ଆଇପିଏଲ୍‌, ଦିଲ୍ଲୀକୁ ହରାଇଲା ସନ୍‌ରାଇଜର୍ସ

ନୂଆଦିଲ୍ଲୀ: ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାର ମ୍ୟାଚ୍‌ରେ ବିଜୟୀ ହୋଇଛି ସନ୍‌ରାଇଜର୍ସ ହାଇଦରାବାଦ। ମିଚେଲ ମାର୍ଶଙ୍କ ୪ ୱିକେଟ ଓ ପରେ ଅର୍ଦ୍ଧଶତକ ସତ୍ତ୍ବେ ସନ୍‌ରାଇଜର୍ସଠାରୁ ୯ ରନ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସ ପରାସ୍ତ ହୋଇଛି। ଅଭିଷେକ ଶର୍ମା ଓ ହେନ୍‌ରିକ୍‌ କ୍ଲାସେନ୍‌ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ସନ୍‌ରାଇଜର୍ସ ୬ ୱିକେଟରେ ୧୯୭ ରନ୍‌ କରିଥିଲା। ପରେ ଫିଲ୍‌ ସଲ୍‌ଟ ଓ ମିଚେଲ ମାର୍ଶଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଦିଲ୍ଲୀ ୬ ୱିକେଟରେ ୧୮୮ ରନ୍‌ କରି ପାରିଥିଲା। ପ୍ରଥମ ୫ଟିଯାକ ହାରିଥିବା ଦିଲ୍ଲୀ କ୍ରମାଗତ ୨ଟି ବିଜୟ ହାସଲ କରିଥିଲେ ହେଁ ପୁଣି ପରାସ୍ତ ହୋଇଛି। ୮ମ ମ୍ୟାଚ୍‌ରେ ୬ଷ୍ଠ ପରାଜୟ ପରେ ଟେବୁଲ୍‌ର ଅନ୍ତିମ ସ୍ଥାନରେ ଥିବା ଦିଲ୍ଲୀ କ୍ୟାପିଟାଲ୍‌ସ ସଙ୍କଟରେ ପଡ଼ିଯାଇଛି। ସନ୍‌ରାଇଜର୍ସ ହାଇଦରାବାଦ ୮ମ ମ୍ୟାଚ୍‌ରେ ୩ୟ ବିଜୟ ହାସଲ କରିଛି।

୧୯୮ ରନ୍‌ ଲକ୍ଷ୍ୟରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ଆରମ୍ଭରୁ ଝଟ୍‌କା ଲାଗିଥିଲା। ଇନିଂସର ୨ୟ ବଲ୍‌ରେ ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର ଆଉଟ୍‌ ହୋଇଥିଲେ। ପରେ ଓପ୍‌ନର ଫିଲ୍‌ ସଲ୍‌ଟ ଓ ମିଚେଲ ମାର୍ଶ ପ୍ରତ୍ୟାକ୍ରମଣ କରିଥିଲେ। ଅଷ୍ଟ୍ରେଲିଆର ମାର୍ଶ ଓ ଇଂଲଣ୍ଡର ସଲ୍‌ଟ ବିସ୍ଫୋରକ ବ୍ୟାଟିଂକରି ୨ୟ ୱିକେଟ ପାଇଁ ୧୧ ଓଭରରେ ୧୧୨ ରନ୍‌ ଯୋଡ଼ିଥିଲେ। ଫିଲ୍‌ ସଲ୍‌ଟ ୩୫ ବଲ୍‌ରୁ ୯ଟି ଚୌକା ସହ ୫୯ ରନ୍‌ କରିଥିଲେ। ୧ ୱିକେଟରେ ୧୧୨ ରନ୍‌କରି ଦିଲ୍ଲୀ ସୁବିଧାଜନଜ ସ୍ଥିତିରେ ଥିଲେ ୩୬ ରନ୍‌ରେ ୫ଟି ୱିକେଟ ହରାଇ ପରାସ୍ତ ହୋଇଥିଲା। ମନୀଷ ପାଣ୍ଡେ ୧ ରନ୍‌ କରିଥିଲେ। ମାର୍ଶ ଆଉଟ୍‌ ହୋଇଯିବା ଦିଲ୍ଲୀ ପାଇଁ ଶକ୍ତ ଧକ୍କା ଥିଲା। ମିଚେଲ ମାର୍ଶ ୩୯ ବଲ୍‌ରୁ ୬ଟି ଛକା ଓ ଗୋଟିଏ ଚୌକା ସହ ୬୧ ରନ୍‌ କରିଥିଲେ। ପ୍ରିୟମ୍ ଗର୍ଗ ୧୨ ଓ ଇମ୍ପାକ୍ଟ ଖେଳାଳି ସର୍ଫରାଜ ଖାଁ ୯ ରନ୍‌ କରିଥିଲେ। ଅକ୍ଷର ପଟେଲ ସାହସିକ ଇନିଂସ ଖେଳି ୧୪ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୯ ଏବଂ ରିପଲ ପଟେଲ ୧୧ ରନ୍‌କରି ଅପରାଜିତ ଥିଲେ। ଫର୍ମରେ ଥିବା ଅକ୍ଷରଙ୍କୁ ବିଳମ୍ବରେ ବ୍ୟାଟିଂ ପଠାଇବା ଦିଲ୍ଲୀ ପାଇଁ ମହଙ୍ଗା ପଡ଼ିଥିଲା। ମୟଙ୍କ ମାର୍କଣ୍ଡେ ୪ ଓଭରରୁ ମାତ୍ର ୨୦ ରନ୍‌ଦେଇ ୪ଟି ୱିକେଟ ପାଇଥିଲେ।

ଟସ୍ ଜିତିବା ପରେ ସନ୍‌ରାଇଜର୍ସ ହାଇଦରାବାଦ ବ୍ୟାଟିଂ କରିଥିଲା। ଗୋଟିଏ ପଟେ ଅଭିଷେକ ଶର୍ମା ଦର୍ଶନୀୟ ବ୍ୟାଟିଂ କରିଥିବା ବେଳେ ଅନ୍ୟପଟୁ ୱିକେଟ ପଡ଼ି ଚାଲିଥିଲା। ମୟଙ୍କ ଅଗ୍ରୱାଲ ୫ ଓ ରାହୁଲ ତ୍ରିପାଠୀ ୧୦ ରନ୍‌କରି ବିଦାୟ ନେଇଥିଲେ। ଅଧିନାୟକ ଐଡେନ୍ ମାର୍କରାମ ୮ ରନ୍‌କରି ଆଉଟ୍‌ ହୋଇଥିଲେ। ଇଂଲଣ୍ଡର ହ୍ୟାରି ବ୍ରୁକ୍‌ ଖାତା ଖୋଲି ପାରିନଥିଲେ। ଯୁବ ବ୍ୟାଟ୍‌ସମ୍ୟାନ ଅଭିଷେକ ଶର୍ମା ବିସ୍ଫୋରକ ଇନିଂସ ଖେଳି ମାତ୍ର ୩୬ ବଲ୍‌ରୁ ଗୋଟିଏ ଛକା ଓ ୧୨ଟି ଚୌକା ସହ ୬୭ ରନ୍‌ କରିଥିଲେ। ସନ୍‌ରାଇଜର୍ସ ୧୦୯ ରନ୍‌ରେ ୫ଟି ୱିକେଟ ହରାଥିଲା। ତେବେ ହେନ୍‌ରିକ୍ କ୍ଲାସେନ୍‌ ବିସ୍ଫୋରକ ବ୍ୟାଟିଂ କରିବାରୁ ସନ୍‌ରାଇଜର୍ସ ୧୯୭ ରନ୍‌ ସ୍କୋର୍‌ରେ ପହଞ୍ଚି ପାରିଥିଲା। ସନ୍‌ରାଇଜର୍ସ ଶେଷ ୫ ଓଭରରୁ ୬୨ ରନ୍‌ କରି ପାରିଥିଲା। ଦକ୍ଷିଣ ଆଫ୍ରିକାର କ୍ଲାସେନ୍ ଓ ଅବ୍‌ଦୁଲ ସମାଦ୍‌ ଦ୍ରୁତ ୫୩ ରନ୍ ଯୋଡ଼ିଥିଲେ। ସମାଦ୍‌ ୨୧ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୮ ରନ୍‌ କରିଥିଲେ। କ୍ଲାସେନ୍ ଓ ଆକିଲ ହୋସେନ୍‌ ଶେଷ ୩ ଓଭରରୁ ୩୫ ରନ୍‌ ଯୋଡ଼ିଥିଲେ। ୱେଷ୍ଟଇଣ୍ଡିଜ୍‌ର ହୋସେନ୍‌ ୧୬ ରନ୍‌କରି ଅପରାଜିତ ହେନ୍‌ରିକ୍ କ୍ଲାସେନ୍‌ ୨୭ ବଲ୍‌ରୁ ୪ଟି ଛକା ଓ ୨ଟି ଚୌକା ସହ ୫୩ ରନ୍‌କରି ଅପରାଜିତ ଥିଲେ। ମିଚେଲ ମାର୍ଶ ୨୭ ରନ୍‌ଦେଇ ୪ଟି ୱିକେଟ ନେଇଥିଲେ। ମିଚେଲ ମାର୍ଶ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Comments are closed.