ ବିଜେପି ଏଭଳି ହୀନ ଷଡ଼ଯନ୍ତ୍ର କରିଥିବା ଶାସକ ଦଳ ଅଭିଯୋଗ ଆଣିଛି। ଅଡିଓ ଟେପ୍‍ ଅନୁଯାୟୀ, କର୍ଣ୍ଣାଟକ ବାଚସ୍ପତି କେ ଆର ରମେଶଙ୍କୁ ୫୦ କୋଟି ଟଙ୍କା ଲାଞ୍ଚ ଯଚାଯାଇଥିବା ଅଭିଯୋଗ ଆସିବା ପରେ ଘଟଣାର ଏସ୍‍ଆଇଟି ତଦନ୍ତ ପାଇଁ ସେ ସୁପାରିସ କରିଥିଲେ। ରମେଶଙ୍କ ସୁପାରିସ ଅନୁଯାୟୀ, ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଏସ୍‍ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷରେ ରାଜନୈତିକ ଉଦ୍ଦେଶ୍ୟ ରଖି ଏସ୍‍ଆଇଟିକୁ ବ୍ୟବହାର କରାଯାଇପାରେ ବୋଲି ବିରୋଧୀ ବିଜେପି ଆଶଙ୍କା ପ୍ରକାଶ କରିଛି।

Leave A Reply