୩୧୫ କେଜି ଗଞ୍ଜେଇ ଜବତ, ୨ ଗିରଫ

ବ୍ରହ୍ମପୁର: ଗଞ୍ଜାମରୁ ପୁରୀ ଜିଲ୍ଲାକୁ ଗଞ୍ଜେଇ ଚାଲାଣ ବେଳେ ୨ଜଣଙ୍କୁ ଗିଫ କଲା ଅବକାରୀ ଗୁଇନ୍ଦା ବିଭାଗ । ଅଭିଯୁକ୍ତଙ୍କ ଠାରୁ ୩୧୫ କେଜି ଗଞ୍ଜେଇ ଜବତ ହୋଇଛି । ସୂଚନାଅନୁସାରେ କୋଦଳାରୁ ପୁରୀକୁ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିଲା । ଏନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ଖବର ପାଇବା ପରେ ଅବକାରୀ ଗୁଇନ୍ଦା ବିଭାଗ ଉପଆୟୁକ୍ତ ରାଜେନ୍ଦ୍ର ଭାତ୍ରାଙ୍କ ନିର୍ଦ୍ଦେଶକ୍ରମରେ ଇନ୍ସପେକ୍ଟର ହୃଦୟଚନ୍ଦ୍ର ସାମନ୍ତଙ୍କ ନେତୃତ୍ବରେ ବିଭାଗର ଏକ ଦଳ ଆଜି ଭୋରୁ କୋଦଳାରେ ଯାଞ୍ଚ ଆରମ୍ଭ କରିଥିଲେ । ଯାଞ୍ଚ ବେଳେ ବସଷ୍ଟାଣ୍ଡ ନିକଟରେ ଏକ ବ୍ୟାଗ ଧରି ଛିଡା ହୋଇଥିବା ଯୁବକ ପ୍ରଶାନ୍ତ ପ୍ରଧାନଙ୍କୁ ସନ୍ଦେହରେ ଯାଞ୍ଚ କରିବା ପରେ ତାଙ୍କ ନିକଟରୁ ୧୫ କେଜି ଗଞ୍ଜେଇ ଜବତ କରିଥିଲା ବିଭାଗ ।

ପରେ ପ୍ରଶାନ୍ତଙ୍କୁ ପଚରାଉଚରା ବେଳେ କୋଦଳା ନିକଟ ଧନଞ୍ଜୟପୁର ଠାରେ ରବୀନ୍ଦ୍ର ନାହାକ ନାମକ ଜଣେ ବ୍ୟକ୍ତି ବିପୁଳ ଗଞ୍ଜେଇ ମହଜୁଦ ରଖିଥିବା ବିଭାଗର ଅଧିକାରୀମାନେ ଜାଣିବାକୁ ପାଇଥିଲେ । ଧନଞ୍ଜୟପୁର ଯାଇ ଯାଞ୍ଚ କରିବା ପରେ ରବୀନ୍ଦ୍ର ନିକଟରୁ ୩୦୦ କେଜି ଗଞ୍ଜେଇ ଜବତ ହୋଇଥିଲା । ଏହି ସମସ୍ତ ଗଞ୍ଜେଇ ବସ ଯୋଗେ ପୁରୀ ଜିଲ୍ଲାକୁ ପଠାଇବାର ଯୋଜନା ରହିଥିଲା ବୋଲି ଉପରୋକ୍ତ ୨ ଅଭିଯୁକ୍ତଙ୍କ ଠାରୁ ସୂଚନା ମିଳିଥିଲା ।

Comments are closed.