ଝାରସୁଗୁଡ଼ାରେ ବିଳାସପୁର ଡିଭିଜନ: ୧୦ବର୍ଷରେ ରୋଜଗାର ୨୭ହଜାର କୋଟି

ବିକାଶ ବେଳକୁ କୁଣ୍ଠା

ବ୍ରଜରାଜନଗର/ଝାରସୁଗୁଡ଼ା : ବିଳାସପୁର ରେଳ ଡିଭିଜନ ଝାରସୁଗୁଡ଼ା ଜିଲାରୁ ବର୍ଷକୁ ବର୍ଷ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ଆଦାୟ କରୁଛି । ହେଲେ ସମଗ୍ର ଡିଭିଜନର ସର୍ବାଧିକ ଆୟକାରୀ ଓଡ଼ିଶାର ୨ଟି ରେଳଷ୍ଟେସନର ବିକାଶ ତ ହେଉନାହିଁ ଯେଉଁ ଟ୍ରେନ ରହଣୀ ହେଉଥିଲା ତାହା ମଧ୍ୟ ବନ୍ଦ କରି ଦିଆଯାଉଛି। ଏହାକୁ ନେଇ ବ୍ରଜରାଜନଗର/ବେଲପାହାଡ଼ ଅଞ୍ଚଳରେ ରେଳବାଇ ବିଭାଗ ପ୍ରତିି ଲୋକଙ୍କ ପ୍ରବଳ ରୋଷ।
ବ୍ରିଟଶ ଅମଳରୁ ସ୍ଥାପିତ ବ୍ରଜରାଜନଗର ରେଳ ଷ୍ଟେସନ କୋଇଲା ଓ ମାଲ ପରିହବନ କ୍ଷେତ୍ରରେ ଦେଶର ଶକ୍ତି ସଙ୍କଟକୁ ଦୂର କରିବା ସହ ଜାତୀୟ ରାଜକୋଷକୁ ବି ସମୃଦ୍ଧ କରି ଆସିଛି। ସେହି ପରି ଦେଶର ବିଭିନ୍ନ ପ୍ରାନ୍ତକୁ ଯୋଡ଼ୁଥିବା ବହୁ ଦୂରଗାମୀ ଟ୍ରେନର ରହଣୀ ଯୋଗୁଁ ଯାତ୍ରୀମାନଙ୍କ ପାଇଁ ଏହା ସବୁ ବେଳେ ବ୍ୟସ୍ତ ବହୁଳ ହୋଇ ଆସୁଥିଲା। ଖଣି ଖାଦାନ ଓ ଶିଳ୍ପରେ ଭରପୁର ବ୍ରଜରାଜନଗର, ବେଲପାହାଡ଼ ଅଞ୍ଚଳ ଜିଲାର ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳୀ ହୋଇଥିବା ବେଳେ ଦେଶର ବିଭିନ୍ନ ପ୍ରାନ୍ତର ଲୋକେ ଏଠି ବସବାସ କରି ଆସୁଛନ୍ତି। ଆଉ ଏମାନଙ୍କ ପାଇଁ ସବୁ ଦୂରଗାମୀ ଏକ୍ସପ୍ରେସ ଗୁଡ଼ିକ ବି ଯାତ୍ରୀ ଭଡ଼ାରୁ ବେଶ ଲାଭାନ୍ୱିତ ହୋଇ ଆସୁଛନ୍ତି। କିନ୍ତୁ ଏଭଳି ସ୍ଥିତିରେ ରେଳବାଇ କର୍ତ୍ତୃପକ୍ଷ କୋଭିଡ ପ୍ରଥମ ଲହର ପରେ ଉତ୍କଳ ଏକ୍ସପ୍ରେସ, ହାୱଡ଼ା-ମୁମ୍ବାଇ ମେଲ ଓ ହାୱଡ଼ା-ଅହମଦାବାଦ ସୁପରଫାଷ୍ଟ ଟ୍ରେନ ଚଳାଚଳ କରିଥିଲେ ହେଁ ରହଣୀକୁ ବାତିଲ କରି ଦେଇଥିବାରୁ ଜନ ଅସନ୍ତୋଷ ଦେଖାଦେଇଥିଲା। ବ୍ରଜରାଜନଗର ଷ୍ଟେସନରେ ଉତ୍କଳ ଏକ୍ସପ୍ରେସର ରହଣୀ ଦାବି ନେଇ ଗତ ଜାନୁଆରୀ ୨୮ ତାରିଖରେ ରେଳ ରୋକ ଆନ୍ଦୋଳନ କରାଯାଇଥିଲା।
ସବୁଠାରୁ ଗୁରୁତର କଥା , ଉତ୍କଳ ଏକ୍ସପ୍ରେସ ରହଣୀ ବାତିଲ ହେବାର ମାତ୍ର ଦୁଇ ମାସର ବ୍ୟବଧାନ ପରେ ଅପ୍ରେଲ ମାସରୁ ବ୍ରଜରାଜନଗର ଷ୍ଟେସନରେ ହାୱଡ଼ା-ମୁମ୍ବାଇ ମେଲ ଓ ହାୱଡ଼ା-ଅହମଦାବାଦ ସୁପରଫାଷ୍ଟ ଟ୍ରେନର ରହଣି ଉଚ୍ଛେଦ କରି ଦିଆଗଲା । ବାତିଲ ପୂର୍ବରୁ ବ୍ରଜରାଜନଗର ନାଗରିକ ମଞ୍ଚ ଦକ୍ଷିଣ ପୂର୍ବ ମଧ୍ୟ ରେଳବାଇର ବିଳାସପୁର ଡିଭିଜନାଲ ମ୍ୟାନେଜରଙ୍କ ଦୃଷ୍ଟି ଆକର୍ଷଣ କରି ସମସ୍ୟା ବାବଦରେ ଅବଗତ କରାଥିଲେ। ସେପଟେ ତିନି ତିନୋଟି ପ୍ରମୁଖ ଦୂରଗାମୀ ଟ୍ରେନର ରହଣି ଉଠିଯିବାରୁ ଏହି ଶତାଧିକ ବର୍ଷର ରେଳ ଷ୍ଟେସନ ବର୍ତ୍ତମାନ ଏକ ପ୍ରକାର ଅକର୍ମଣ୍ୟ ଅବସ୍ଥାକୁ ଚାଲି ଆସିଲାଣି।
ଖାଲି ଏତିକି ନୁହେଁ ବ୍ରଜରାଜନଗର ସହର ଭିତରେ ଥିବା ବ୍ରଜରାଜନଗର ରେଳଷ୍ଟେସନରେ ପାର୍କିଂ ସୁବିଧା ନାହିଁ କି ଷ୍ଟେସନ ବାହାରେ ବୋର୍ଡ ଟିଏ ଲାଗିନାହିଁ। ଷ୍ଟେସନ ଭିତରେ ନା ଅଛି ପର୍ଯ୍ୟାପ୍ତ ବସିବା ବ୍ୟବସ୍ଥା ନା ଉପଯୁକ୍ତ ଅପେକ୍ଷାଗାର । ସ୍ବଚ୍ଛତା ଓ ସ୍ବାସ୍ଥ୍ୟକର ପାନୀୟ ଜଳ କଥା କହିବା ବୃଥା । ଅନୁରୂପ ଭାବେ ବେଲପାହାଡ଼ ରେଳଷ୍ଟେସନ ମଧ୍ୟ ବିକାଶ କ୍ଷେତ୍ରରେ ଖୁବ୍ ପଛରେ । ଏଠାରେ ପ୍ଲାଟଫର୍ମ-୧କୁ ଯିବା ପାଇଁ ବି ରାମ୍ପ ଚଢ଼ିବାକୁ ପଡ଼େ। ହେଲେ ନା ଗୁରୁତ୍ବପୂର୍ଣ୍ଣ ଟ୍ରେନ ରହେ ନା ସ୍ବାସ୍ଥ୍ୟକର ଜଳ, ଶୌଚାଳୟ, ବସିବା ଭଳି ଉପଯୁକ୍ତ ସୁବିଧା ମିଳେ । ସହରବାସୀ ​ରେଳ ଓଭର ବ୍ରିଜ ଟିଏ ନିର୍ମାଣ ପାଇଁ ଦୀର୍ଘ ୨୦ବର୍ଷ ହେଲା ଦାବି କରି ଆସୁଛନ୍ତି । ଏଥିପାଇଁ ରାଜ୍ୟ ସରକାର ୫୦ପ୍ରତିଶତ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତିି। ହେଲେ ରେଳ ବିଭାଗ ସବୁବେଳେ ଜନଦାବିକୁ ବାଁରେଇ ଯିବାକୁ ଚେଷ୍ଟା କରି ଆସୁଛି। ଏମିତିରେ ବେଲପାହାଡ଼ ସହରବାସୀଙ୍କ ଗମନା ଗମନ ଓ ବିକାଶ କ୍ଷେତ୍ରରେ ଉକ୍ତ ରେଳବାଇ କ୍ରସିଂ ଅନ୍ତରାୟ ସୃଷ୍ଟି କରୁଛି।
ବ୍ରଜରାଜନଗର ଓ ବେଳପାହାଡ଼ ଷ୍ଟେସନରୁ ରାଜସ୍ୱ ଆଦାୟ ସଂକ୍ରାନ୍ତରେ ବ୍ରଜରାଜନଗର ସୂଚନା ଅଧିକାର କର୍ମୀ ରବି କୁମାର ସୋନି ଦକ୍ଷିଣ-ପୂର୍ବ-ମଧ୍ୟ ରେଳବାଇଙ୍କୁ ତଥ୍ୟ ମାଗିଥିଲେ। ତେବେ ହସ୍ତଗତ ହୋଇଥିବା ତଥ୍ୟ ଅନୁସାରେ ଯାତ୍ରୀ ଭଡ଼ା ଓ ମାଲ ପରିବହନ ବାବଦରେ ରେଳବାଇ ଉଭୟ ଷ୍ଟେସନରୁ ୧୦ବର୍ଷ ମଧ୍ୟରେ ୨୭୦୧୯କୋଟି ୧୫ଲକ୍ଷ ୫୫ହଜାର ଟଙ୍କା ରୋଜଗାର କରିଛି। ଏଥିରୁ ୨୦୧୬ ମାର୍ଚ୍ଚରୁ ୨୦୨୧ ମାର୍ଚ୍ଚ ଶେଷ ଯାଏ ୧୬୩୫୫କୋଟି ୧ଲକ୍ଷ ୫୦ହଜାର ଟଙ୍କା ରୋଜଗାର ହୋଇଥିବା ତଥ୍ୟରୁ ଜଣାଯାଇଛି।
(ନିମ୍ନରେ ୫ବର୍ଷର ତଥ୍ୟ ଉଲ୍ଲେଖ କରାଗଲା ।)

ବର୍ଷ ଭଡ଼ା ବ୍ରଜରାଜନଗର ବେଲପାହାଡ଼
୨୦୧୬-୧୭ ଯାତ୍ରୀ ଭଡ଼ା ୨୨୯,୦୧,୩୪୮ ୮୬,୮୭,୮୨୦
୨୦୧୬-୧୭ ମାଲ ଭଡ଼ା ୫୮୮,୨୬,୭୮,୮୯୨ ୧୮୬୮,୫୮,୨୯,୯୧୬
୨୦୧୭-୧୮ ଯାତ୍ରୀ ଭଡ଼ା ୨,୪୭,୯୧,୮୩୩ ୮୭,୫୩,୮୭୫
୨୦୧୭-୧୮ ମାଲ ଭଡ଼ା ୮୪୬,୩୫,୦୨,୨୬୮ ୧୯୭୯,୮୮,୯୩,୧୮୦
୨୦୧୮-୧୯ ଯାତ୍ରୀ ଭଡ଼ା ୨,୬୬,୬୭,୬୭୨ ୯୨,୮୬,୫୬୯
୨୦୧୮-୧୯ ମାଲ ଭଡ଼ା ୧୧୮୮,୯୬,୦୦,୦୦୦ ୩୭୩୦,୧୪,୯୪,୨୭୩
୨୦୧୯-୨୦ ଯାତ୍ରୀ ଭଡ଼ା ୨,୭୧,୪୭,୩୭୦ ୯୧,୦୯,୦୮୬
୨୦୧୯-୨୦ ମାଲ ଭଡ଼ା ୩୯୧,୪୦,୮୫,୯୬୫ ୨୬୭୬,୪୪,୨୬,୫୩୬
୨୦୨୦-୨୧ ଯାତ୍ରୀ ଭଡ଼ା ୪୫,୦୯,୭୮୩ ୯,୮୩,୮୨୨
୨୦୨୦-୨୧ ମାଲ ଭଡ଼ା ୧୬୪,୦୫,୦୦,୦୦୦ ୨୯୦୬,୬୩,୦୦,୦୦୦
୩୧୮୯,୬୩,୮୫,୧୩୧ ୧୩୧୬୫,୩୭,୬୫,୦୭୭

Comments are closed.