ଏମ୍‌କେସିଜିରେ ଡାକ୍ତର ଅଭାବ

ବ୍ରହ୍ମପୁର: ବ୍ରହ୍ମପୁରସ୍ଥିତ ଏମକେସିଜି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଡାକ୍ତର ଅଭାବ ତଥା ବଦଳିକୁ ନେଇ ଗତ କିଛିଦିନ ହେବ ରାଜନୀତି ଜୋର ଧରିିଛି। ସହରର ଅଧିକାଂଶ ସାମାଜିକ ସଙ୍ଗଠନ ସହ ବିରୋଧୀ ଦଳ, ଗଣମାଧ୍ୟମ ପ୍ରତିନିଧି ଓ ଶେଷରେ ଶାସକ ଦଳ ପ୍ରତିନିଧିଙ୍କ ବାକ୍ୟବାଣକୁ ନେଇ ପ୍ରସଙ୍ଗଟି ସରଗରମ ହୋଇପଡ଼ିଛି । ଦିନକୁ ଦିନ ଜନ ଅସନ୍ତୋଷ ବଢୁଥିବା ଦେଖି ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଏମକେସିଜିରେ ଖାଲି ଥିବା ଡାକ୍ତର ପଦ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବା କୁହାଯାଇଛି ।
ଏମକେସିଜିରୁ ଗତ କିଛି ମାସ ଭିତରେ ୩୦ରୁ ଅଧିକ ବରିଷ୍ଠ ତଥା ଅଭିଜ୍ଞ ଡାକ୍ତରଙ୍କ ବଦଳିକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । ଡାକ୍ତରଙ୍କୁ ପଦୋନ୍ନତି ହେଉ କିମ୍ବା ବଦଳି ପ୍ରକିୟାରେ ଏମକେସିଜିରୁ ଅନ୍ୟ ମେଡିକାଲ କଲେଜକୁ ପଠାଇ ଦିଆଯାଇଛି । ଡାକ୍ତର ବଦଳିରେ କାହାର ଆପତ୍ତି ନାହିଁ, ହେଲେ ତାର ପ୍ରତିବଦଳରେ ମାତ୍ର ୧୦ ପ୍ରତିଶତ ଡାକ୍ତର ହିଁ ଏମକେସିଜିକୁ ଆସିଛନ୍ତି ।ସେହିପରି ପୂର୍ବରୁ ଏମକେସିଜିର ଏକାଧିକ ବିଭାଗରେ ଖୁବ କମ ସଂଖ୍ୟକ ଡାକ୍ତର କାର୍ଯ୍ୟ କରୁଛନ୍ତି । ବାରମ୍ବାର ଡାକ୍ତର ବଦଳିକୁ ନେଇ ବ୍ରହ୍ମପୁରବାସୀ ସହଜରେ ଗ୍ରହଣ କରିପାରି ନାହାନ୍ତି । ଦକ୍ଷିଣ ଓଡ଼ିଶାର ପ୍ରମୁଖ ରେଫେରାଲ
ହସପିଟାଲ କୁହାଯାଉଥିବା ଏହି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଉପରେ ଗଞ୍ଜାମ, ଗଜପତି, କନ୍ଧମାଳ ଜିଲାର ରାଗୀ ସିଧାସଳଖ ନିର୍ଭରଶୀଳ। ପଡୋଶୀ ଆନ୍ଧ୍ର ସୀମାନ୍ତ ଅଞ୍ଚଳ ଏବଂ ପୁରୀ ଜିଲାର ରୋଗୀ ମଧ୍ୟ ପ୍ରତ୍ୟେକ ଦିନ ଏଠାକୁ ଆସୁଛନ୍ତି। ଏଭଳି ସ୍ଥିତିରେ ପର୍ଯ୍ୟାପ୍ତ ଡାକ୍ତର ରହିବା ଜରୁରୀ । ହେଲେ ରାଜ୍ୟରେ କେନ୍ଦୁଝର ଓ ସୁନ୍ଦରଗଡ ଭଳି ଜିଲାରେ ନୂତନ ମେଡିକାଲ କଲେଜ ଖୋଲିବା ପରେ ରାଜ୍ୟ ସରକାର ଏମକେସିଜିରୁ ବରିଷ୍ଠ ଡାକ୍ତରଙ୍କୁ ବଦଳି କରି ନେଇ ଯାଉଛନ୍ତି। ଯାହା ଅସନ୍ତୋଷର ମୁଖ୍ୟ କାରଣ । ଡାକ୍ତର ବଦଳି ପ୍ରତିବାଦରେ ମାନବ ଅଧିକାର ସୁରକ୍ଷା ମଞ୍ଚ, ଭାରତୀୟ ବିକାଶ ପରିଷଦ ଭଳି ସାମାଜିକ ଅନୁଷ୍ଠାନ ପୃଥକ ଓ ମିଳିତ ଭାବେ ବିକ୍ଷୋଭ ପ୍ରଦର୍ଶନ କରିସାରିଛନ୍ତି । ସେହିପରି ବ୍ରହ୍ମପୁର ସହରର ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ୪ ଦିନ ଧରି ଡାକ୍ତରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଶାନ୍ତପୂର୍ଣ୍ଣ ଭାବେ ପ୍ରତୀକ ଧାରଣା ଦେଇଥିଲେ। ଏହାପରେ ଗଞ୍ଜାମ ଜିଲା ବିଜେପି ପକ୍ଷରୁ ୧୭ ରୁ ୧୯ ତାରିଖ ଯାଏଁ ଏମକେସିଜି ସମ୍ମୁଖରେ ୩ ଦିନ ପାଇଁ ଧାରଣା ଦିଆଯାଇଥିଲା । ସହରର ଗଣମାଧ୍ୟମ ପ୍ରତିନିଧିମାନେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଭେଟି ଏହି ମହାବିଦ୍ୟାଳୟ ଓ ଚିକିତ୍ସାଳୟର ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ।
ଏତିକି ବେଳେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା ଏମକେସିଜି ମେଡିକାଲକୁ ଯାଇ ବିଭିନ୍ନ ବିଭାଗ ବୁଲିବା ସହ ଡାକ୍ତର ଅଭାବ ଓ ରୋଗୀ ସେବା ସମ୍ପର୍କରେ ଏମକେସିଜି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ମେଡିକାଲର ସମସ୍ୟାକୁ ନେଇ କିଛି ଲୋକ ରାଜନୀତି କରୁଛନ୍ତି ବୋଲି ବିଧାୟକ ନିଜ ପ୍ରତିକ୍ରିୟାରେ କହିଥିଲେ । ଏହାଦ୍ବାରା କାର୍ଯ୍ୟରତ ଡାକ୍ତର ନିରୁତ୍ସାହିତ ହେବେ ବୋଲି ମଧ୍ୟ ବିଧାୟକ କହିଥିଲେ। ଆଉ ବିଜେପି ଆଜି ଏହାର ଜବାବ ରଖିଛି। ଏମକେସିଜିରେ ହୃଦରୋଗ ଅ‌େ‌ସ୍ତ୍ରାପଚାର ହୋଇପାରୁନଥିବା ଯୋଗୁ ବିଧାୟକ ନିଜେ ରୋଗୀଙ୍କୁ ବିଶାଖାପାଟଣା ପଠାଉଛନ୍ତି ବୋଲି ବିଜେପିର ବରିଷ୍ଠ ନେତା କାହ୍ନୁଚରଣ ପତି କହିଛନ୍ତି। ସେହିପରି ଖାଲିଥିବା ଶତାଧିକ ଡାକ୍ତରୀ ପଦ କେବେ ପୂରଣ ହେବ, ୨୪ ଘଣ୍ଟିଆ ଶବ ବ୍ୟବଛେଦ ବ୍ୟବସ୍ଥା, ସୁପରସ୍ପେସିଆଲିଟି ବିଭାଗ ପୂର୍ଣ୍ଣ କାର୍ଯ୍ୟକ୍ଷମ କେବେ ହେବ ବୋଲି ଶ୍ରୀ ପତି ପ୍ରଶ୍ନ କରିଛନ୍ତିା
ଅନ୍ୟପକ୍ଷରେ ଡାକ୍ତର ବଦଳିକୁ ନେଇ ବ୍ରହ୍ମପୁର ସହରରେ ଦେଖାଦେଇଥିବା ଜନ ଅସନ୍ତୋଷ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସ୍ପଷ୍ଟୀକରଣ ଦିଆଯାଇଛି । ଯେହେତୁ କେନ୍ଦୁଝର ଓ ସୁନ୍ଦରଗଡରେ ୧୦୦ ଏମବିବିଏସ ସିଟ ବିଶିଷ୍ଟ ଦୁଇଟି ମେଡିକାଲ କଲେଜ ଖୋଲିବା ପାଇଁ ଜାତୀୟ ଭେଷଜ ପରିଷଦ ନିକଟରେ ଆବେଦନ କରାଯାଇଛି ଏବଂ ପରିଷଦର ନିୟମପ୍ରକାରେ ପ୍ରଥମ ବର୍ଷରୁ ହିଁ ୬ ପ୍ରାଧ୍ୟାପକ, ୨୦ ସହଯୋଗୀ ପ୍ରାଧ୍ୟାପକ ଓ ୨୪ ସହକାରୀ ପ୍ରାଧ୍ୟାପକଙ୍କ ନିଯୁକ୍ତି ଅନିବାର୍ଯ୍ୟ କାରଣରୁ ସରକାର ବାଧ୍ୟ ହୋଇ ଏମକେସିଜି ଓ ଏସସିବି ମେଡିକାଲରୁ କିଛି ବରିଷ୍ଠ ଡାକ୍ତରଙ୍କୁ ବଦଳି କରିଛନ୍ତି ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଏମକେସିଜିରେ ମୋଟ ୩୫ ବିଭାଗ ରହିଛି । ଏହି ବିଭାଗଗୁଡ଼ିକ ପାଇଁ ମଞ୍ଜୁର ‌ହୋଇଥିବା ୩୯ ଜଣ ପ୍ରାଧ୍ୟାପକଙ୍କ ମଧ୍ୟରୁ ୩୫ ଜଣ ଏମକେସିଜିରେ କାର୍ଯ୍ୟ କରୁଛନ୍ତି । ସେହିପରି ୮୧ଟି ସହଯୋଗୀ ପ୍ରାଧ୍ୟାପକ ମଧ୍ୟରୁ ୫୧ ଜଣ ଓ ୧୬୩ ସହକାରୀ ପ୍ରାଧ୍ୟାପକ ମଧ୍ୟରୁ ୧୫୨ ଜଣ କାର୍ଯ୍ୟ କରୁଛନ୍ତି ବୋଲି ସୂଚନା ଦିଆଯାଇଛି । କିଛି ଦିନ ଭିତରେ ସରକାରଙ୍କ ପକ୍ଷରୁ ଏମକେସିଜିରେ ୧୧ ଜଣ ସହକାରୀ ପ୍ରାଧ୍ୟାପକ, ୧୬ ଜଣ ଟ୍ୟୁଟର ଓ ୪ ଜଣ ନିସିୟର ରେସିଡେଣ୍ଟଙ୍କୁ ନିଯୁକ୍ତି ଦିଆଯାଇଛି ଏବଂ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଖାଲିଥିବା ଅନ୍ୟ ଡାକ୍ତରୀ ପଦ ପୂରଣ କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

Comments are closed.