କିଙ୍ଗ୍ସ ଏକାଦଶ ପ୍ରଶିକ୍ଷକ ଭାବେ କୁମ୍ବଲେ ସଫଳତା ପାଇବେ : ବ୍ରେଟ୍ ଲି

ମେଲବୋର୍ଣ୍ଣ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଚଳିତ ସଂସ୍କରଣ ୟୁଏଇରେ ଖେଳାଯିବ। ଆଇପିଏଲ୍ର ଚଳିତ ସଂସ୍କରଣରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରିବାକୁ ଯାଉଥିବା ପୂର୍ବତନ ଭାରତୀୟ କ୍ରିକେଟର୍ ଅନୀଲ କୁମ୍ବଲେ ନିଶ୍ଚିତ ଭାବେ ସଫଳତା ପାଇବେ ବୋଲି ଆଶାବ୍ୟକ୍ତ କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍ ଲି।
କୁମ୍ବଲେ ଦୁଇବର୍ଷ ପାଇଁ କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରିବାକୁ ଚୁକ୍ତି କରିଛନ୍ତି। ଅତୀତରେ କଲକାତା ନାଇଟ୍ ରାଇର୍ଡସ ଓ କିଙ୍ଗ୍ସ ଏକାଦଶ ପଞ୍ଜାବ ତରଫରୁ ଆଇପିଏଲ୍ରେ ଖେଳି ସାରିଥିବା ବ୍ରେଟ୍ ଲି ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି କ୍ରିକେଟ୍କୁ ନେଇ କୁମ୍ବଲେଙ୍କ ନିକଟରେ ବହୁତ ଅଭିଜ୍ଞତା ରହିଛି। ସେ କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ତୁଲାଇବାକୁ ଯାଉଥିବାରୁ ତାଙ୍କ ନିକଟରେ ଥିବା ର୍ଅଭିଜ୍ଞତାରୁ ଏହି ଦଳର ଖେଳାଳିମାନେ ବେଶ୍ ଲାଭବାନ୍ ହେବେ। କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳରେ ବେଶ୍ ଭଲ କ୍ରିକେଟର୍ ରହିଥିବାରୁ ଚଳିତବର୍ଷ ଏହି ଦଳ ଆଇପିଏଲ୍ ଚମ୍ପିଆନ୍ ହେଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି ବ୍ରେଟ୍ ଲି ସ୍ପଷ୍ଟ କରି ଦେଇଛନ୍ତି। ସୂଚନାଥାଉକି ପୂର୍ବରୁ ମାଇକ୍ ହେସନ୍ କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ। ତେବେ ସେ ଆଇପିଏଲ୍ର ଅନ୍ୟତମ ଦଳ ରୟାଲ ଚ୍ୟାଲେଞ୍ଜର୍ସ ଓ ବାଙ୍ଗାଲୋରର କ୍ରିକେଟ୍ ନିର୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ କୁମ୍ବଲେ କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ।