ବ୍ରାଜିଲ ରାଷ୍ଟ୍ରପତି ବୋଲସୋନାରୋଙ୍କୁ ଜରିମାନା, ମାମଲା ରୁଜୁ କଲା ସ୍ବାସ୍ଥ୍ୟ ବିଭାଗ

ବ୍ରାଜିଲରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ମହାମାରୀକୁ ନିୟନ୍ତ୍ରଣ କରିବା ଲାଗି ସରକାରଙ୍କ ପକ୍ଷରୁ କୋଭିଡ କଟକଣା ଲାଗୁ କରାଯାଇଛି। ତେବେ ଖୋଦ ରାଷ୍ଟ୍ରପତି ଜୈର ବୋଲସୋନାରେ ଏହାକୁ ଉଲ୍ଲଂଘନ କରିଥିବା ଜଣାପଡ଼ିଛି। ଏଥିପାଇଁ ମାରନହାଓ ପ୍ରଦେଶର ଗଭର୍ନର ରାଷ୍ଟ୍ରପତିଙ୍କୁ ଜରିମାନା କରିଛନ୍ତି।

ଏକ ସରକାରୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ବୋଲସୋନାରେ କରୋନା କଟକଣା ଉଲ୍ଲଂଘନ କରିଥିଲେ। ଏଥିଲାଗି ତାଙ୍କୁ ଜରିମାନା ଦେବାକୁ ପଡ଼ିବ ବୋଲି ମାରନହାଓ ପ୍ରଦେଶ ଗଭର୍ନର କହିଛନ୍ତି। ଏହା ସହିତ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଷ୍ଟ୍ରପତିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଆଇନ ସମସ୍ତଙ୍କ ପାଇଁ ସମାନ ବୋଲି ଗଭର୍ନର ଫ୍ଲାଭିଓ ଡିନୋ କହିଛନ୍ତି।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ଆକେଲାଣ୍ଡିଆରେ ଅନୁଷ୍ଠିତ ଏକ ସରକାରୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ବୋଲସୋନାର ଯୋଗଦେଇଥିଲେ। କିନ୍ତୁ ସେ ମାସ୍କ ପିନ୍ଧି ନ ଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଗଭର୍ନର ଡିନୋଙ୍କୁ ଏକଚ୍ଛତ୍ରବାଦୀ ବୋଲି କହି କଡ଼ା ସମାଲୋଚନା କରିଥିଲେ। ଏହା ପରେ ଗଭର୍ନର ଡିନୋ କରୋନା କଟକଣା ଉଲ୍ଲଂଘନ ଅଭିଯୋଗରେ ରାଷ୍ଟ୍ରପତିଙ୍କ ବିରୋଧରେ ଜରିମାନା ଲାଗୁ କରିଛନ୍ତି।

ସୂଚନାଯୋଗ୍ୟ, ବିଶ୍ଵରେ କରୋନା ମହାମାରୀ ଯୋଗୁ ସର୍ବାଧିକ ମୃତ୍ୟୁ ଆମେରିକାରେ ହୋଇଥିବାବେଳେ ୨ୟ ସ୍ଥାନରେ ବ୍ରାଜିଲ ରହିଛି।

Comments are closed.